ସମ୍ବଲପୁର ଗଣଦୁଷ୍କର୍ମ ଘଟଣା : ପୀଡିତାଙ୍କୁ ଭେଟିଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା
10/12/2019 at 7:30 AM

ସମ୍ବଲପୁର ୧୦।୧୨: ସମ୍ବଲପୁର ଅଇଁଠାପାଲିରେ ଗଣଦୁଷ୍କର୍ମ ଘଟଣାକୁ ରେଡ୍ ଫ୍ଲାଗ୍ କାଟାଗୋରିରେ ଗ୍ରହଣ କରିଛି ପୋଲିସ । ୨୦ ଦିନ ଭିତରେ ଚାର୍ଜସିଟ୍ ଦାଖଲ କରାଯିବ । ଅଇଁଠାପାଲି ଗଣଦୁଷ୍କର୍ମ ମାମଲାରେ ଏଯାଏଁ ୪ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୀଡିତା । ସେମାନେ ହେଲେ ସ୍ଥାନୀୟ ଅଞ୍ଚଳର ଶିବ ଶଙ୍କର ନାଏକ, ଦୋଳମଣି ଭୁଏ, ମହେଶ ସେଠୀ ଏବଂ ଅକ୍ରୁର ଛୁରିଆ । ଏମାନେ ପୀଡିତାଙ୍କୁ ରାସ୍ତାରୁ ଉଠାଇ ନେଇ ଦୁଷ୍କର୍ମ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ମରିଯାଇଥିବା ଭାବି ରାସ୍ତାକଡରେ ଫିଙ୍ଗି ଚାଲିଯାଇଥିଲେ । ଏହି ୪ ଜଣଙ୍କ ସହ ପ୍ରମାଣ ନଷ୍ଟ ଅଭିଯୋଗରେ ଆଉ ୨ ଜଣଙ୍କୁ ଅଟକ ମଧ୍ୟ ରଖାଯାଇଛି । ସେମାନଙ୍କୁ ପଚରାଉଚରା କରୁଛି ପୋଲିସ । ପୀଡିତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସୁଛି । ଖୁବଶୀଘ୍ର ତାଙ୍କର ଆଇପିସି ୧୬୪ରେ ବୟାନ ରେକର୍ଡ କରାଯିବ ।

ସେପଟେ ସମ୍ବଲପୁର ଆସି ଗଣଦୁଷ୍କର୍ମ ପୀଡିତାଙ୍କୁ ଭେଟିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମିନତୀ ବେହେରା। ପୋଲିସ ଚାର୍ଜସିଟ୍ ଦାଖଲ କଲା ପରେ ଫାଷ୍ଟଟ୍ରାକ୍ କୋର୍ଟରେ ଏହି ମାମଲାର ତ୍ବରିତ ଶୁଣାଣି କରି ଅଭିଯୁକ୍ତଙ୍କୁ କଠୋର ଦଣ୍ଡବିଧାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିବେ ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା। ନରପିଶାଚଙ୍କୁ କଠୋକ ଶାସ୍ତି ଦରକାର ବୋଲି ସେ କହିଛନ୍ତି। ତାଙ୍କୁ ଯେପରି ଅନୁକମ୍ପା ରାଶି ମିଳିବ ସେଥିପାଇଁ ସେ ସୁପାରିସ କରିବେ । ଭିମସାରରୁ ମହିଳା କମିଶନ ଅଧ୍ୟକ୍ଷା ନେତୃତ୍ବରେ ଆସିଥିବା ଦଳ ଗଣଦୁଷ୍କର୍ମ ସ୍ଥଳ ପରିଦର୍ଶନ କରିଥିଲେ। ତାପରେ ଅଇଁଠାପାଲି ଥାନାକୁ ଯାଇ ଅତିରିକ୍ତ ଏସପି ତଦନ୍ତକାରୀ ଅଧିକାରୀ ଡିଏସପି ସୁଜାତା ପଣ୍ଡାଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ।