Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଆଜି ଜମିଲା ରାଜନୀତି : ବିଜେଡି ପ୍ରତିଷ୍ଠା ଦିବସ ବନାମ ବିଜେପି ‘ଜବାବ୍ ମାଗୁଛି ଓଡ଼ିଶା’ ବନାମ କଂଗ୍ରେସ କଳା ଦିବସ

26/12/2018 at 5:17 PM

ଭୁବନେଶ୍ବର ୨୬|୧୨: ଆଜି ଦିନ ତମାମ ରାଜଧାନୀ ସମେତ ସାରା ରାଜ୍ୟରେ ନଜରକୁ ଆସିଥିଲା ରାଜନୈତିକ ହଲଚଲ । ବିଜୁ ଜନତା ଦଳ ତା’ର ୨୧ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ  ବିରୋଧୀ କଂଗ୍ରେସ ଆଉ ବିଜେପି ମଧ୍ୟ କାଉଣ୍ଟର ଷ୍ଟ୍ରାଟେଜିକୁ ଆପଣାଇଥିଲେ । ଆଜିର ଦିନକୁ କଂଗ୍ରେସ କଳା ଦିବସ ଭାବେ ପାଳନ କରିଥିଲା ତ ‘ଜବାବ୍‌ ମାଗୁଛି ଓଡ଼ିଶା’ ନାଁରେ ବିଜେପି ଓହ୍ଲାଇଥିଲା କ୍ୟାମ୍ପେନିଂକୁ । ଏମିତିରେ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଥିଲେ ସବୁଦଳ । ଜାଣନ୍ତୁ କେଉଁଠି କେମିତି ଥିଲା ମାହୋଲ ।

 ଦଳର ୨୧ତମ ପ୍ରତିଷ୍ଠା ଦିବସକୁ ରାଜ୍ୟବ୍ୟାପୀ ମହାସମାରୋହରେ ପାଳନ କରିବାକୁ ବିଜେଡି ଯେଉଁ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲା, ତାରି ଅନୁସାରେ ସବୁ ନିର୍ବାଚନ ମଣ୍ଡଳୀରେ ଆଗକୁ ବଢ଼ିଥିଲେ ଦଳୀୟ ନେତା । ଦଳୀୟ କର୍ମୀ, ଓ୍ବାର୍ଡ଼ କମିଟି ସଭ୍ୟ, ଛାତ୍ର, ଯୁବ, ମହିଳା, କୃଷକ, ସଂଖ୍ୟାଲଘୁ ସହ ବିଜେଡିର ସମସ୍ତ ସଂଗଠନର ସଦସ୍ୟମାନେ ଏକାଠି ହୋଇ ଦଳର ପ୍ରତିଷ୍ଠା ଦିବସ ପାଳନ କରିଥିଲେ । ବ୍ଲକ ସ୍ତରରୁ ରାଜ୍ୟସ୍ତର ଯାଏଁ ରାଜ୍ୟ ସରକାରଙ୍କ ସଫଳତା ଓ କେନ୍ଦ୍ର ସରକାରର ବିଫଳତାକୁ ତୃଣମୂଳସ୍ତରରେ ପହଞ୍ଚାଇବାକୁ ଦଳ ପକ୍ଷରୁ ଭରପୁର ଚେଷ୍ଟା କରାଯାଇଥିଲା । ସେପଟେ ଶାସକ ଦଳର ଏଭଳି ପ୍ରସ୍ତୁତିର କାଉଣ୍ଟର କରିବାକୁ ସମାନ ଢ଼ଙ୍ଗରେ କମର କଷିଥିଲେ ବିରୋଧୀ କଂଗ୍ରେସ ଆଉ ବିଜେପି । ଆଜିର ଦିନଟିକୁ କଂଗ୍ରେସ ସାରା ରାଜ୍ୟରେ କଳାଦିବସ ଭାବେ ପାଳନ କରିଥିବା ବେଳେ ‘ଜବାବ୍‌ ମାଗୁଛି ଓଡ଼ିଶା’ ନାଁରେ କ୍ୟାମ୍ପେନ୍‌କୁ ଓହ୍ଲାଇଥିଲା ବିଜେପି ।

ବଲାଙ୍ଗିରରେ ବିଜେଡିର ମୋର୍ଚ୍ଚା ସମ୍ଭାଳିଥିଲେ ସିଂଦେଓ ଫ୍ୟାମିଲି । ଫୁଲ୍‌ ଦମ୍‌ରେ ମାତିଥିଲେ ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂଦେଓ, ଛାତ୍ର ଓ ଯୁବ ବିଜେଡି ନେତା ଅର୍କେଶ ନାରାୟଣ ସିଂଦେଓ । ସେପଟେ କଳା ଦିବସ ପାଳନ କରୁଥିବା ବଲାଙ୍ଗିର କଂଗ୍ରେସ ନେତାଙ୍କ ଶିବିରରେ ଦେଖିବାକୁ ମିଳିଥିଲା ମିଶ୍ରଣ ପର୍ବର ମାହୋଲ । ବାକି ରହିଲେ ବିଜେପି ନେତା, ସେମାନେ ମଧ୍ୟ ଆସନ୍ତା ୧୬ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଲାଙ୍ଗିର ଗସ୍ତକୁ ନଜରରେ ରଖି ଖୁବ୍‌ ଉତ୍ସାହିତ ଜଣାପଡ଼ୁଥିଲେ ।

ରାୟଗଡ଼ା ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳୀ ରାୟଗଡ଼ା, ବିଷମକଟକ ଓ ଗୁଣପୁରରେ ଦଳର ପ୍ରତିଷ୍ଠା ଦିବସକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳିଥିଲେ ଦଳୀୟ ନେତା ଆଉ କର୍ମୀ ।

କୋରାପୁଟ ଜୟପୁରରେ ଦଳର ପ୍ରତିଷ୍ଠା ଦିବସରେ ଶକ୍ତି ପ୍ରଦର୍ଶନ କରିବାକୁ ଭୁଲିନଥିଲେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ରବି ନନ୍ଦ । ସାଥିରେ ଥିଲେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମେତ ଅନେକ ନେତା ଆଉ ଦଳୀୟ କର୍ମୀ । ସେପଟେ କଂଗ୍ରେସର କଳାଦିବସ ପାଳନ ଅବସରରେ ବିରୋଧୀ ଦଳ ମୁଖ୍ୟସଚେତକ ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ରଣହୁଙ୍କାର ମଧ୍ୟ ବେଶ୍‌ ଦେଖିବାକୁ ମିଳିଥିଲା । ହେଲେ ଜୟପୁରରେ ବିଜେପି ନେତାଙ୍କ ସେଭଳି କିଛି ଆକ୍ଟିଭିଟି ଦେଖିବାକୁ ମିଳିନଥିଲା ।

ସୁନ୍ଦରଗଡ଼ ଜିଲ୍ଲାର ରଘୁନାଥପାଲି ନିର୍ବାଚନମଣ୍ଡଳୀରେ ବିଧାୟକ ସୁବ୍ରତ ତରାଇ ରାଜ୍ୟ ସରକାରଙ୍କ ସଫଳତାର ବର୍ତ୍ତା ବାଣ୍ଟିବାକୁ ଭରପୁର ଉଦ୍ୟମ କରିଥିଲେ । ହେଲେ ଏଥିରେ ନାକ ପୁରାଇବାକୁ ଚେଷ୍ଟା କରିଥିଲେ ବିରୋଧୀ ।

ବିଜେଡି ପ୍ରତିଷ୍ଠା ଦିବସରେ ଗଞ୍ଜାମ ରାଜନୀତି ମଧ୍ୟ ସରଗରମ ହୋଇଥିଲା; । ଦଳର ଷ୍ଟ୍ରାଟେଜି ଅନୁସାରେ ଲୋକଙ୍କ ନିକଟତର ହେବାକୁ ଫୁଲ୍ ଦମ୍‌ରେ ଲାଗିଥିଲେ ନେତା । ଆଉ ସେପଟେ ବିରୋଧୀ କଂଗ୍ରେସ ଓ ବିଜେପି ମଧ୍ୟ କାଉଣ୍ଟର ଷ୍ଟ୍ରାଟେଜିକୁ ଆଗକୁ ବଢ଼ାଇବା ଉଦ୍ୟମରେ ଥିଲେ ।

ଏମିତିରେ ପୂରା ଦିନ ତମାମ ରାଜ୍ୟବ୍ୟାପି ପ୍ରମୁଖ ତିନି ଦଳ ବିଜେଡି-ବିଜେପି ଓ କଂଗେସର ପଲିଟିକାଲ ମୁଭ୍‌ମେଣ୍ଟ  ଜାରି ରହିଥିଲା । ଉଦେଶ୍ୟ ଥିଲା ନିର୍ବାଚନ ପୂର୍ବରୁ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବା । ଯାହାକୁ ନେଇ ମାତିଥିଲେ ସବୁ ଦଳର ନେତା ଆଉ କର୍ମୀ ।

   Related Posts