ରାଜ୍ୟରେ ଆଉ ୩ଟି କୋଭିଡ୍ ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ

Published By : Prameya-News7 Bureau | April 17, 2020 IST

ଭୁବନେଶ୍ବର୧୭/୪: ଆଜି ରାଜ୍ୟର ଆଉ ୩ଟି କୋଭିଡ୍‌ ହସ୍ପିଟାଲ ବୁଲି ଦେଖିଛନ୍ତି ରାଜ୍ୟ ସରକାରଙ୍କ 5-T ସଚିବ ଭି.କେ ପାଣ୍ଡ୍ୟାନ୍‌ । ସାଥିରେ ଥିଲେ ଉନ୍ନୟନ କମିଶନର ସୁରେଶ ମହାପାତ୍ର । ସମ୍‌ ହସ୍ପିଟାଲ ସହାୟତରେ ଅନୁଗୁଳରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ନିର୍ମାଣ କରାଯାଇଥିବା ବେଳେ ଢ଼େଙ୍କାନାଳରେ ୧୦୦ଶଯ୍ୟା ଏବଂ ପରାଦୀପରେ ୫୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ।

ପ୍ରତି ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ ନିର୍ମାଣ ଉପରେ ଜୋର୍‌ ଦେଇଛନ୍ତି ରାଜ୍ୟ ସରକାର । ଏବେ ସୁଦ୍ଧା ୨୧ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିବା ବେଳେ ବାକି ଜିଲ୍ଲା ଗୁଡ଼ିକରେ ଖୁବ୍‌ ଶୀଘ୍ର ଏହି କାର୍ଯ୍ୟ ସାରିବାକୁ ଲକ୍ଷ ରଖାଯାଇଛି । ଏମିତିରେ ଆଜି ଅନୁଗୋଳ, ଢ଼େଙ୍କାନାଳ ଏବଂ ପାରାଦୀପରେ ନିର୍ମାଣ କରାଯାଇଥିବା କୋଭିଡ୍‌ ହସ୍ପିଟାଲ ବୁଲି ଦେଖିଛନ୍ତି ରାଜ୍ୟ ସରକାରଙ୍କ 5-T ସଚିବ ଭି.କେ ପାଣ୍ଡ୍ୟାନ୍‌ ଏବଂ ଉନ୍ନୟନ କମିଶନର ସୁରେଶ ମହାପାତ୍ର । ଭୁବନେଶ୍ବର ଏବଂ କେନ୍ଦ୍ରାପଡ଼ା ପରେ ଅନୁଗୋଳରେ ସମ୍‌ ହସ୍ପିଟାଲ ତରଫରୁ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ନିର୍ମାଣ କରାଯାଇଛି । ଯେଉଁଥିରେ ୬ଟି ଆଇସିୟୁ ସୁବିଧା ରହିଛି ।

ସେହଭଳି ଢ଼େଙ୍କାନାଳରେ ନିର୍ମାଣ ହୋଇଥିବା ୧୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲର ପରିଚାଳନା ସମ୍ପର୍କରେ ସ୍ଥାନୀୟ ଜିଲ୍ଲାପାଳ ଓ ସିଡିଏମଓ ଙ୍କ ସହ ଆଲୋଚନା କରିଛନ୍ତି 5-T ସଚିବ ଭି.କେ ପାଣ୍ଡ୍ୟାନ୍‌ । ସେପଟେ ପାରାଦୀପରେ ମଧ୍ୟ ନିର୍ମାଣ ହୋଇଥିବା କୋଭିଡ୍‌ ହସ୍ପିଟାଲର ଅନୁଧ୍ୟାନ କରିଛନ୍ତି 5-T ସଚିବ ଭି.କେ ପାଣ୍ଡ୍ୟାନ୍‌। ଏଠାରେ ବନ୍ଦର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ନିର୍ମାଣ କରାଯାଇଥିବା କୋଭିଡ୍‌ ହସ୍ପିଟାଲରେ ପ୍ରଥମ ପର୍ଯ୍ୟାୟରେ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରାଯାଇଛି ।  ଯେଉଥିରେ ୫ଟି ଆଇସିୟୁ ରହିଛି । ଆଗକୁ ଏହାର ବେଡ୍‌ ସଂଖ୍ୟା ବଢ଼ାଇବାକୁ ଯୋଜନା ରହିଛି ।

ସେହିଭଳି ପାରାଦୀପରେ ରାଜ୍ୟ  ତଥା ରାଜ୍ୟ ବାହାରର ଶ୍ରମିକଙ୍କ ପାଇଁ କରାଯାଇଥିବା କ୍ୟାମ୍ପ ମଧ୍ୟ ବୁଲି ଦେଖିଥିଲେ  5-T ସଚିବ ଭି.କେ ପାଣ୍ଡ୍ୟାନ୍‌ । ସେମାନଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ କରିଥିଲେ । ଲକ୍‌ଡାଉନ ପାଇଁ  ପଶ୍ଚିମବଙ୍ଗ, ବିହାର, ବାଲେଶ୍ବର ଅଂଚଳର ପ୍ରାୟ ୮୬ଜଣ ଶ୍ରମିକ ଏହି କ୍ୟାମ୍ପରେ ଅଟକି ରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ  ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.