ଭୁବନେଶ୍ଵର ୫/୩- ଆଜି ସଚିଵାଳୟରେ ସରକାରଙ୍କର ରିପୋର୍ଟ କାର୍ଡ଼ ଉପସ୍ଥାପିତ କଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କରିଛନ୍ତି ଏହି ଉପସ୍ଥାପନ ।
ମୁଖ୍ୟମନ୍ତ୍ରୀ କହିଥିଲେ ଆମେ ଲୋକମାନଙ୍କ ପ୍ରତିଶୃତି ପୂରଣ କରିଛୁ ଓ ଭବିଷ୍ୟତରେ ମଧ୍ୟ କରିବୁ । ଲୋକମାନଙ୍କୁ ଦେଇଥିବା କଥା ଆମେ ପୂରଣ କରିଛୁ ।
ଆଶା ଓ ଅଙ୍ଗନଓ୍ଵାଡ଼ି କର୍ମୀଙ୍କ ଠାରୁ ଆରମ୍ଭକରି ମିଶନଶକ୍ତି , ପଂଚାୟତରାଜ ପ୍ରତିନିଧି, ସରକାରୀ କର୍ମଚାରୀ,ମନ୍ତ୍ରୀ ପରିଷଦଙ୍କ ପାଇଁ ଆଜି ଓଡ଼ିଶା ସରକାରଙ୍କୁ ଏହି ସଫଳତା ମିଳିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଉପସ୍ଥାପନାରୁ ଜଣାଯାଇଛି ୫ବର୍ଷ ମଧ୍ୟରେ ୧୦ଲକ୍ଷ ହେକ୍ଟର ଜମି ଜଳସେଚନ ପାଇଁ ପ୍ରତିଶୃତି ଦିଆଯାଇଥିଲା ।ଆଜିସୁଦ୍ଧା ୯ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା କରାଯାଇଛି ।ଚାଷୀଙ୍କୁ ୧ ପ୍ରତିଶତ ସୁଧହାରରେ ଋଣଦେବାକୁ ଚାଷୀଙ୍କୁ ପ୍ରତିଶୃତି ଦିଆଯାଇଥିଲା । ଆଜି କିନ୍ତୁ ଚାଷୀଙ୍କୁ କାଳିଆ ଯୋଜନା ମାଧ୍ୟମରେ ଶୂନ ପ୍ରତିଶତ ସୁଧହାରରେ ଋଣ ଯୋଗାଇଦିଆଯାଉଛି । ସେହିପରି ଦିଆଯାଇଥିବା ପ୍ରତିଶୃତି ଅନୁସାରେ ୨୦ ଲକ୍ଷ ପକ୍କାଘର ହିତାଧିକାରୀଙ୍କ ପାଇଁ ନିର୍ମାଣ ହୋଇପାରିଛି ।
ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଉଭୟ ବିପିଏଲ ଓ ଏପିଏଲ ପରିବାରଙ୍କ ପାଇଁ ୫ଲକ୍ଷ ଟଂକାର ଚିକିତ୍ସା ସୁବିଧା ଯୋଗାଇଦିଆଯାଇଛି । ମହିଳାମାନଙ୍କ ପାଇଁ ଏହି ସୁବିଧା ୭ଲକ୍ଷକୁ ବୃଦ୍ଧି କରାଯାଇଛି । ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଠାରୁ ମେଡ଼ିକାଲ କଲେଜ ଯାଏଁ ମାଗଣା ଔଷଧ ବିତରଣର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଖାଦ୍ୟ ସୁରକ୍ଷାର ପ୍ରତିଶୃତି ପୂରଣ ପାଇଁ ୨୦୧୩ ମସିହାରୁ ୧ଟଂକାରେ ଚାଉଳ ଯୋଗାଇ ଦିଆଯାଉଛି । ସାର୍ବଜନୀନ ଶିକ୍ଷାକୁ ଆହୁରି ଗୁଣାତ୍ମକ କରିବାକୁ ୧୯୦ଟି ମଡ଼େଲ ସ୍କୁଲ ପ୍ରତିଷ୍ଠା କରିବାସହ ଖୁବ୍ ଶୀଘ୍ର ୩୧୪ଟି ବ୍ଲକରେ ନିର୍ମାଣ ସଂପୂର୍ଣ୍ଣ ହେବ ବୋଲି କହିଛନ୍ତି ।
ବର୍ତ୍ତମାନ ସୁଦ୍ଧା ୧୨ ଲକ୍ଷ ବେକାର ଯୁବକଯୁବତୀଙ୍କୁ ପ୍ରତ୍ୟେକ୍ଷ ଓ ପରୋକ୍ଷଭାବରେ ନିଯୁକ୍ତି ଦିଆଯାଇଛି । ସରକାରୀ ସ୍ତରରେ ୧ଲକ୍ଷ ୧୨ ହଜାରଙ୍କୁ ନିଯୁକ୍ତି ଦିଆଯାଇଛି ।
ମିଶନ ଶକ୍ତି ମାଧ୍ୟମରେ ୬ ଲକ୍ଷ ସ୍ଵଂୟ ସହାୟକ ଗୋଷ୍ଠୀ ଓ ୭୦ଲକ୍ଷ ମହିଳାଙ୍କ ପାଇଁ ବିନା ସୁଧରେ ଋଣ ପ୍ରଦାନ କରାଯାଇଛି ।
ଅନୂସୁଚିତ ଜାତି ଓ ଜନଜାତି ପାଇଁ ୭୦ ହଜାର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ବୃତ୍ତି ପ୍ରଦାନ କରାଯାଉଛି ।
କାଳିଆ ଯୋଜନାରେ ୪ଲକ୍ଷ ୮୦ ହଜାର ଅତିରିକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ସହାୟତା ଜମା କରିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ।