ସାରା ରାଜ୍ୟରେ ଲାଗୁ ହେବ ଲକଡାଉନ୍ ! ସୋମବାର କ୍ୟାବିନେଟ ବୈଠକରେ ନିଆଯିବ ଚୂଡାନ୍ତ ନିଷ୍ପତ୍ତି

Published By : Prameya-News7 Bureau | July 23, 2020 IST

ଥିରୁବନ୍ତପୁରମ, ୨୩|୦୭:ଦେଶରେ ପ୍ରତିଦିନ ୪୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ସରକାରଙ୍କ ଚିନ୍ତା ବଢିଗଲାଣି । ଏହାମଧ୍ୟରେ କେରଳ ସରକାର ପୁଣି ସାରା ରାଜ୍ୟକୁ ଲକଡାଉନ୍ କରିବେ ବୋଲି ସୂଚନା ମିଳିଛି । ତେବେ ଆସନ୍ତା ସୋମବାର ହିଁ କେରଳ କ୍ୟାବିନେଟ୍‌ରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

କେବଳ ବୁଧବାର କେରଳରେ ନୂଆ ୧୦୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ସରକାର ଏର୍ଣ୍ଣାକୁଲାମ ଓ ତିଘତେନ୍ ପ୍ରାନ୍ତରେ କର୍ଫ୍ୟୁ ଲାଗୁ କରିଛନ୍ତି । ଏହି ଅଞ୍ଚଳରେ ଲଗାତାର ଭାବେ ସର୍ବାଧିକ କୋଭିଡ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଏହାମଧ୍ୟରେ ରାଜ୍ୟ ସରକାର କୋଭିଡ ବେଡ୍ ସଂଖ୍ୟା ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ।

କରୋନା ସ୍ଥିତିକୁ ନଜରରେ ରଖି କେରଳ ସରକାର ଆଶନ୍ତା ୨୭ ତାରିଖରେ ହେବାକୁ ଥିବା ବିଧାନସଭା ଅଧିବେଶନକୁ ବାତିଲ କରିଛନ୍ତି । ସରକାର ସାରା ରାଜ୍ୟକୁ ଲକଡାଉନ୍ କରିବାକୁ ଯୋଜନା କରୁଛନ୍ତି । ତେବେ ରାଜଧାନୀ ତିରୁବନ୍ତପୁରମ ଓ କିଛି ଅଞ୍ଚଳ ଗତ ୨ ସପ୍ତାହ ଧରି ଲକଡାଉନ୍ ରହିଛି । ଯାହାର ଅବଧି ଜୁଲାଇ ୨୮ରେ ଶେଷ ହେବ ବୋଲି ସରକାର କହିଥିଲେ ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେସୁଦ୍ଧା ୧୫,୦୩୨ଟି ପଜିଟିଭ୍ କେସ୍ ବାହାରିଥିବା ବେଳେ ୮୮୧୮ଟି ସକ୍ରିୟ କେସ୍ ରହିଛି । ସେହିପରି ୬୧୬୪ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୪୭ଜଣ ପ୍ରାଣ ହରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.