ରାଜଧାନୀରେ ଇନଭେଷ୍ଟର୍ସ ଏଜୁକେସନ ଆଣ୍ଡ ପ୍ରୋଟେକ୍ସନ ଫଣ୍ଡ ଅଥରିଟି ପକ୍ଷରୁ ରାଜ୍ୟସ୍ତରୀୟ ସମ୍ମିଳନୀ : ଠକ କମ୍ପାନୀଙ୍କ ବିରୋଧରେ କମର କଷିଲା କମ୍ପାନୀ ବ୍ୟାପାର ମନ୍ତ୍ରଣାଳୟ

Published By : Prameya-News7 Bureau | September 10, 2019 IST

ଭୁବନେଶ୍ବର ୧୦/୯: ଇନଭେଷ୍ଟର୍ସ ଏଜୁକେସନ ଓ ପ୍ରୋଟେକ୍ସନ ଫଣ୍ଡ ଅଥରିଟି ପକ୍ଷରୁ ରାଜଧାନୀରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସମ୍ମିଳନୀ । ଏଣିକି ଠକ ଅର୍ଥ ଲଗାଣକାରୀ ସଂସ୍ଥାରେ ଲୋକେ ନିଜର କଷ୍ଟ ଉପାର୍ଜିତ ଟଙ୍କା ବିନିଯୋଗ ନକରିବାକୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବ କମ୍ପାନୀ ବ୍ୟାପାର ମନ୍ତ୍ରଣାଳୟ । ଏଥି ସହ ଚିଟ୍ଫଣ୍ଡ, ବିଟ୍ କଏନ୍ କାରବାର, କମ୍ ଦିନରେ ଟଙ୍କା ଡବଲ କରିବାର ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ୍ କରିବାକୁ ଆହ୍ବାନ ଦିଆଯାଇଛି ।

{"id":155925}

କମ୍ ସମୟରେ ଦି ଗୁଣ ଟଙ୍କା ପାଇବାର ଲୋଭ, ଅନେକ କ୍ଷୁଦ୍ର ଜମାକାରୀଙ୍କୁ ତଳିତଳାନ୍ତ କରିଦେଇଛି । କୋଟି କୋଟି ଟଙ୍କା ଠକି ନେଇଛନ୍ତି ଚିଟ୍ଫଣ୍ଡ କମ୍ପାନୀ ସବୁ । ଏବେ ବି ରାଜ୍ୟରେ ଏଭଳି କିଛି କମ୍ପାନୀ ସକ୍ରିୟ ଥିବା କୁହାଯାଉଛି । ସେହିଭଳି ବିଟ୍ କଏନ୍ କାରବାର ମଧ୍ୟ ଅନେକ ଲୋକ ଲୁଟ୍ର ଶିକାର ହୋଇଛନ୍ତି । ଏବେ ସମୟ ଆସିଯାଇଛି, ଏସବୁକୁ ରୋକିବାକୁ ପଡ଼ିବ । ଜମାକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପଡ଼ିବ । ଏନେଇ ଏବେ କମର କଷିଛି କମ୍ପାନୀ ବ୍ୟାପାର ମନ୍ତ୍ରଣାଳୟ । ଇନଭେଷ୍ଟର୍ସ ଏଜୁକେସନ ଆଣ୍ଡ ପ୍ରୋଟେକ୍ସନ ଫଣ୍ଡ ଅଥରିଟି ତରଫରୁ ଭୁବନେଶ୍ବରରେ ଆୟୋଜିତ ରାଜ୍ୟସ୍ତରୀୟ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କମ୍ପାନୀ ବ୍ୟାପାର ମନ୍ତଣାଳୟ ସଚିବ ଆଇ. ଶ୍ରୀନିବାସ ।

{"id":155926}

ଏଣିକି ଦେଶବ୍ୟାପୀ ଅର୍ଥଲଗାଣକାରୀ ସଚେତନତା କ୍ୟାମ୍ପ କରାଯିବ । ନିବେଶକଙ୍କୁ ରିଅଲ ଟାଇମ୍ ଇନ୍ଫର୍ମେସନ ପ୍ରଦାନ କରାଯିବ । ଯେ କୌଣସି ପ୍ରଲୋଭନ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଇନ୍ଭେଷ୍ଟର୍ସ ଏଜୁକେସନ ଆଣ୍ଡ ପ୍ରୋଟେକ୍ସନ ଫଣ୍ଡ ଅଥରିଟି ସଦସ୍ୟ ତଥା ବରିଷ୍ଠ ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ଶେଖର ସାହୁ ।

{"id":155927}

ଏବେ ବି ଓଡ଼ିଶାର ଗ୍ରାମାଞ୍ଚଳରେ ଅନେକ ଚିଟ୍ଫଣ୍ଡ କମ୍ପାନୀ ସକ୍ରିୟ ଥିବା ମାନିଛନ୍ତି ମୁଖ୍ୟ ଶାସନ ସଚିବ । ଯେଉଁମାନେ ସାଧାରଣ ଗରିବ ଲୋକଙ୍କୁ ଅଧିକ ରିଟର୍ଣ୍ଣର ଲୋଭ ଦେଖାଉଛନ୍ତି । ରାଜ୍ୟରେ ଏଟିଏମ୍, ବ୍ୟାଙ୍କ ଠକେଇ, ଓଟିପି ସେୟାର, ବିଟ୍ କଏନ କାରବାର ଭଳି ଠକେଇ ବଢ଼ୁଛି । ଏଥି ଯୋଗୁଁ ହଜାର ହଜାର ଲୋକ କ୍ଷତିରେ ପଡ଼ୁଛନ୍ତି ।

{"id":155928}

ଏହି ରାଜ୍ୟସ୍ତରୀୟ ସମ୍ମିଳନୀରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟ କର୍ମକର୍ତ୍ତା, ଫିକି, ସିଆଇଆଇ ସହ ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଥିବା ସରପଞ୍ଚ, ଯୁବ ସ୍ବେଚ୍ଛାସେବୀ ଯୋଗଦେଇ ନିବେଶକଙ୍କ ସୁରକ୍ଷା ଉପରେ ଆଲୋଚନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.