ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଭୁଲିଗଲେ କେନ୍ଦ୍ର ସରକାର, ଆନୁଷ୍ଠାନିକ ଭାବେ ପ୍ରତିବାଦ କରିବେ ରାଜ୍ୟ ସରକାର

Published By : Prameya-News7 Bureau | July 08, 2019 IST

ଭୁବନେଶ୍ବର୮|୭: ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଭୁଲିଗଲେ କେନ୍ଦ୍ର ସରକାର । ଦେଶର ୧୭ ଆଇକନିକ୍ ସାଇଟରେ ଓଡ଼ିଶାର ଗୋଟିଏ ବି ସ୍ଥାନ ନାହିଁ । ଯାହାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି, ସରକାରୀ ସ୍ତରରେ ଏହାର ପ୍ରତିବାଦ ହେବ ।

{"id":131799}

ଉତ୍କର୍ଷ କଳାର ରାଜ୍ୟ ଉତ୍କଳ । ଏହାର ସୌନ୍ଦର୍ଯ୍ୟ ଖାଲି ଦେଶ କାହିଁକି, ସାରା ବିଶ୍ୱର ପର୍ଯ୍ୟଟକଙ୍କ ଲାଗି ଆକର୍ଷଣ ହୋଇଛି ।  କୋଣାର୍କର ସୂର୍ଯ୍ୟ ମନ୍ଦିର, ନୀଳାମ୍ବୁ ଚିଲିକା, ବିଶାଳ ସାମୁଦ୍ରିକ ବେଳାଭୂମି, ଧଉଳି ଗିରି, ଉଦୟଗିରି, ରତ୍ନଗିରି, ଭିତରକନିକା, ଶିମିଳିପାଳ, ଟିକରପଡ଼ା । ଗଣି ବସିଲେ ସରିବନି । ହେଲେ ଏ ସବୁ କିନ୍ତୁ କେନ୍ଦ୍ର ସରକାରଙ୍କ ଆଖିରେ ଆଇକନିକ୍ ସାଇଟ୍ ମାନ୍ୟତା ପାଇବାକୁ ଯୋଗ୍ୟ ହେଲାନି ।

{"id":131802}

ଭାରତ ସରକାରଙ୍କ ପକ୍ଷରୁ ଦେଶର ୧୭ଟି ପର୍ଯ୍ୟଟନ କ୍ଷେତ୍ରକୁ ଆଇକନ୍ ସାଇଟର ମାନ୍ୟତା ମିଳିଛି । ଏଥିରେ ଓଡ଼ିଶାର ଗୋଟିଏ ବି ସ୍ଥାନ ନାହିଁ । ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସରକାରୀ ସ୍ତରରେ ଏହାକୁ ପ୍ରତିବାଦ କରାଯିବ । କେନ୍ଦ୍ର ଏହି ତାଲିକାର ପୁନର୍ବିଚାର କରୁ ।

{"id":131800}

ଏହି ତାଲିକାରେ ୧୧ଟି ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳର ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇଛନ୍ତି । ଯେଉଁଥିରେ ତାଜମହଲ, ଲାଲ କିଲ୍ଲା, କୁତବମିନାର, ଫତେପୁର ସିକ୍ରି, ହୁମାୟୁନ୍ ଟମ୍ବ୍, ଗୋଆ ବେଳାଭୂମି, ସୋମନାଥ ମନ୍ଦିର, ମହବୋଧି, କାଜିରଙ୍ଗା ପ୍ରମୁଖ ସ୍ଥାନ ପାଇଛନ୍ତି । ପର୍ଯ୍ୟଟନ କ୍ଷେତ୍ରର ବିକାଶ ଭାବେ କେନ୍ଦ୍ର ସରକାର ଏହି ସବୁ ସ୍ଥାନ ଲାଗି ଅଧିକ ବ୍ୟୟ କରିବେ । ହେଲେ ଓଡ଼ିଶାର କୌଣସି ସ୍ଥାନ ଏଥିରେ ସାମିଲ ନେହେବା ରାଜ୍ୟବାସୀଙ୍କୁ ନିରାଶ କରିଛି ।  

{"id":131803}

ସେପଟେ କେନ୍ଦ୍ର ଏଭଳି ମନୋଭାବକୁ ନେଇ ରାଜ୍ୟ ବିଜେପି ନେତା ଭିନ୍ନ ଭିନ୍ନ ମତ ରଖିଛନ୍ତି । ଦଳର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଅବହେଳାକୁ ସ୍ୱୀକାର କରିବା ସହ ରାଜ୍ୟର ୨ କେନ୍ଦ୍ର ମନ୍ତ୍ରୀ ଏହାର ପ୍ରତିବାଦ କରିବେ କହିଛନ୍ତି । କିନ୍ତୁ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ଅନେକ ଯୋଜନାରେ ରାଜ୍ୟ ପର୍ଯ୍ୟଟନକୁ ଆସୁଥିବା କେନ୍ଦ୍ର ଅର୍ଥକୁ ଖର୍ଚ୍ଚ କରାଯାଇପାରୁ ନାହିଁ । ତେଣୁ ଅବହେଳା କଥା ଯୁକ୍ତିଯୁକ୍ତି ନୁହେଁ ।

{"id":131801}

ରାଜ୍ୟର ଐତିହ୍ୟ ସ୍ଥଳ ଗୁଡ଼ିକର ରକ୍ଷଣାବେକ୍ଷଣରେ ଅବହେଳା ପାଇଁ ବାରମ୍ବାର ଏଏସଆଇକୁ ଆକ୍ଷେପ କରାଯାଉଛି। ଏଏସଆଇ ଏଥିରେ ଟାଳଟୁଳ ନୀତି ରଖୁଥିବା ଅଭିଯୋଗ ହୋଇଛି। ଗୋଟିଏ ପଟେ  ଫୋନି ଯୋଗୁଁ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ଅତ୍ୟନ୍ତ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ କେନ୍ଦ୍ରର ଅବିଚାରକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

{"id":131804}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.