Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନୃସିଂହ ଚତୁର୍ଦ୍ଦଶୀରେ ହୋଇପାରିଲାନି ରଥଗୁଜ ଅନୁକୂଳ : କେନ୍ଦ୍ରର ଅନୁମତି ଲୋଡିଲେ ରାଜ୍ୟ ସରକାର, ବିରୋଧୀ କହିଲେ ତୁରନ୍ତ ନିଷ୍ପତ୍ତି ନିଅ

6/05/2020 at 6:12 PM

ପୁରୀ ୦୬/୦୫ : ରଥଯାତ୍ରାକୁ ନେଇ ଲାଗି ରହିଛି ଅନିଶ୍ଚିତତା । ଶ୍ରୀମନ୍ଦିର ପରିଚାଳନା କମିଟି ରଥନିର୍ମାଣ ପାଇଁ ସୁପାରିଶ କରିବା ଓ ବିଶ୍ବ କର୍ମାମାନେ ରଥନିର୍ମାଣ ପାଇଁ ସହମତି ଦେବା ପରେ କାମ କିନ୍ତୁ ଆରମ୍ଭ ହୋଇ ପାରିନି । ବୁଧବାର ନୃସିଂହ ଚତୁର୍ଦ୍ଦଶୀରେ ରଥଗୁଜ ଅନୁକୂଳ ହେବା କଥା କିନ୍ତୁ କାମ ହେବ କି ନାହିଁ ତାହା ନିଷ୍ପତ୍ତି ହୋଇନି । ସେପଟେ ଲକଡାଉନ ସମୟର ରଥ ନିର୍ମାଣ  କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁମତି ମାଗିଛନ୍ତି ରାଜ୍ୟ ସରକାର । ଆଉ ଏପଟେ ବିରୋଧୀ କହିଛନ୍ତି ସରକାର ଯାହା ନିଷ୍ପତ୍ତି ନେବା କଥା ତୁରନ୍ତ ନିଅନ୍ତୁ ।…..

ରଥ ନିର୍ମାଣ ନେଇ ଦୂର ହେଉନି ଅନିଶ୍ଚିତତା।  ପରମ୍ପରା ଅନୁସାରେ ନୃସିଂହ ଚତୁର୍ଦ୍ଦଶୀରେ ରଥର କୋଣଗୁଜ ଅନୁକୂଳ ଆରମ୍ଭ ହେବା କଥା। କିନ୍ତୁ ଅକ୍ଷୟ ତୃତୀୟା  ଯିବା ୧୦ ଦିନ ପରେ ବି ରଥ ତିଆରି ଆରମ୍ଭ ହୋଇନି । ଠିକଣା ସମୟରେ ରଥ କାମ ଆରମ୍ଭ ନ ହେଲେ ଠିକ ସମୟରେ କାମ ସାରିବ ସହଜ ହେବ ନି ବୋଲି  ମୁଖ୍ୟ ବିଶ୍ବକର୍ମା ମହାରଣା ଓ ରୂପକାର ସେବାୟତ କହିଛନ୍ତି । ସେପଟେ ରଥ ଲାଗି ଆବଶ୍ୟକ ସମୁଦାୟ ୮୬୫ ଖଣ୍ଡ କାଠ ମଧ୍ୟରୁ ୧୧ ଟି ପର୍ଯ୍ୟାୟରେ ୩୧୫ ଖଣ୍ଡ କାଠ ରଥ ଖଳାରେ ପହଁଚି ସାରିଛି। ଲକଡ଼ାଉନ୍ କଟକଣା ଯୋଗୁ  ଶ୍ରୀମନ୍ଦିର ବେଢା ଭିତରେ ରଥନିର୍ମାଣର ଅନୁକୂଳ ହୋଇସାରିଛି ସିନା କିନ୍ତୁ ରଥଖଳାରେ ନିର୍ମାଣ ଆରମ୍ଭ ହୋଇପାରିନି।

ରଥ ଖଳାରେ ରଥ କାମ କରିବାକୁ ଅନୁମତି ଲାଗି ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କୁ ଅନୁମତି ମାଗିଛନ୍ତି । ଏ ହେଉଛି ସରକାରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଲେଖିଥିବା ଚିଠି । ସେପଟେ ରାଜ୍ୟ ସରକାର ଏହି ପ୍ରସଙ୍ଗରେ କେନ୍ଦ୍ର କୋର୍ଟକୁ ବଲ ଛାଡିଛନ୍ତି । ଲକଡାଉନ ସମୟରେ ରଥ କାମ କରିବାକୁ ଅନୁମତି ଲାଗି କେନ୍ଦ୍ରକୁ ଚିଠି ଲେଖିଥିବା ସୂଚନା ମିଳିଛି । ସେପଟେ ତୁରନ୍ତ ନିଷ୍ପତ୍ତି ନେବା ସପକ୍ଷରେ ମତ ଦେଇଛି କଂଗ୍ରେସ ।ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି ରଥ ଯାତ୍ରାରେ କେନ୍ଦ୍ରର ବିଶେଷ କିଛି ଭୂମିକା ନାହିଁ । ରାଜ୍ୟ ସରକାର ନିଷ୍ପତ୍ତି ନିଅନ୍ତୁ।

ରଥ ନିର୍ମାଣ ସହ ଯୋଡି ହୋଇ ରହିଛି ଅନେକ ନୀତି କାନ୍ତି । ଆଉ  ଯଦି ରଥ ନିର୍ମାଣ କାମ ଠିକ ସମୟରେ ଆରମ୍ଭ ନ ହୁଏ ନିତିକାନ୍ତି ହୋଇପାରିବ ନାହିଁ । ଏବେ ଅପେକ୍ଷା ସରକାର କି ନିଷ୍ପତ୍ତି ଶୁଣାଉଛନ୍ତି । ପୁରୀରୁ ଚିତ୍ତରଞ୍ଜନ ମହାନ୍ତି ଓ ଭୁବନେଶ୍ବରରୁ ପ୍ରଶାନ୍ତ ସ୍ବାଇଁଙ୍କ ରିପୋର୍ଟ ନ୍ୟିଜ୍7 ।

   Related Posts