ରାଜ୍ୟ କଂଗ୍ରେସ ଦୁଇଫାଳ ! ଜୋର ଧରିଛି ନିରଞ୍ଜନ ହଟାଅ ଦାବି
6/11/2019 at 8:54 PM

ଭୁବନେଶ୍ୱର ୦୬।୧୧ -କଂଗ୍ରେସର ନିରଞ୍ଜନ ହଟାଅ ଗୋଷ୍ଠୀ ଆଜି ପୁଣି ଏକାଠି ହେବେ । ବରିଷ୍ଠ ନେତା କାହ୍ନୁ ଲେଙ୍କାଙ୍କ ବାସଭବନରେ ଏକାଠି ହେବେ ବୋଲି ଜଣାପଡିଛି । ୧୦ ତାରିଖରେ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ହେମାନନ୍ଦ ବିଶ୍ବାଳ ସମ୍ମତି ଦେଇଥିବା ବେଳେ ଏବେ କାହ୍ନୁ ଲେଙ୍କାଙ୍କୁ ସାଥିରେ ନେବାକୁ ପ୍ରୟାସ କରାଯାଉଛି ।

ଯାହା ସୂଚନା ରହିଛି ଯେ, ପିସିସିର ନବକଳେବର ଦାବିରେ କାହ୍ନୁ ମଧ୍ୟ ସୋନିଆଙ୍କୁ ଭେଟିବାକୁ ରାଜି ହୋଇଛନ୍ତି । କଂଗ୍ରେସର ପୁରା ସ୍ଥିତି ଦେଖିଲେ ଲାଗୁଛି ମୋକିମ୍ଙ୍କୁ ସଭାପତି କରିବା ଦାବିରେ ଗୋଟିଏ ଗୋଷ୍ଠୀ ଛିଡା ହୋଇଥିବା ବେଳେ ତାଙ୍କୁ ହେମାନନ୍ଦ ଏବଂ କାହ୍ନୁ ଲେଙ୍କାଙ୍କ ସମର୍ଥନ ମିଳିବାରେ ଲାଗିଛି ।

ଅନ୍ୟ ପକ୍ଷରେ ନିରଞ୍ଜନ ସଭାପତି ପଦ ବଜାୟ ରଖନ୍ତୁ ବୋଲି ବିଧାୟକ ତାରା ବାହିନୀ ପ୍ରମୁଖ ଚାହୁଁଛନ୍ତି । ସେହିଭଳି ଶରତ ରାଉତ, ଜୟଦେବ ଜେନା ଭଳି ନେତା ପ୍ରଚ୍ଛଦପଟରେ ଥାଇ ଗୋଟି ଚଳାଉଛନ୍ତି ।

ସୁର ରାଉତରାୟଙ୍କ ଭଳି ନେତା ନା ନିରଞ୍ଜନଙ୍କ ସପକ୍ଷରେ ଯାଉଛନ୍ତି ନାଁ ବିପେକ୍ଷରେ । ଏଥିରୁ ଅନୁମାନ କରିହେଉଛି ଯେ, କଂଗ୍ରେସ ବର୍ତ୍ତମାନ ଦୁଇ ଫାଳ ହୋଇଯାଇଛି ।