ଚାକିରୀରୁ ବିଦା ହେଲେ କୋଟିପତି ପିଏସ୍‌, ସରକାର ଦେଲେ ବାଧ୍ୟତାମୂଳକ ଅବସର

Published By : Prameya-News7 Bureau | August 02, 2021 IST

ଭୁବନେଶ୍ୱର, ୦୨।୦୮: ଭିଜିଲାନ୍ସ ଚଢ଼ାଉରେ ଧରାପଡ଼ିଥିବା ଷ୍ଟାଫ ସିଲେକସନ କମିସନଙ୍କ ବ୍ୟକ୍ତିଗତ ସଚିବ କୋଟିପତି ବିରଞ୍ଚି ସାହୁଙ୍କୁ ଚାକିରୀରୁ ବିଦା କରିଛନ୍ତି ରାଜ୍ୟ ସରକାର । ତାଙ୍କୁ ବାଧ୍ୟତା ମୂଳକ ଅବସର ଦିଆଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ ବିରଞ୍ଚି । ଏଥି ସହିତ ତାଙ୍କର ପୁରୁଣା ଫାଇଲ ଦରାଣ୍ଡିବା ଆରମ୍ଭ କରିଦେଇଛି ଭିଜିଲାନ୍ସ ବିଭାଗ । ତାଙ୍କ ଆଲମିରାରୁ ମିଳିଥିବା ଛାତ୍ରଛାତ୍ରୀଙ୍କ ଆଇ କାର୍ଡ ଗୁଡିକର ଠିକଣା ଯୋଗାଡ କରୁଛି ଭିଜିଲାନ୍ସ । ଏଥି  ସହିତ ଏହି ଛାତ୍ରଛାତ୍ରୀ ମାନେ ଏବେ ଚାକିରୀ କରିସାରିଛନ୍ତି ନା ଚାକିରୀ ପାଇବାକୁ ଅପେକ୍ଷାରେ ଅଛନ୍ତି ତାର ମଧ୍ୟ ଚାଲିଛି ଛାନଭିନ ।

ବିରଞ୍ଚିଙ୍କ ସାହୁଙ୍କ ଶାଳକ ଆଉ ପତ୍ନୀ କୁଆଡେ ଗଲେ ସେ ନେଇ ଖୋଜୁଛି ଭିଜିଲାନ୍ସ ଟିମ୍‌ । ବିରଞ୍ଚି କରୁଥିବା ଦୁର୍ନୀତିରେ ଏମାନଙ୍କର କେତେ ସହଭାଗିତା ରହିଛି । ଏହି ଦୁଇ ଭାଇ ଭଉଣୀଙ୍କ ଆକାଉଣ୍ଟକୁ କେତେ ଟଙ୍କା କାହା ଆକାଉଣ୍ଟରୁ ଆସିଛି ତାର ସମସ୍ତ ତଥ୍ୟ ଖୋଜିବା ଆରମ୍ଭ କରିଦେଇଛି ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ଟିମ ।  ଅନ୍ୟପଟେ ବିରଞ୍ଚିଙ୍କ ଘରୁ ମିଳିଥିବା ପାସବୁକ, ଏଲଆଇସି ବଣ୍ଡ, ଅନ୍ୟାନ୍ୟ ଡିପୋଜିଟ ସମ୍ପର୍କରେ ଖୋଳତାଡ ଆରମ୍ଭ କରିଦେଇଛି ଭିଜିଲାନ୍ସ । ଶନିବାର ବିରଞ୍ଚିକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ବେଳେ ତାଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିବ ଭିଜିଲାନ୍ସ । କେଉଁକେଉଁ ମାନେ ବିରଞ୍ଚିଙ୍କ ଦ୍ବାରା ଚାକିରି ପାଇବାକୁ ଅର୍ଥ ଦେଇଛନ୍ତି । ସେମାନଙ୍କ ସମ୍ପର୍କରେ ମଧ୍ୟ ଖୋଳତାଡ ଆରମ୍ଭ କରିଛି ଭିଜିଲାନ୍ସ

ସେପଟେ ସରକାରୀ ଚାକିରି ଆଶାୟୀଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ଷ୍ଟାଫ ସିଲେକସନ୍‌ କମିଶନଙ୍କ ବ୍ୟକ୍ତିଗତ ସଚିବଙ୍କ ସହିତ ଆଉ କାହାର କାହାର ହାତ ରହିଛି ତାର ଖୁଲାସା କରିବାକୁ ରାଜ ରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ ।  ବିଚାର ବିଭାଗୀୟ ତଦନ୍ତ କରିବାକୁ ମଧ୍ୟ ଦାବି କରିଛି ଛାତ୍ର କଂଗ୍ରେସ । ଏପରିକି କିଛି ଆଶାୟୀ ଚାକିରି ପାଇବା ଆଶାରେ ବିରଞ୍ଚିଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ ଡିଲ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଆସନ୍ତାକାଲି ବିଜେପି ଷ୍ଟାଫ ସିଲେକସନ କମିସନଙ୍କ ଅଫିସ ଘେରିବାକୁ ସଜବାଜ ହେଉଛି । ସେପଟେ ବିରଞ୍ଚିଙ୍କ ପକ୍ଷରୁ ଉପର କୋର୍ଟରେ ଜାମିନ ପାଇଁ ଆବେଦନ କରାଯିବ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.