‘ଅମ୍ଫାନ୍’ କ୍ଷତି ସୁଧାରିବାକୁ ଦିଅ ୧୬,୨୩୫କୋଟି ଟଙ୍କା : ସ୍ୱରାଷ୍ଟ୍ର ମନ୍ତ୍ରାଳୟରେ ସ୍ମାରକପତ୍ର ଦାଖଲ କଲେ SRC

Published By : Prameya-News7 Bureau | June 22, 2020 IST

ଭୁବନେଶ୍ୱର ୨୨।୦୬ : ମହାବାତ୍ୟା ‘ଅମ୍ଫାନ୍’ ଓଡ଼ିଶାର ବହୁଳ କ୍ଷତି କରିଛି । ଭିତ୍ତିଭୂମି ପୁନଃନିର୍ମାଣ ସହ ଥଇଥାନ ପାଇଁ ଆମକୁ ୧୬ ହଜାର ୨୩୫ କୋଟି ଦିଅ । କେନ୍ଦ୍ରକୁ ସ୍ମାରକପତ୍ର ଦେଇ ଏ ଦାବି ରଖିଛି ଓଡ଼ିଶା । ରାଜ୍ୟ ବାରମ୍ବାର ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ଶିକାର ହେଉଥିବାରୁ ଦୀର୍ଘମିଆଦି ଭିତ୍ତିରେ ବାତ୍ୟା ପ୍ରତିରୋଧକ ଭିତ୍ତିଭୂମି ନିର୍ମାଣ,କଚ୍ଚାଘରକୁ ପକ୍କା କରିବା ଓ ସମୁଦ୍ର ତଟବର୍ତ୍ତୀ ନଦୀବନ୍ଧଗୁଡ଼ିକର ସୁଦୃଢ଼ୀକରଣ କରିବାକୁ ରାଜ୍ୟ ପ୍ରସ୍ତାବ ଦେଇଛି। ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏ ସଂପର୍କିତ ସ୍ମାରକପତ୍ର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ନିକଟରେ ଦାଖଲ କରିଛନ୍ତି ।

{"id":289646,"sizeSlug":"large"}

ରାଜ୍ୟ ସରକାର ସ୍ମାରକପତ୍ରରେ ଦର୍ଶାଇଛନ୍ତି, ବିଜୁଳିର ସ୍ଥାୟୀ ଭିତ୍ତିଭୂମି ପାଇଁ ୧୧,୧୧୪ କୋଟି ଆବଶ୍ୟକ । କ୍ଷତିଗ୍ରସ୍ତ ୧ ଲକ୍ଷ ୬୬ ହଜାର କଚ୍ଚାଘରକୁ ପକ୍କା କରିବାକୁ ୪୫୦୦ କୋଟି, ସମୁଦ୍ର ନିକଟରେ ଥିବା ନଦୀବନ୍ଧର ସୁଦୃଢ଼ୀକରଣ ପାଇଁ ୭୬୭ କୋଟି ଆବଶ୍ୟକ। ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ପାଇଁ ୨୦୨ କୋଟି ମାଗିଛନ୍ତି ସରକାର। ବହୁଳ ପ୍ରଭାବିତ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଏ ଅର୍ଥ ଖର୍ଚ୍ଚ କରାଯିବ ।

{"id":289647,"sizeSlug":"large"}

ଉଲ୍ଳେଖଯୋଗ୍ୟ, ଗତ ମେ ୨୦ରେ ମହାବାତ୍ୟା ‘ଅମ୍ଫାନ୍’ରେ ଓଡ଼ିଶାର ୪ ଜିଲ୍ଲା ବେଶି କ୍ଷତି ସହିଥିଲା । ‘ଅମ୍ଫାନ୍’ବାତ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଆକାଶମାର୍ଗରୁ ବାତ୍ୟାଞ୍ଚଳର କ୍ଷତି ଅନୁଧ୍ୟାନ କରିବା ସହ ୫ ଶହ କୋଟିର ତତ୍କାଳ ସହାୟତା ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ଘୋଷଣା କରିବାର ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଏନ୍‌ଡିଆରଏଫରୁ ୫ ଶହ କୋଟି ରାଜ୍ୟକୁ ପ୍ରଦାନ କରିଥିଲେ। ଗତ ୩ ତାରିଖ ସନ୍ଧ୍ୟାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ସଚିବ ଶ୍ରୀ ପ୍ରକାଶଙ୍କ ନେତୃତ୍ୱରେ ୭ ଜଣିଆ କେନ୍ଦ୍ରୀୟ ଦଳ ଭୁବନେଶ୍ୱରରେ ପହଞ୍ଚି ବାତ୍ୟାଞ୍ଚଳ ପରିଦର୍ଶନ କରିବା ପରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ। ଏ ସମୟରେ ରାଜ୍ୟ ସରକାର ପ୍ରାଥମିକ ଆକଳନ ଅନୁସାରେ ୨୦ ହଜାର କୋଟିର ଦାବି ରଖିଥିଲେ।

{"id":289648,"sizeSlug":"large"}

ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନାକୁ ଅଧିକ ଦକ୍ଷ କରିବାକୁ ଭିତ୍ତିଭୂମିର ଆଧୁନିକୀକରଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଏଥିପାଇଁ ୧୦୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଓସଡମା କାର୍ଯ୍ୟକାରୀ କମିଟି ଏ ପ୍ରସ୍ତାବକୁ ମଞ୍ଜୁରୀ ମଧ୍ୟ ଦେଇଛି। କମିଟିର ନିଷ୍ପତ୍ତି ଅନୁସାରେ ଅଗ୍ନିଶମ ବାହିନୀ ପାଇଁ ୩୯ କୋଟି ୮୫ ଲକ୍ଷ ଟଙ୍କାରେ ଆଧୁନିକ ଯନ୍ତ୍ରପାତି କିଣାଯିବ। ଓଡ୍ରାଫ୍‌ ଟିମକୁ ବଳୁଆ କରିବାକୁ ୬୫.୩୫ କୋଟିର ବ୍ୟୟ ଅଟକଳ କରାଯାଇଛି । ନୂଆକରି ଗଠନ ହୋଇଥିବା ୧୦ ଓଡ୍ରାଫ ଟିମର ଅଫିସ କୋଠା ନିର୍ମାଣରେ ୩୪ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଛଡ଼ା ବର୍ଷା ସମୟରେ ସହରାଞ୍ଚଳରେ ଡ୍ରେନ ପାଣି ନିଷ୍କାସନ ବଡ଼ ସମସ୍ୟା ଭାବେ ଛିଡ଼ା ହେଉଛି। ଏ ବନ୍ୟାଜଳ ନିଷ୍କାସନ ପାଇଁ ନୂଆ ଜ୍ଞାନକୌଶଳ ସହ ମେସିନ ବ୍ୟବହାର କରିବାକୁ ଓସଡମା ନିଷ୍ପତ୍ତି ନେଇଛି । ବିପର୍ଯ୍ୟୟ ପରିଚାଳନା ତାଲିମ କେନ୍ଦ୍ର ପାଇଁ ଆଧୁନିକ ଯନ୍ତ୍ରପାତି କିଣାଯିବା ସହ ୨୩ ଜିଲ୍ଲାରେ ଥିବା ୭୯୫ ବାତ୍ୟା ଆଶ୍ରୟସ୍ଥଳୀ ମରାମତି ପାଇଁ ମଧ୍ୟ ଅଲଗା ୪୫ କୋଟି ମଧ୍ୟ ଅନୁମୋଦନ ହୋଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.