ରାଜ୍ୟରେ ବିଗୁଡୁଛି କରୋନା ସ୍ଥିତି, କୋଭିଡ୍ ମୁକାବିଲା ପାଇଁ ଆଉ ୩ IASଙ୍କୁ ଦାୟିତ୍ଵ

Published By : Prameya-News7 Bureau | July 10, 2020 IST

ଭୁବନେଶ୍ଵର ୧୦।୦୭: ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। କିଛି ସପ୍ତାହ ତଳେ ଯେଉଁଠି ରାଜ୍ୟରେ ଗୋଟିଏ ଦୁଇଟି ସଂକ୍ରମିତ ଚିହ୍ନଟ ହେଉଥିଲେ, ଏବେ ଦୈନିକ ଶହ ଶହ ସଂଖ୍ୟାରେ ନୂତନ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଟପିଲାଣି। ବର୍ଦ୍ଧିତ ରୋଗୀଙ୍କ ସଂଖ୍ୟା ସରକାରଙ୍କୁ ଚିନ୍ତାରେ ପକାଇଛି। ଏହି କ୍ରମରେ କୋଭିଡ୍ ମୁକାବିଲା ପାଇଁ ଆଉ ୩ ଜଣ ଆଇଏଏସଙ୍କୁ ଦାୟିତ୍ଵ ଦେଇଛନ୍ତି ରାଜ୍ୟ ସରକାର। ଅରବିନ୍ଦ ଅଗ୍ରଓ୍ଵାଲ, ଲିଙ୍ଗରାଜ ପଣ୍ଡା ଓ ଭୂପିନ୍ଦର ପୂନିଆଙ୍କୁ ଏହି ଦାୟିତ୍ଵ ଦିଆଯାଇଛି।

ସାମାଜିକ କଲ୍ୟାଣ ଓ ମହିଳା ଏବଂ ଶିଶୁ ବିକ୍ୟାଶ ବିଭାଗର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରଓ୍ଵାଲ ଓ ଆଦର୍ଶ ବିଦ୍ୟାଳୟ ସଂଗଠନର ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ଅତିରିକ୍ତ ଦାୟିତ୍ଵରେ  ରହି ସ୍ଵାସ୍ଥ୍ୟ ବିଭାଗକୁ କୋଭିଡ୍-୧୯ ପରିଚାଳନାରେ ସହଯୋଗ କରିବେ। ସେହି ପରି ଓପେପା ଓ ସିଏଚଏସଇର ନିର୍ଦ୍ଦେଶକ ଭୁପିନ୍ଦର ସିଂହ ପୁନିଆଙ୍କୁ କୋଭିଡ ପରିଚାଳନା ପାଇଁ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଏବଂ ସମନ୍ଵୟ ରକ୍ଷା କରିବା ଦାୟିତ୍ଵ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

{"id":298807,"sizeSlug":"large"}

ଉଲ୍ଲେଖନୀୟ, ଆଜି ରାଜ୍ୟରେ ରେକର୍ଡ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରେକର୍ଡ ସଂଖ୍ୟାରେ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଗୋଟିଏ ଦିନରେ ରେକର୍ଡ ୭୫୫ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୧୯୫୬ ହୋଇଛି ଏବଂ ସଂକ୍ରମିତ ମୃତକଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି। ଆଶ୍ଵସ୍ତିକର କଥା ଅଦ୍ୟାବଧି ୭୯୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.