ପ୍ରଥମେ ଥଇଥାନ ତାପରେ SCBର ନବକଳେବର, କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ପ୍ୟାକେଜ

Published By : Prameya-News7 Bureau | January 25, 2020 IST

କଟକ ୨୫।୦୧: କଟକ ଏସସିବି ମେଡିକାଲର ନବକଳେବର ନିର୍ମାଣ ପୂର୍ବରୁ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରତ୍ୟେକ କ୍ଷତିଗ୍ରସ୍ତ ପରିବାରଙ୍କୁ ୧ଲକ୍ଷ ଟଙ୍କା କ୍ଷତିପୂରଣ ସହ ଥଇଥାନ ପାଇଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହ ଅନଧିକୃତ ଦୋକାନ ଗୃହ, ଧାର୍ମିକ ଅନୁଷ୍ଠାନ ଓ କ୍ଲବ, କ୍ବାଟର୍ସ ଖାଲି କରିବାକୁ ଥିବା ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟ କ୍ଷତିପୂରଣ ଘୋଷଣା କରାଯାଇଛି ।

{"id":215934,"sizeSlug":"large"}

ବିଶ୍ବସ୍ତରୀୟ ହେବ କଟକ ଏସସିବି ମେଡିକାଲ । ଏସସିବିର ନବକଳେବର ଓ ସମ୍ପ୍ରସାରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୫ଏକର ଜମି ଅଧିଗ୍ରହଣ କରାଯିବ । ଏଥି ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା ପରିବାର ଲାଗି କ୍ଷତିପୂରଣ ସହ ଥଇଥାନ ପାଇଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତ୍ୟେକ କ୍ଷତିଗ୍ରସ୍ତ ପରିବାରଙ୍କୁ ୧ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । ୨ଟି କିସ୍ତିରେ ଏହି ଟଙ୍କା ପାଇବେ କ୍ଷତିଗ୍ରସ୍ତ । ସେମାନଙ୍କୁ ପ୍ରଥମେ ୫୦ହଜାର ଏବଂ ଜାଗା ଖାଲି କରିବା ପରେ ଆଉ ୫୦ହଜାର ଟଙ୍କା ଦିଆଯିବ । ସେହିଭଳି ଅନଧିକୃତ ଦୋକାନଗୃହ ପାଇଁ ଏକକାଳୀନ ୩୦ହଜାର ଟଙ୍କା । ଉଠାଦୋକାନୀଙ୍କୁ ଏକକାଳୀନ ୨୦ହଜାର ଟଙ୍କା କ୍ଷତିପୂରଣ ପାଇବେ । ଗାଈ ଗୁହାଳ ସ୍ଥାନାନ୍ତର ପାଇଁ ଏକାଥରକେ ୨୦ହଜାର ଟଙ୍କା ପ୍ରଦାନ କରାଯିବ । ତେବେ କ୍ଷତିଗ୍ରସ୍ତଙ୍କ ଭିତରେ ଆସୁଥିବା ଧାର୍ମିକ ଅନୁଷ୍ଠାନ ଓ କ୍ଲବ ପାଇଁ ୧ଲକ୍ଷ ଟଙ୍କା ଲେଖାଏଁ ସହାୟତାଘୋଷଣା କରିଛନ୍ତି ସରକାର । ରାଜ୍ୟ ସରକାରଙ୍କ ଏଭଳି ଘୋଷଣାକୁ ବିସ୍ଥାପିତ ହେବାକୁ ଥିବା ଲୋକମାନେ ସ୍ବାଗତ କରିଛନ୍ତି ।

{"id":215928,"sizeSlug":"large"}

ଏସସିବି ମେଡିକାଲ ସମ୍ପ୍ରସାରଣ ପାଇଁ ଆଖପାଖରେ ଥିବା ସରକାରୀ କ୍ବାର୍ଟର୍ସ ଗୁଡ଼ିକୁ ମଧ୍ୟ ଭଙ୍ଗାଯିବ । ତେଣୁ ସରକାରୀ କ୍ବାର୍ଟର୍ସ ଖାଲି କରୁଥିବା କର୍ମଚାରୀଙ୍କୁ ମଧ୍ୟ ସହାୟତା ମିଳିବ  । ନୂଆ କ୍ବାର୍ଟର୍ସ ମିଳିବା ଯାଏଁ ସରକାରୀ କର୍ମଚାରୀଙ୍କ ଘରଭଡ଼ା ବହନ କରିବେ ସରକାର । ଏହି ସହାୟତା ୧୨ମାସ ପର୍ଯ୍ୟନ୍ତ କିମ୍ବା ନୂଆ କ୍ବାର୍ଟର୍ସ ମିଳିବା ଯାଏ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ତେବେ ଘର ଛାଡ଼ିବାକୁ ଥିବା କ୍ଷତିଗ୍ରସ୍ତଙ୍କ ପାଇଁ କଟକ ଜିଲ୍ଲା ପ୍ରଶାସନ କିମ୍ବା ସିଏମସି ଦ୍ବାରା ସ୍ଥିରିକୃତ ସ୍ଥାନମାନଙ୍କରେ ୧୫/୧୫ ଫୁଟ୍‌ ପ୍ଲଟରେ ଅସ୍ଥାୟୀ ଭାବେ ନିଜ ଖର୍ଚ୍ଚରେ ଘର ନିର୍ମାଣ ପାଇଁ ଲାଇସେନ୍ସ ଦିଆଯିବ । ଅସ୍ଥାୟୀ ଆବାସସ୍ଥଳୀରେ ୮ଦିନ ଯାଏଁ ଖାଦ୍ୟ ଯୋଗାଇ ଦିଆଯିବ ।

{"id":215930,"sizeSlug":"large"}

ସେହିଭଳି ସ୍ଥାନାନ୍ତର ହେବାକୁ ଥିବା ଲୋକମାନଙ୍କୁ ସିଏମସି ତରଫରୁ ପରିବହନ ବ୍ୟବସ୍ଥା କରାଯିବ । ସ୍ଥାୟୀ ଦୋକାନଗୃହ ଗୁଡ଼ିକର ସିକ୍ୟୁରିଟି ଅର୍ଥକୁ ସଂପୃକ୍ତ ଦୋକାନୀଙ୍କୁ ଫେରାଇବ ସିଏମ୍‌ସି । ଏଥିସହ କ୍ଷତିଗ୍ରସ୍ତ ବ୍ୟବସାୟୀମାନଙ୍କୁ ଭେଣ୍ଡିଂଜୋନ୍‌ କରଯାଇ ଅଗ୍ରାଧିକାର ଭିତ୍ତିରେ ଥଇଥାନ କରାଯିବ । ସମସ୍ତ ପ୍ରକାର ଥଇଥାନ ଓ ପୁନର୍ବାସ କାର୍ଯ୍ୟକୁ ଜିଲ୍ଲାପାଳ ସମ୍ପାଦନ କରିବା ଲାଗି ନିର୍ଦ୍ଦେଶ ହୋଇଛି । ଏସସିବି ମେଡିକାଲକୁ ବିଶ୍ବସ୍ତରୀୟ କରିବାକୁ ଯୋଜନା କରିଥିବା ରାଜ୍ୟ ସରକାର ଏଥି ପାଇଁ କ୍ଷତିଗ୍ରସ୍ତ ହେବାକୁ ଥିବା ସବୁ ବର୍ଗଙ୍କ ପାଇଁ ଉପଯୁକ୍ତ କ୍ଷତିପୂରଣ ସହ ଥଇଥାନ ବ୍ୟବସ୍ଥା କରିବା ଏକ ବଡ଼ ପଦକ୍ଷେପ ବୋଲି କହିପାରିବ ।

{"id":215933,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.