Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ, ପ୍ରଦୀପ ଜେନା ହେଲେ ଏସଆରସି

30/08/2019 at 7:09 PM

ଭୁବନେଶ୍ୱର ୩୦।୮:  ରାଜ୍ୟ ସରକାର ଶୁକ୍ରବାର ବରିଷ୍ଠ ଆଇଏଏସ୍ ଅଫିସର ସ୍ତରରେ ପୁଣି ଅଦଳବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ପ୍ରଦୀପ ଜେନାଙ୍କୁ ଏସଆରସି ଭାବେ ନିଯୁକ୍ତ କରାଯାଇଛି । ଶ୍ରୀ ଜେନା ରିଲିଫ କମିଶନର ପଦବୀ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ।

ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ତଥା ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିବା ଡ. ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଶିଳ୍ପ ବିଭାଗର ପ୍ରମୁଖ ସଚିବ ତଥା ଏମଏସଏମଇ ଓ ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିବା ସଞ୍ଜୀବ ଚୋପ୍ରାଙ୍କୁ ଗୃହ ବିଭାଗର ପ୍ରମୁଖ ସଚିବ ସହ ସାଧାରଣ ପ୍ରଶାସନ ଓ ପେନସନ୍ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଛି। ତାଙ୍କଠାରୁ ଏମଏସଏମଇ ଓ ଓଡିଶା ଖଣି ନିଗମ ଦାୟିତ୍ୱ କାଢି ନିଆଯାଇଛି।

ଗ୍ରିଡକୋ ଏବଂ ଓପିଟିଏଲର ସିଏମଡି ତଥା ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିବା ହେମନ୍ତ ଶର୍ମାଙ୍କୁ ଶିଳ୍ପ ବିଭାଗର କମିଶନର ତଥା ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଏଥିସହିତ ତାଙ୍କୁ ଏମଏସଏମଇ ବିଭାଗର ଅତିରିକ୍ତ ଦାୟିତ୍ୱ ସହ ଇପିକଲର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବିକ୍ରିକର ଏବଂ ଜିଏସଟି କମିଶନର ତଥା ଏସଆରସି ବିଷ୍ଣୁପଦ ସେଠୀଙ୍କୁ ଶକ୍ତି ବିଭାଗର କମିଶନର ତଥା ସଚିବ ଭାବେ ବଦଳି କରାଯିବା ସହ ତାଙ୍କୁ ଓଏଚପିସିର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

ଏଏଣ୍ଡଏଫଇ ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗଙ୍କୁ ଗ୍ରିଡକୋ ଏବଂ ଓପିଟିସିଏଲର ସିଏମଡି ଏବଂ ଓସିପିଏଲର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଯୋଜନା ଓ ସମନ୍ୱୟ ବିଭାଗର ସ୍ୱତନ୍ତ୍ର ସଚିବ ଚିତ୍ରା ଅରୁମୁଗମଙ୍କୁ ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗର କମିଶନର ତଥା ସଚିବ ଭାବେ ବଦଳି କରାଯାଇଛି। ଜଳ ସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ବିଶାଲ ଗଗନଙ୍କୁ ବିଭାଗର କମିଶନର ତଥା ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସମାଜ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ତଥା ମହିଳା ବିକାଶ ସମବାୟ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ଅରବିନ୍ଦ ଅଗ୍ରୱାଲଙ୍କୁ ସାଧାରଣ ପ୍ରଶାସନ, ପେନସନ ଓ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

   Related Posts