ଓଡ଼ିଶାକୁ ଡବଲ ଭୟ: ଆକ୍ସନ ମୋଡ୍ରେ ରାଜ୍ୟ ସରକାର
28/01/2020 at 8:59 PM

ଭୁବନେଶ୍ବର୨୮/୧: ଓଡ଼ିଶାକୁ ଡବଲ ଭୟ । ଏଣେ ବାର୍ଡ flu ତେଣେ ଚାଇନା କରୋନା ବି ଡରଉଛି । ଦିନକୁ ଦିନ ଘାତକ ହେଲାଣି କରୋନା ଭାଇରସ । କରୋନା ଭାଇରସ ଯୋଗୁ ଚୀନରେ ଏବେ ସୁଦ୍ଧା ୧୦୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସାରା ବିଶ୍ବରେ ୪ ହଜାର ପାଞ୍ଚ ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏଣେ କୋରନା ମୁକାବିଲା ପାଇଁ ଆଜି ବସିଥିଲା ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ବୈଠକ।
କରୋନା ଭାଇରସର ମୁକାବିଲା ପାଇଁ ଓଡିଶାରେ ସତର୍କତା। ରାଜ୍ୟର ସମସ୍ତ ମେଡିକାଲର ସୁପରିଟେଣ୍ଡେଣ୍ଟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ହସ୍ପିଟାଲ ମ୍ୟାନେଜରଙ୍କୁ କରୋନା ଭାଇରସର ମୁକାବିଲା ନେଇ ସଚେତନ କରାଯାଇଛି । ଚାଇନାରୁ ଆସୁଥିବା ଲୋକଙ୍କୁ କିପରି ଯତ୍ନ ନିଆଯିବ, ଥଣ୍ଡା କି ଜ୍ବର ଲକ୍ଷଣ ଦେଖାଗଲେ କି ସତର୍କତା ଅବଲମ୍ବନ କରାଯିବ, ସେ ସଂପର୍କରେ କର୍ମଶାଳାରେ ଆଲୋଚନା ହୋଇଛି ।
କୋରନା ସନ୍ଦିଗ୍ଧ ରୋଗୀଙ୍କ ଚିକିତ୍ସା ପାଇଁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଓ କଟକ ଏସସିବିରେ ସ୍ବତନ୍ତ୍ର ବେଡ୍ ଆଉ ୱାର୍ଡ ବ୍ୟବସ୍ଥା କରାଯାଇଛି। ଏସସିବିରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି। ମେଡିସିନ, ପଲମ୍ୟୁନାରୀ ଓ ଆନାସ୍ଥାସେଆ ତିନି ବିଭାଗର ଡାକ୍ତରଙ୍କୁ ନେଇ ଏହି ଟିମ୍ ଗଠନ କରାଯାଇଛି । ୨୪ ଘଣ୍ଟିଆ ସେବା ଦେବା ପାଇଁ ଏହି ଟିମ୍ ପ୍ରସ୍ତୁତ ରହିବ। ଓଡ଼ିଶାର ଝାରସୁଗୁଡା ଜିଲାର ସର୍ବାଧିକ ଲୋକ ଚାଇନାରେ କାର୍ଯ୍ୟ କରୁଛନ୍ତି। ଝାରସୁଗୁଡାରେ ଥିବା ବିଭିନ୍ନ କମ୍ପାନୀ କର୍ମଚାରୀ ନିୟମିତ ଚୀନ ଯାଆନ୍ତି । ତେଣୁ ଝାରସୁଗୁଡ଼ା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି ।
ଭାରତରେ ଏବେ ସୁଦ୍ଧା କୌଣସି କରୋନା ପଜିଟିଭ କେସ୍ ଦେଖାଯାଇନାହିଁ। ତେବେ ସତର୍କ ରହିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି। କରୋନା ଭୁତାଣୁ ରକ୍ତ ନମୁନା ପରୀକ୍ଷଣ ପାଇଁ NIV ପୁନେ ସମେତ ଦେଶର ୨୦ଟି ଲ୍ୟାବ ଚିହ୍ନଟ କରାଯାଇଛି । ଏଥିରେ ଓଡ଼ିଶାର RMRC ବି ରହିଛି । କରୋନା ଯାଞ୍ଚ ପାଇଁ ପୂର୍ବରୁ ଦେଶର ୧୯ଟି ବିମାନବନ୍ଦର ଚିହ୍ନଟ ହୋଇଥିଲା। ରାଜ୍ୟ ସରକାରଙ୍କ ଅନୁରୋଧ ପରେ ଭୁବନେଶ୍ୱର ବିମାନବନ୍ଦର ବି ଏହି ତାଲିକାରେ ସାମିଲ ହୋଇଛି ।
କରୋନା ଭାଇରସର ଏପିସେଣ୍ଟର ଉହାନକୁ ସିଲ୍ କରିଦେଇଛି ଚୀନ୍ । ତେଣୁ ଉହାନର ହୁବେଇ ଅଞ୍ଚଳରେ ଫଶି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଭାରତୀୟ ବିଦେଶ ମନ୍ତ୍ରଣାଳୟ ଅଣ୍ଟା ଭିଡିଛି। ଏନେଇ ବେଜିଂ ସହିତ ଆଲୋଚନା ଚାଲିଛି ବୋଲି ସୂଚନା ଦେଇଛନ୍ତି ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର।