ଏବେ ରାତି କର୍ଫ୍ୟୁ କମିଲା, ୧୦ ଜିଲ୍ଲାରେ ୨ ଦିନିଆ ସଟଡାଉନ୍ ଜାରି ରହିଲା

Published By : Prameya-News7 Bureau | June 30, 2020 IST

ଭୁବନେଶ୍ୱର, ୩୦|୦୬:  ରାଜ୍ୟରେ ରାତ୍ରୀକାଳିନ କର୍ଫ୍ୟୁର ସମୟସୀମାକୁ ରାତି ୯ରୁ ସକାଳ ୫ଟା ଯାଏଁ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ।

ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଜୁଲାଇ ପହିଲାରୁ ରାତି ୯ଟାରୁ ସକାଳ ୫ଟା ଯାଏଁ ରାତ୍ରୀକାଳିନ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ସମସ୍ତ ଚଳପ୍ରଚଳ ବନ୍ଦ ରହିବ । କେବଳ ଜରୁରୀକାଳୀନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି ।

ଏହାସହ ରାଜ୍ୟର ୧୦ ଜିଲ୍ଲାରେ ପୂର୍ବପରି ଶନିବାର ଓ ରବିବାର ସଟଡାଉନ୍ ଜାରି ରହିବ । ଏହି ୧୦ ଜିଲ୍ଲା ହେଲା ଗଞ୍ଜାମ, ଗଜପତି, ଖୋର୍ଧା, କଟକ, ଜଗତସିଂପୁର, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡା ଓ କେନ୍ଦୁଝର ।

ସୋମବାର ଦେଶରେ ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ କେନ୍ଦ୍ର ସରକାର ଅନଲକ୍‌ ୨ ଘୋଷଣା କରିଥିଲେ। ଜୁଲାଇ ୩୧ ପର୍ଯ୍ୟନ୍ତ ଦେଶରେ ଅନଲକ୍‌-୨ ଜାରି ରହିବ। ଏହାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡ୍‌ ଲାଇନ୍ ଜାରି କରିଛନ୍ତି। କଣ୍ଟେନମେଣ୍ଟ ଜୋନ୍‌ରେ କଟକଣା ପୂର୍ବବତ୍ତ ଜାରି ରହିବ। ଏହି ସମୟରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ବୋଲି କେନ୍ଦ୍ର ସରକାର କହିଛନ୍ତି। କର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବା ସମ୍ବନ୍ଧିତ ଲୋକ, ଜରୁରୀକାଳୀନ ସେବା ଜାରି ରହିବ। ଏହା ସହିତ ଜାତୀୟ ମାର୍ଗରେ ମାଲବାହୀ ଗାଡି ଯିବା ଆସିବା କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.