୩୦୦୦ ଗଛ କାଟିବାକୁ ଅନୁମତି ମାଗିଲେ ରାଜ୍ୟ ସରକାର, ସୁପ୍ରିମକୋର୍ଟ କହିଲେ- କ'ଣ ରାସ୍ତା ଅଙ୍କା ବଙ୍କା ରଖାଯାଇ ପାରିବ ନାହିଁ ?

Published By : Prameya-News7 Bureau | December 02, 2020 IST

ନୂଆଦିଲ୍ଲୀ ୦୨।୧୨: ଉତ୍ତର ପ୍ରଦେଶର ମଥୁରାରେ କୃଷ୍ଣ ଗୋବର୍ଦ୍ଧନ ରୋଡ୍ ପ୍ରୋଜେକ୍ଟ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ରାସ୍ତା ନିର୍ମାଣ ସମୟରେ ଗଛକାଟ କଣ ପାଇଁ କରାଯିବ ? ଅଦାଲତ ପରାମର୍ଶ ଦେଇଛନ୍ତି ଯେ, ଗଛ କାଟିବା ପରିବର୍ତ୍ତେ ଭଲ ହେବ ସଡକକୁ ଅଙ୍କା ବଙ୍କା ରଖଯାଉ। ୟୁପି ସରକାର ମଥୁରା କୃଷ୍ଣା ଗୋବର୍ଦ୍ଧନ ସଡକ ପ୍ରକଳ୍ପ ପାଇଁ ୨୯୪୦ ଗଛ କାଟିବାକୁ ଅନୁମତି ମାଗିଥିଲେ। ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ କହିଛନ୍ତି, ରାସ୍ତା ନିର୍ମାଣ ପାଇଁ କେତେ ଗଛ କଟାଯିବାର ଯୋଜନା ରହିଛି। ଏଥିସହ ସୁପ୍ରିମକୋର୍ଟ ଟିଟିଜେଡ୍ ଅଞ୍ଚଳରେ ଲେଦର ପାର୍କ ନିର୍ମାଣ କରିବା ରାଜ୍ୟ ସରକାରଙ୍କ ଯୋଜନା ଉପରେ କୋର୍ଟର ପରାମର୍ଶଦାତା ଓ ଆବେଦନକାରୀଙ୍କଠୁ ଜବାବ ଲୋଡିଛନ୍ତି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ନେତୃତ୍ଵାଧୀନ ପୀଠ ବୁଧବାର କହିଛନ୍ତି, ସଡକ ନର୍ମାଣ ସମୟରେ ଗଛ କାଟିବା ପରିବର୍ତ୍ତେ ରାସ୍ତାକୁ ଅଙ୍କା ବଙ୍କା ରଖିବା ଶ୍ରେୟସ୍କର ହେବ। ଏଥିରେ ଗାଡିର ବେଗ କମ ରହିବ ଓ ଏଥିରେ ଅଧିକ ସ୍ପିଡ କାରଣରୁ ହେଉଥିବା ଦୁର୍ଘଟଣାରେ ମଧ୍ୟ ହ୍ରାସ ଘଟିବ। ପୀଠ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଯେ, ସର୍ବଦା ଗଛ କାଟିବା  କଣ ଜରୁରୀ। ବିଚାରପତି ବୋବଡେ କହିଛନ୍ତି, ଗଛ କାଟି ରାସ୍ତା ସିଧା ରଖିବା କଣ ଜରୁରୀ ? କଣ ରାସ୍ତା  ଅଙ୍କା ବଙ୍କା ରଖାଯାଇ ପାରିବ ନାହିଁ ? କଣ ସରଳରେଖାରେ ସଡକ ନିର୍ମାଣ କରିବା ଜରୁରୀ ?

ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ, ଯଦି ୧୦୦ ବର୍ଷର ପୁରୁଣା ଗଛ କଟାଯିବ ତେବେ ଏହାର ଭରଣା ଅସମ୍ଭବ। ଗଛର ଆକଳନ ଏବଂ ମୂଲ୍ୟାଙ୍କନ ଦେଖାଯିବା ମଧ୍ୟ ଜରୁରୀ। ଗଛ ତା ଜୀବନ କାଳରେ କେତେ ଅମ୍ଳଜାନ ଦିଏ ତାକୁ ମଧ୍ୟ ଧ୍ୟାନରେ ରଖିବା ଆବଶ୍ୟକ। ଏହା ପରେ ନିର୍ମାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଯେଉଁ ସବୁ ଗଛ କଟାଯିବ ତାର ଭରଣା ପାଇଁ ଅନ୍ୟ ଜାଗାରେ ବୃକ୍ଷରୋପଣ କରାଯିବ। ସୁପ୍ରିମକୋର୍ଟ କହିଛନ୍ତି, ଆମେ କେବଳ ଗଛର ଗଣତି ହିସାବରେ ଭରଣା କଥା ସ୍ଵୀକାର କରିବୁ ନାହିଁ। ଜଣା ନାହିଁ ନୂତନ ବୃକ୍ଷରୋପଣ କେମିତି ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.