ଅସନ୍ତୁଷ୍ଟ ନେତାଙ୍କ ସହ ସୋନିଆଙ୍କ ମାନସମନ୍ଥନ, ଏପଟେ ରାଜ୍ୟ କଂଗ୍ରେସର କମ୍ପନ ସମାବେଶ, ବାଇକ୍ ରାଲି କରି ଶକ୍ତି ପ୍ରଦର୍ଶନ କଲା ଛାତ୍ର କଂଗ୍ରେସ

Published By : Prameya-News7 Bureau | December 19, 2020 IST

ଭୁବନେଶ୍ଵର ୧୯।୧୨: ସେପଟେ ଦିଲ୍ଲୀରେ ଅସନ୍ତୁଷ୍ଟ ନେତାଙ୍କୁ ମନାଇ ଦଳ ସଜାଡ଼ିବାକୁ ହାଇକମାଣ୍ଡ ସୋନିଆ ଗାନ୍ଧି ପ୍ରୟାସ କରୁଥିବା ବେଳେ ଏପଟେ ଭୁବନେଶ୍ବରରେ କମ୍ପନ ସମାବେଶ କରି ସଂଗଠନକୁ ଆକ୍ଟିଭ୍ କରିବାକୁ ପ୍ରୟାସ କରିଛନ୍ତି ରାଜ୍ୟ ନେତା । ଆଜି ବାଇକ୍ ରାଲି କରି ଶକ୍ତି ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସଂଗ୍ରାମ କରିବାକୁ ଆହ୍ବାନ୍ ଦେଇଛନ୍ତି ଦଳୀୟ ନେତା।

ଦିଲ୍ଲୀରେ AICC ଅଧ୍ୟକ୍ଷା ସୋନିଆ ଗାନ୍ଧି ଅସନ୍ତୁଷ୍ଟ ନେତାଙ୍କୁ ଏକଜୁଟ୍ କରିବାକୁ ପ୍ରୟାସ କରିବା ସହ କଂଗ୍ରେସର ଆଗାମୀ ରଣନୀତି ପ୍ରସ୍ତୁତ୍ ପାଇଁ କମର କଷିଛନ୍ତି। ଯେଉଁଥିରେ ଦଳ ପାଇଁ ଏକାଠି ହୋଇ କାମ କରିବାକୁ କୁହାଯାଇଛି । ଦଳର କ୍ରମାଗତ ପରାଜୟକୁ ନେଇ ଅସନ୍ତୁଷ୍ଟ ୨୩ ନେତାଙ୍କୁ ଡାକି ଆଲୋଚନା କରିଛନ୍ତି ସୋନିଆ ଗାନ୍ଧି । କଂଗ୍ରେସକୁ ବିପର୍ଯ୍ୟୟ ଧାରାରୁ ମୁକ୍ତ କରିବା ସହ ଦଳକୁ କିଭଳି ମଜବୁତ୍ କରାଯାଇପାରିବ ସେନେଇ ଚାଲିଛି ମାନସମନ୍ଥନ ।

ସେପଟେ ଦିଲ୍ଲୀରେ ଅସନ୍ତୁଷ୍ଟ ନେତାଙ୍କ ସହ ସୋନିଆଙ୍କ ମାନସମନ୍ଥନ ଚାଲିଥିବା ବେଳେ ଏପଟେ ଭୁବନେଶ୍ବରରେ କମ୍ପନ ସମାବେଶ କରି ସଂଗଠନକୁ ଆକ୍ଟିଭ୍ କରିବାକୁ ପ୍ରୟାସ କରିଛନ୍ତି ରାଜ୍ୟ ନେତା । ଏୟାରପୋର୍ଟରୁ ଏକ ବିଶାଳ ବାଇକ୍ ରାଲି କରି ଶକ୍ତି ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । ସ୍କୁଲ ଫି ହ୍ରାସ, ନାରୀ ନିର୍ଯାତନା, କୃଷକ ସମସ୍ୟା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ କମ୍ପନ ସମାବେଶରେ କମ୍ପିଛନ୍ତି ରାଜ୍ୟ ନେତା । ଆଗାମୀ ଦିନରେ କଂଗ୍ରେସ ତା’ର ସଂଗ୍ରାମ ଜାରି ରଖିବ ବୋଲି ଏଥିରେ କୁହାଯାଇଛି ।

ଓଡ଼ିଶା କଂଗ୍ରେସ ନେତା ଓ କର୍ମୀଙ୍କ ଭିତରେ ନୂଆ ଜୋସ୍ ଭରିବାକୁ ପ୍ରୟାସ କରୁଛନ୍ତି ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର । ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିରୋଧୀ ଦଳଙ୍କୁ କାଉଣ୍ଟର କରିବାକୁ ଯୋଜନା ହୋଇଛି । ସେପଟେ ଜାତୀୟ ସ୍ତରରେ ମଧ୍ୟ ଦଳର ସ୍ଥିତି ମଜବୁତ୍ କରିବା ପ୍ରୟାସରେ ଅଛନ୍ତି ଦଳୀୟ ହାଇକମାଣ୍ଡ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.