ଲକଡାଉନ୍ ଲଗାଇବା ପାଇଁ ରାଜ୍ୟ ପାଖରେ ଅଧିକାର ରହିଛି- ଅମିତ ଶାହ

Published By : Prameya-News7 Bureau | April 19, 2021 IST

ନୂଆଦିଲ୍ଲୀ,୧୯/୦୪:  ଦେଶରେ କରୋନାକୁ ନେଇ ସ୍ଥିତି ବିଗିଡିବାରେ ଲାଗିଛି । ପ୍ରତିଦିନ ଲକ୍ଷଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ୧୫୦୦ରୁ ଅଧିକ ସଂକ୍ରମିତ ଦୈନିକ ପ୍ରାଣ ହରାଉଛନ୍ତି । ଏହାମଧ୍ୟରେ ଅନେକ ରାଜ୍ୟ ନାଇଟ୍ କର୍ଫ୍ୟୁ ଓ ଓ୍ୱିକଏଣ୍ଡ୍ ଫେରିଛି । ସ୍ଥିତି ଏପରି ହୋଇଛି ଯେ, ଦେଶରେ ପୁଣି ଥରେ ଲକଡାଉନ୍ ଲାଗୁ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ବଡ ପ୍ରତିକ୍ରିୟା ଦେଇଛନ୍ତି । ଲକଡାଉନ୍ ଓ କଟକଣା କଡାକଡି ନିଷ୍ପତ୍ତି ରାଜ୍ୟ ଉପରେ ଛାଡି ଦିଆଯାଇଛି ବୋଲି ଶାହ କହିଛନ୍ତି ।

ଶାହ କହିଛନ୍ତି ଯେ, ଗତ ୩ ମାସ ଧରି କଟକଣା ଲଗାଇବା ନିଷ୍ପତ୍ତି ରାଜ୍ୟକୁ ଦିଆଯାଇଛି । କାରଣ ସବୁ ରାଜ୍ୟର ସ୍ଥିତି ସମାନ ନାହିଁ । ଏହାକୁ ଦେଖି ରାଜ୍ୟ ସରକାର ପରିସ୍ଥିତିକୁ ନଜରରେ ରହି କଡା ନିଷ୍ପତ୍ତି ନେଇପାରିବେ । ଗତବର୍ଷ ଯେବେ ପ୍ରଥମ ଥର ଲକଡାଉନ୍ ଲାଗିଥିଲା ସେତବେଳେ ଭିତ୍ତିଭୂମି ସୁଦୃଢ ନଥିଲା । ଭେଣ୍ଟିଲେଟର, ଅକ୍ସିଜେନ୍ ବେଡ୍ ଆଦି ସମସ୍ୟା ଥିଲା । ଏବେ କିନ୍ତୁ ରାଜ୍ୟ ଓ କେନ୍ଦ୍ର ସମସ୍ତ ପ୍ରସ୍ତୁତି କରିଛନ୍ତି । କେନ୍ଦ୍ର ସମସ୍ତ ରାଜ୍ୟ ସହ ରହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ସନ୍ଥଙ୍କ ସହ ଆଲୋଚନା କରି କୁମ୍ଭମେଳା ବନ୍ଦ ପାଇଁ କହିଥିଲେ । ଏହାପରେ ୧୨ଟି ଆଖଡା ମେଳା ସମାପ୍ତ ନେଇ ଘୋଷଣା କରିଥିଲେ । ଲୋକଙ୍କ ସଂଖ୍ୟା ଏବେ କମିବାରେ ଲାଗିଛି । ଯେଉଁ ରାଜ୍ୟରେ ବିଦେଶ ଫେରନ୍ତାଙ୍କ ସଂଖ୍ୟା ଅଧିକ ସେଠାରେ ସ୍ଥିତି ଭୟଙ୍କର ରହିଛି । ଏପରିକି କିଛି ରାଜ୍ୟରେ କୁମ୍ଭ କିମ୍ବା ନିର୍ବାଚନ ନଥିଲେ ମଧ୍ୟ ମାମଲା ଦ୍ରୁତ ଗତିରେ ବଢୁଛି । ଏହାକୁ ନଜରରେ ରଖି ରାଜ୍ୟ ସମ୍ପୂର୍ଣ୍ଣ ଭାବେ କଟକଣା ବାବଦରେ ନିଷ୍ପତ୍ତି ନେଇପାରିବେ ବୋଲି ଶାହ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.