ନିର୍ବାଚନ ଇସ୍ତାହାର ପାଇଁ ଲୋକଙ୍କଠୁ ମତ ଲୋଡିଲା ବିଜେପି, ଆରମ୍ଭ ହେଲା ସ୍ବତନ୍ତ୍ର ୱେବପେଜ୍

Published By : Prameya-News7 Bureau | January 27, 2019 IST

ଭୁବନେଶ୍ବର୨୭|୧: ୨୦୧୯ ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର ନେଇ ଜନସାଧାରଣଙ୍କ ମତାମତ ଲୋଡିଲା ବିଜେପି । ଲୋକଙ୍କ ମତାମତ ନେବାକୁ ବିଜେପି ପକ୍ଷରୁ ଆଜି ଉନ୍ମୋଚିତ ହୋଇଛି ୱେବସାଇଟ୍ । ବିଜେପି ସଂକଳ୍ପପତ୍ରର ସଭାପତି ବିଶ୍ବ ଭୂଷଣ ହରିଚନ୍ଦନ ଏହି ୱେବ ସାଇଟକୁ  ଉନ୍ମୋଚନ କରିଛନ୍ତି । ୱେବ ସାଇଟଟି ହେଲା ୱେବସାଇଟ୍- www.bjpodishasankalppatra.com । ଏହି ୱେବସାଇଟ ମଧ୍ୟମରେ ଇସ୍ତାହାର ନେଇ ଜନସାଧାରଣ ରଖିପାରିବେ ନିଜର ମତାମତ ।

ୱେବସାଇଟ୍ ଉନ୍ମୋଚନ ପରେ ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି ଯେ, ପଫେବୃଆରୀ ୧୫ ତାରିଖ ଯାଏ ଇସ୍ତାହାର ପାଇଁ ଲୋକଙ୍କ ମତାମତ ଗ୍ରହଣ କରାଯିବ । ଏଥିପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଏକ ବକ୍ସ ସ୍ଥାପନ କରାଯାଇଥିବାବେଳେ ଦଳୀୟ ସଂଗଠନର କର୍ମକର୍ତ୍ତାମାନେ ୩୦ଟି ଯାକ ଜିଲ୍ଲା ବୁଲି ମଧ୍ୟ ମତାମତ ସଂଗ୍ରହ କରିବେ । ଲୋକଙ୍କ ମତାମତକୁ ଇସ୍ତାହାରରେ ସ୍ଥାନିତ କରାଯିବ ।

ତେବେ ଚଳିତ ଥର ଇସ୍ତାହାରରେ କୃଷକମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି  ବିଶ୍ବଭୂଷଣ ସୂଚନା ଦେଇଛନ୍ତି । ବିଜେପି କ୍ଷମତାକୁ ଆସିଲେ କୃଷିଋଣ ଛାଡ କରିବେ ବୋଲି ଆଗରୁ ବିଜେପି ନେତାମାନେ କହୁଥିଲେ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଋଣ ଛାଡକୁ ସମର୍ଥନ କରୁନାହାଁନ୍ତି । ରାଜ୍ୟ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କ ଆଭି ମୁଖ୍ୟ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ବିଶ୍ବଭୂଷଣ କହିଥିଲେ ଯେ,  ରାଜ୍ୟ ବିଜେପି କୃଷି ଋଣ ଛାଡ ନେଇ ପ୍ରଥମେ ଘୋଷଣା କରିଥିଲା । ତା ପରେ ପ୍ରଧାନମନ୍ତ୍ରୀ ଏନେଇ ମତ ଦେଇଛନ୍ତି ।

ତେବେ କୃଷକମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଇପାରିବ ଏବଂ ବିଜେପି ସେଥିପାଇଁ ସଂକଳ୍ପବଦ୍ଧ । ଏ ସମ୍ପର୍କରେ କେନ୍ଦ୍ର  ଯାହା ନିଷ୍ପତ୍ତି ନେବ ତାହା ମଧ୍ୟ ଇସ୍ତାହାରରେ ଲେଖାଯିବ ବୋଲି ବିଶ୍ବଭୂଷଣ କହିଛନ୍ତି ।  ।ୱେବସାଇଟ ଉନ୍ମୋଚନ ଅବସରରେ  ବିଶ୍ବଭୂଷଣଙ୍କ  ବ୍ୟତୀତ ପୂ୍ବତନ ମନ୍ତ୍ରୀ ମନମୋହନ ସାମଲ, ସୁରମା ପାଢୀ , ସଜ୍ଜନ ଶର୍ମା ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ସମ୍ପ୍ରତି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଗସ୍ତ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ । ସେ କହିଛନ୍ତି ଯେ, ବିଜେପି ଆଗାମୀ ଦିନରେ ରାଜ୍ୟରେ କ୍ଷମତା ହାସଲ କରିବାକୁ ଯାଉଛି ବୋଲି ନବୀନ ପଟ୍ଟନାୟକ ଜାଣିସାରିଲେଣି । ତେଣୁ ଭୟଭୀତ ହୋଇ ବିନଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି ।

ରାହୁଲଗାନ୍ଧୀ ଭୁବନେଶ୍ବଠାରେ ଏକ ସମାବେଶରେ ବିଜେପିକୁ ଟାର୍ଗଟ କରିଥିଲେ । ବିଜେପି ଦେଶକୁ ଲୁଟୁଛି ବୋଲି କଟାକ୍ଷ କରିଥିଲେ । ଏ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତରରେ ବିଶ୍ବଭୂଷଣ କହିଛନ୍ତି ଯ, ଆସନ୍ତା ୨୯ ତାରିଖରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୁଣି ଓଡିଶା ଗସ୍ତରେ ଆସୁଛନ୍ତି । ରାହୁଲ ତାଙ୍କ ଗସ୍ତ ସମୟରେ ବିଜେପିକୁ ନେଇ ଯେଉଁସବୁ ମନ୍ତବ୍ୟ ଦେଇଛନ୍ତି ସେ ନେଇ ଅମିତ ଶାହା ଗୋଟି ଗୋଟି ପ୍ରଶ୍ନର ଉତ୍ତର ରଖିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.