ଋଣ ଏବଂ ଡିପୋଜିଟ୍‌ ଗ୍ରୋଥ୍‌ ମାମଲାରେ ବାଜି ମାରିଲା ଏହି ସରକାରୀ ବ୍ୟାଙ୍କ, ପଛରେ ପଡ଼ିଲା ଏସ୍‌ବିଆଇ

Published By : Prameya-News7 Bureau | June 11, 2021 IST

ନୂଆଦିଲ୍ଲୀ ୧୧/୬: ଆର୍ଥିକ ବର୍ଷ ୨୦୨୦-୨୧ରେ ସମସ୍ତ ବଡ଼ ବ୍ୟାଙ୍କକୁ ପଛରେ ପକାଇଛି ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର(ବିଓଏମ)। ଋଣ ଏବଂ  ଡିପୋଜିଟ୍‌ ଗ୍ରୋଥ୍‌ ମାମଲାରେ ବିଓଏମ  ଦେଶର ଏସବିଆଇ, ପିଏନବି ଭଳି ବ୍ୟାଙ୍କକୁ ଟପିଯାଇଛି। ଏହାର ଅର୍ଥ ଏହି ବ୍ୟାଙ୍କରେ ଡିପୋଜିଟ୍‌ ଅଧିକ ହୋଇଥିବା ବେଳେ ଋଣ ମଧ୍ୟ ଅଧିକ ଦିଆଯାଇଛି। ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ୨୦୨୦-୨୧ରେ ଗ୍ରସ୍‌ ଆଡାଭାନ୍ସ ୧୩.୪୫ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ମୋଟ ରାଶି ୧.୦୭ ଲକ୍ଷ କୋଟି ରହିଛି।

ମାର୍ଚ୍ଚ ୨୦୨୧ରେ ଆର୍ଥିକ ବର୍ଷ ଶେଷ ବେଳକୁ ୬୭,୮୧୧ କୋଟି ଟଙ୍କା ଋଣ ସହ ୮.୩୯ ପ୍ରତିଶତ ବୃଦ୍ଧି ରେକର୍ଡ କରିଛି। ଜମା ରାଶି ଏକାଠି କରିବା ମାମଲାରେ ବିଓଏମ ପାଖାପାଖି ୧୬ ପ୍ରତିଶତ ବୃଦ୍ଧି ସହ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କକୁ ଟପିଯାଇଛି। ଏସବିଆଇ ଡିପୋଜିଟ୍‌ରେ ୧୩.୫୬ ପ୍ରତିଶତ ବୃଦ୍ଧି ରେକର୍ଡ କରିଛି। କିନ୍ତୁ ଏସବିଆଇର ମୋଟ ଡିପୋଜିଟ୍‌ ବିଓଏମର ୧.୭୪ ଲକ୍ଷ କୋଟି ଟଙ୍କା ତୁଳନାରେ ୩୬.୮୧ ଲକ୍ଷ କୋଟି ଟଙ୍କା ବା ୨୧ ଗୁଣ ଅଧିକ ।

ଆର୍ଥିକ ବର୍ଷରେ ବିଓଏମର ମୋଟ କାରବାର ୧୪.୯୮ ପ୍ରତିଶତ ବଢ଼ି ୨.୮୧ ଲକ୍ଷ କୋଟି ରହିଛି। ଆର୍ଥିକ ବର୍ଷ ୨୦୨୦-୨୧ରେ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର ଲାଭ ୪୨ ପ୍ରତିଶତ ବଢ଼ି ୫୫୦.୨୫ କୋଟି ଟଙ୍କା ରହଥିବା ବେଳେ ଗତବର୍ଷ ୩୮୮.୫୮ କୋଟି ଟଙ୍କା ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.