ଗ୍ରାହକଙ୍କୁ SBIର ଉପହାର, କମାଇଲା ସୁଧ ହାର, ଲୋନ୍ ନେବା ହେଲା ଶସ୍ତା
7/04/2020 at 9:20 PM

ନୂଆଦିଲ୍ଲୀ ୦୭।୦୪: ଦେଶର ସବୁଠୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(SBI) ମଙ୍ଗଳବାର ନିଜର ଗ୍ରାହକଙ୍କୁ ବଡ ଉପହାର ଦେଇଛି। ବ୍ୟାଙ୍କ MCLR ଆଧାରିତ ସୁଧ ହାରରେ ୦.୩୫ ପ୍ରତିଶତ ହ୍ରାସର ଘୋଷଣା କରିଛି। ଏହା ସହିତ ବ୍ୟାଙ୍କ ସଞ୍ଚୟ ଖାତାର ଜମା ରାଶି ଉପରେ ମଧ୍ୟ ସୁଧ ହାର ୦.୨୫ ପ୍ରତିଶତ ହ୍ରାସ କରି ୨.୭୫ ପ୍ରତିଶତ କରିଛି। ଏହି ନୂତନ ଦର ଏପ୍ରିଲ ୧୦ରୁ ଲାଗୁ ହେବ।
ବ୍ୟାଙ୍କ ନିଜର ପ୍ରେସ୍ ବିଜ୍ଞପ୍ତିରେ କହିଛି ଯେ, ଏମସିଏଲଆରରେ ହ୍ରାସ ପରେ ଏକ ବର୍ଷର ଅବଧିର ଋଣ ଉପରେ ସୁଧ ହାର ବାର୍ଷୀକ ୭.୭୫ ପ୍ରତିଶତରୁ ହ୍ରାସ ହୋଇ ୭.୪୦ ପ୍ରତିଶତ ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ଦିନରେ ରେପୋ ରେଟ୍ ହ୍ରାସ କରିଥିଲା, ଯାହା ପରେ ଅନେକ ସରକାରୀ ବ୍ୟାଙ୍କ ନିଜର ସୁଧ ହାର ହ୍ରାସ କରି ସାରିଛନ୍ତି। ବ୍ୟାଙ୍କର ଏହି ପଦକ୍ଷେପ ପରେ ଗ୍ରାହକଙ୍କୁ ଲୋନ୍ ନେବା ଶସ୍ତା ହେବ।
ଅଧିକାଂଶ ଖୁଚୁରା ଋଣ ପାଇଁ ଏକ ବର୍ଷର ଅବଧିର ଋଣକୁ ହିଁ ମାନଦଣ୍ଡ ଭାବେ ନିଆଯିବ। ବ୍ୟାଙ୍କ କହିଛି ଯେ ଏଥିରେ ୩୦ ବର୍ଷ ଅବଧି ବିଶିଷ୍ଟ ବାସଭବନର ମାସିକ କିସ୍ତି ଏକ ଲକ୍ଷ ଟଙ୍କା ଋଣ ଉପରେ ୨୪ ଟଙ୍କା କମ ହେବ।