କୋଟି କୋଟି ଟଙ୍କା କ୍ଷତି ସହିବ ଷ୍ଟାର୍ ସ୍ପୋର୍ଟସ୍ ! ଭାରତ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଲେ ଘାଟାରେ ରହିବ କମ୍ପାନୀ

Published By : Prameya-News7 Bureau | November 01, 2021 IST

ନୂଆଦିଲ୍ଲୀ ୦୧/୧୧:  ଟି୨୦ ବିଶ୍ୱକପରେ ଭାରତର ଲଗାତର ଭାବେ ପରାସ୍ତ ହୋଇଛି । ପ୍ରଥମେ ପାକିସ୍ତାନଠୁ ୧୦ ଓ୍ୱିକେଟରେ ହାରିଥିବା ଭାରତ ନ୍ୟୁଜିଲାଣ୍ଡଠୁ ମଧ୍ୟ ୮ ଓ୍ୱିକେଟରେ ପରାସ୍ତ ହୋଇଛି । ନିରାଶ ହୋଇଛନ୍ତି ଫ୍ୟାନ୍ସ । ଦଳର ସେମିଫାଇନାଲ ଆଶା ଏକପ୍ରକାର ମଉଳି ଯାଇଛି । ସେମିଫାଇନାଲରେ ପ୍ରବେଶ ସମ୍ଭବ ହେଲେ ମଧ୍ୟ ଦଳ ପାଇଁ କଷ୍ଟକର ହୋଇପଡିଛି ।

କେବଳ ପ୍ରଶଂସକ ନୁହେଁ, ଭାରତ ଲଗାତର ହାରିବା ଓ ସେମିଫାନଲ ରେସରୁ ଏକ ପ୍ରକାର ବାଦ୍ ପଡିବା ଆଶଙ୍କା ସୃଷ୍ଟି ହେବା ପରେ ଷ୍ଟାର୍ ସ୍ପୋର୍ଟ୍ସକୁ ଲାଗିପାରେ ବଡ ଝଟକା । ଷ୍ଟାର ସ୍ପୋର୍ଟସର ଆୟ ଭାରତର ବିଜୟ ଉପରେ ନିର୍ଭର କରୁଛି । ଯଦି ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡେ ତେବେ ଖେଳ ପ୍ରସାରଣକାରୀ ସଂସ୍ଥା ବ୍ୟାପକ କ୍ଷତି ସହିବ । ରିପୋର୍ଟ ଅନୁସାରେ, କମ୍ପାନୀର ୮୦ରୁ ୧୦୦ କୋଟି ଟଙ୍କା କ୍ଷତି ହେବ ।

କମ୍ପାନୀ କହିଛି ଯେ, ଭାରତର ପ୍ରଦର୍ଶନ ଉପରେ ଆୟ ନିର୍ଭର କରୁଛି । ବିରାଟ ବାହିନୀ ବାଦ୍ ପଡିଲେ ବିଜ୍ଞାପନ କମିଯିବ । କୋଟି କୋଟି ଟଙ୍କା କ୍ଷତି ହେବ । କମ୍ପାନୀ ଚଳିତ ଟୁର୍ଣ୍ଣାମେଣ୍ଟରେ ବିଜ୍ଞାପନ ଓ ଅନ୍ୟାନ୍ୟ ଉତ୍ସରୁ ୧୨୦୦ କୋଟି ଟଙ୍କା ଆୟ ଲକ୍ଷ୍ୟ ରଖିଛି । ଡିଜନୀ ହଟଷ୍ଟାର୍ ପାଇଁ ୨୭୫ରୁ ୩୦୦ କୋଟି ଟଙ୍କାର ବିଜ୍ଞାପନ ଚୁକ୍ତି ସରିଥିବା ବେଳେ ଷ୍ଟାର ସ୍ପୋର୍ଟ ନେଟଓ୍ୱର୍କ ୯୦୦ କୋଟିର ବିଜ୍ଞାପନ ଚୁକ୍ତି କରିଛି ।

ଆହୁରି ମଧ୍ୟ ଭାରତ ଆଗକୁ ବଢିବ ବୋଲି କମ୍ପାନୀ ଆଶା କରିଛି । ଯଦି ଦଳ ବାଦ୍ ପଡେ ତେବେ ନିବେଶକଙ୍କର କ୍ଷତି ହେବ ବୋଲି କମ୍ପାନୀର ଜଣେ ମାର୍କେଟିଂ କର୍ମଚାରୀ କହିଛନ୍ତି ।

ସୂଚନାଯୋଗ୍ୟ,  ଷ୍ଟାରସ୍ପୋର୍ଟସର ୧୬ ଜଣ ସ୍ପନସର୍ ଥିବା ବେଳେ ହଟଷ୍ଟାରର ୧୦ ପାର୍ଟନର ରହିଛନ୍ତି । ଭାରତ ହାରିଲେ ଏମାନେ ମଧ୍ୟ କ୍ଷତିରେ ରହିବେ । କେବଳ ଷ୍ଟାର ନୁହେଁ, ଆଇସିସି ଉପରେ ମଧ୍ୟ ଅଳ୍ପବହୁତ ପ୍ରଭାବ ପଡିବ । ଟି୨୦ ପାଇଁ ଆଇସିସି ୧୫ ପାର୍ଟନରଙ୍କ ସହ ଚୁକ୍ତି କରିଛି । ଭାରତ ବାଦ୍ ପଡିଲେ ମ୍ୟାଚ୍ ଆଉ ସେତେଟା କିଏ ଦେଖିବେ ନାହିଁ । କାରଣ କ୍ରିକେଟ ଭାରତରେ ଅଧିକ ଲୋକପ୍ରିୟ ଓ ଦେଶର ଜନସଂଖ୍ୟା ବି ବେଶି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.