Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜନ୍ମାଷ୍ଟମୀ ପାଇଁ ମନ୍ଦିରରେ ଭିଡ, ଦଳାଚକଟାରେ ୫ ମୃତ, ୨୬ରୁ ଊର୍ଦ୍ଧ୍ୱ ଆହତ

23/08/2019 at 3:17 PM

କୋଲକାତା ୨୩।୮:  ଜନ୍ମାଷ୍ଟମୀ ପୂଜା ଲାଗି ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା କଚୁଆ ଲୋକନାଥ ଧାମ ମନ୍ଦିରରେ ଦଳାଚକଟା ହୋଇଛି। ଫଳରେ ୫ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ରହିଛି। ଏଣୁ ମୃତ୍ୟୁ ସଂଖ୍ୟା ଆହୁରିବଢିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିବା ସହ ପ୍ରତି ମୃତକଙ୍କ ପରିବାର ଲାଗି ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। ସେହିପରି ଗୁରୁତର ଲୋକଙ୍କ ଚିକିତ୍ସା ଲାଗି ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିବା ବେଳେ ଆହତଙ୍କ ଲାଗି ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି।

ଜନ୍ମାଷ୍ଟମୀରେ କଚୁଆ ଲୋକନାଥ ଧାମରେ ପୂଜାର୍ଚ୍ଚନାର ଅନନ୍ୟ ମହତ୍ୱ ରହିଛି। ଏଥିଲାଗି ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଭକ୍ତ ଗତରାତିରୁ ଧାଡି ବାନ୍ଧିଥିଲେ। ତେବେ ଭୋର ପ୍ରାୟ ୩ଟା ବେଳେ ବର୍ଷା ଆରମ୍ଭ ହୋଇଥିଲା। ଏତିକିବେଳେ ମନ୍ଦିରର ଏକ ରେଲିଂ ଭାଙ୍ଗିଯିବାରୁ ଭକ୍ତଙ୍କ ମଧ୍ୟରେ ହଟଚମଟ ସୃଷ୍ଟି ହୋଇଥିଲା। ଫଳରେ ଲୋକେ ପଳାଇଯିବା ଲାଗି ଦଉଡାଧାପଡା କରିବାରୁ ଦଳାଚକଟା ହୋଇଥିଲା। ଦଳି ହୋଇ ୫ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୨୬ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ନ୍ୟାସନାଲ ମେଡିକାଲ କଲେଜ ହସ୍ପିଟାଲ, ଏସଏସକେଏମ ଓ ବସିରହାଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ପାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବାହ୍ନରେ ହସ୍ପିଟାଲକୁ ଯାଇ ଆହତଙ୍କ ହାଲଚାଲ ପଚାରି ବୁଝିଛନ୍ତି। ଲୋକନାଥ ଧାମ ମନ୍ଦିର ନିକଟରେ ଗୁଡି ଛୋଟବଡ ଦୋକାନ ରହିଛି ସାଙ୍ଗକୁ ଏକ ପୋଖରୀ ଥିବା ବେଳେ ବର୍ଷା ହେବାରୁ ଲୋକେ ଆଶ୍ରୟ ଲାଗି ଦୋକାନ ବାରଣ୍ଡାମାନଙ୍କରେ ଛିଡା ହୋଇଥିଲେ। ତେବେ ଭକ୍ତ ଦଉଡାଧାପଡା ହେବାରୁ ଅନେକ ଲୋକ ପୋଖରୀକୁ ଗଳିପଡିଥିଲେ।

   Related Posts