ଷ୍ଟାଫ୍ ନର୍ସ କରୋନା ପଜିଟିଭ୍ : ସଂସ୍ପର୍ଶରେ ଆସିଥିବା ୬ ରୋଗୀଙ୍କୁ ପଠାଗଲା କୋଭିଡ୍ କେୟାର୍ ହସ୍ପିଟାଲ, କ୍ବାରେଣ୍ଟାଇନ୍ରେ ୫ ନର୍ସ
4/06/2020 at 12:23 PM

ନୟାଗଡ ୪।୬: ନୟାଗଡ ଜିଲ୍ଲାରୁ ଆଜି ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଜଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ୍ ନର୍ସ ରହିଛନ୍ତି । କ୍ବାରେଣ୍ଟାଇନ୍ ସେଣ୍ଟରରୁ ଆସିଥିବା ସଂକ୍ରମିତଙ୍କ ମଧ୍ୟରୁ ୫ ଜଣ ସୁରଟ ଫେରନ୍ତା ରହିଛନ୍ତି । ହୋଇଥିବାବଳେ ଜଣେ ମୁମ୍ବାଇ ଫେରନ୍ତା ରହିଛନ୍ତି । ତେବେ ଷ୍ଟାଫ୍ ନର୍ସ ପଜିଟିଭ୍ ଚିହ୍ନଟ ହେବାପରେ ଏହା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।
ବୁଧବାର ଜିଲ୍ଲାର ଖେଡପଡା ଅଞ୍ଚଳରୁ ଜଣେ କରୋନା ପଜିଟିଭ୍ ଆସିବା ପରେ ତାଙ୍କର କଣ୍ଟାକ୍ଟ ଲିଷ୍ଟ୍ ପ୍ରଶାସନ ବାହାର କରିଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଗତ କିଛି ଦିନ ତଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିବା ପରେ କିଛି ନର୍ସ ଏବଂ ଡାକ୍ତରଙ୍କ ସ୍ବାବ୍ ପରୀକ୍ଷା ପାଇଁ ପଠାଯାଇଥିଲା । ଷ୍ଟାଫ୍ ନର୍ସ ଜଣଙ୍କ ମେଡିସିନ୍ ଓ୍ବାର୍ଡରେ କାର୍ଯ୍ୟ କରୁଥିଲେ ଏବଂ ଗତ ଦୁଇଦିନ ହେଲା ମାତୃଶିଶୁ ଭବନରେ କାର୍ଯ୍ୟ କରୁଥିଲେ । ତାଙ୍କଠାରେ ସେଭଳି କୌଣସି ଲକ୍ଷଣ ନଥିଲେ ମଧ୍ୟ ପଜିଟିଭ୍ ଆସିବା ପରେ ତାଙ୍କୁ ସମ୍ କୋଭିଡ୍ ହସ୍ପିଟାଲରୁ ପଠାଯାଇଛି । ତେବେ ନର୍ସ ପୂର୍ବରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ କି ନାହିଁ ତାହା ଜଣାପଡିନାହିଁ । ଏ ସମ୍ପର୍କରେ ଅନୁଧ୍ୟାନ ଚାଲିଥିବା ସିଡିଏମଓ କହିଛନ୍ତି । ରିପୋର୍ଟ ଆସିବା ପରେ ସମ୍ପୃକ୍ତ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ୬ ଜଣ ରୋଗୀଙ୍କୁ ଖଣ୍ଡପଡା କୋଭିଡ୍ କେୟାର୍ ହସ୍ପିଟାଲକୁ ପଠାଯାଇଥିବା ବେଳେ ୫ଜଣ ନର୍ସଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।
ସେହିପରି ମେଡିସିନ୍ ଓ୍ବାର୍ଡକୁ ବନ୍ଦ କରାଯିବା ସହ ସମ୍ପୂର୍ଣ୍ଣ ଡାକ୍ତରଖାନାକୁ ସାନିଟାଇଜ୍ କରାଯାଇଛି । ଅତି ଜରୁରୀ ନଥିଲେ ଡାକ୍ତରଖାନାକୁ ଆସନ୍ତୁ ନାହିଁ, ସାମାଜିକ ଦୂରତା ଅବଲମ୍ବନ କରନ୍ତୁ, ମାସ୍କ ପିନ୍ଧନ୍ତୁ ବୋଲି ସିଡିଏମଓ ଅନୁରୋଧ କରିଛନ୍ତି । ଏହାକୁ ନେଇ ହସ୍ପିଟାଲ୍ କର୍ମଚାରୀଙ୍କ ମଧ୍ୟରେ ଭୟ ଦେଖାଦେଇଥିଲେ ମଧ୍ୟ ଡ୍ୟୁଟି କରିବାରେ ଭୟ ନାହିଁ ବୋଲି ଜଣେ ନର୍ସ କହିଛନ୍ତି ।