ରିୟାଙ୍କ ବିରୋଧରେ ମାମଲା ରୁଜ୍ଜୁ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ: ସୁଶାନ୍ତ ସିଂହଙ୍କୁ ଡ୍ରଗ୍ସ ଦେଇଥିବା ଅଭିଯୋଗ

Published By : Prameya-News7 Bureau | August 27, 2020 IST

ମୁମ୍ବାଇ ୨୭/୦୮ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ସମ୍ବନ୍ଧୀୟ ତଥ୍ୟ ଜଡିତ ହେବାପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମାମଲା ରୁଜ୍ଜୁ କରିଛି | NCB ରିୟା ଚକ୍ରବର୍ତ୍ତୀ, ଶୋଭିକ ଚକ୍ରବର୍ତ୍ତୀ, ଜୟା ଶାହା, ଶ୍ରୁତି ମୋଦୀ ଏବଂ ଗୌରବ ଆର୍ୟା ବିରୋଧରେ ମାମଲା ରୁଜ୍ଜୁ କରିଛି | ସମସ୍ତଙ୍କ ବିରୋଧରେ ନିଶା ଔଷଧ ଓ ମାଦକ ପଦାର୍ଥ ନିରୋଧକ ଅଧିନିୟମ NDPS ର ବିଭିନ୍ନ ଧାରା ଲଗାଯାଇଛି | NCB ଯାଞ୍ଚ ପାଇଁ ମୁମ୍ବାଇ ଯିବ | ଏହି ମାମଲାରେ ଦିଲ୍ଲୀ ଜୋନାଲ ଡ଼ାଇରେକ୍ଟର ଆଇପିଏସ ଅଧିକାରୀ କେ.ପି.ଏସ ମାଲହୋତ୍ରାଙ୍କ ଟିମ ଯାଞ୍ଚ କରିବ | ରିୟା ଚକ୍ରବର୍ତ୍ତୀ ବିରୋଧରେ ସୁଶାନ୍ତ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ଆରୋପ ଲଗାଯାଇଛି | ଅଭିନେତ୍ରୀ ନିଜେ ମଧ୍ୟ ଡ୍ରଗ୍ସ ସେବନ କରୁଥିବା ଏବଂ ଡିଲ କରୁଥିବା ଅଭିଯୋଗ ହୋଇଛି |

ପ୍ରବର୍ତ୍ତନ ନିର୍ଦେଶାଳୟ ରିୟାଙ୍କୁ ପଚରାଉଚୁରା କରିଥିଲା | ଇଡି ଯାଞ୍ଚରେ ଡ୍ରଗ୍ସ ସହ ଜଡିତ କିଛି ତଥ୍ୟ ସାମ୍ନାକୁ ଆସିଛି | ଏହାପରେ ଇଡି ସିବିଆଇ ଓ ଏନସିବି କିଛି ପ୍ରମାଣ ସେୟାର କରିଥିଲା | ଇଡିକୁ ରିୟାଙ୍କ ଫୋନରୁ ଡିଲିଟ କରିଥିବା ହ୍ୱାଟ୍ସଆପ ମେସେଜ ମିଳିଛି | ମେସେଜରେ କଥିତ ଭାବେ ପ୍ରତିବନ୍ଧିତ ଡ୍ରଗ୍ସ କାରବାରର ସଂକେତ ମିଳିଛି | ଅଧିକାରୀ କହିଛନ୍ତି ଇଡି ଏହି ମାମଲାରେ ରିୟାଙ୍କୁ ସନ୍ଦିଗ୍ଧ ଡ୍ରଗ୍ସ ସଉଦା ସମ୍ବନ୍ଧରେ ପଚରାଉଚୁରା କରିଛି ଏବଂ ଏହିସବୁ ଆରୋପକୁ ନେଇ ରିୟାଙ୍କ ବୟାନ ରେକର୍ଡ କରାଯାଇଛି |

ରିୟାଙ୍କ ଓକିଲ ଏହିସବୁ ଆରୋପକୁ ଖାରଜ କରିଛନ୍ତି | ଓକିଲ ସତୀଶ ମାନଶିନ୍ଦେ କହିଛନ୍ତି, ରିୟା ଜୀବନରେ କେବେ ଡ୍ରଗ୍ସ ସେବନ କରିନାହାନ୍ତି | ସେ ରକ୍ତ ନମୁନା ପରୀକ୍ଷା ପାଇଁ ପ୍ରସ୍ତୁତ ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.