ତିନି ମାସରେ ସରିଲାନି ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ, ବଢିଲା କମିଶନଙ୍କ କାର୍ଯ୍ୟକାଳ

Published By : Prameya-News7 Bureau | September 07, 2018 IST

ପୁରୀ ୭/୯ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରଙ୍ଗର ତଦନ୍ତ କରୁଥିବା ଜଷ୍ଟିସ ରଘୁବୀର ଦାଶ କମିଶନଙ୍କ କାର୍ଯ୍ୟକାଳ ଆଉ ତିନିମାସ ବୃଦ୍ଧି କରିଛନ୍ତି ସରକାର । ତଦନ୍ତ ପାଇଁ ନିର୍ଦ୍ଧାରିତ ୩ମାସ ସମୟସୀମା ଆଜି ପୂରୁଥିଲା । କିନ୍ତୁ ତଦନ୍ତରେ ବିଶେଷ ଅଗ୍ରଗତି ହୋଇନଥିବାରୁ କମିସନ ସରକାରଙ୍କୁ ସମୟ ମାଗିଥିଲେ । ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିଯାଇଛି ବୋଲି ଗତ ଏପ୍ରଲମାସ ୪ ତାରିଖରେ ଜଣା ପଡିଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତ ଯାଂଚ ପାଇଁ ୧୬ଜଣିଆ ଏକ ସ୍ବତନ୍ତ୍ରଦଳ ଯାଇଥିବାବେଳେ ଭିତର ଭଣ୍ଡାରର ଚାବି ନଥିବାରୁ ବାହାର ଭଣ୍ଡାରରୁ ସ୍ଥିତି ପରଖି ଫେରିଥିଲେ । ରତ୍ନଭଣ୍ଡାରର ଚାବି ହଜିଯାଇଥିବା କଥା ତା ପରେ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ସରକାର ବିଭିନ୍ନ ସମାଲୋଚନାର ଶିକାର ହୋଇଥିଲେ । ଜିଲ୍ଲା ଟ୍ରେଜେରୀରେ ରତ୍ନଭଣ୍ଡାରର ଚାବି ରହିବାର ବିଧି ରହିଥିଲେ ମଧ୍ୟ ଟ୍ରେଜେରୀରୁ ଭଣ୍ଡାର ଚାବି ମିଳିନଥିଲା । ପରବର୍ତ୍ତି ସମୟରେ ରେକର୍ଡ ରୁମ୍ରୁ ନକଲି ଚାବି ମିଳିଥିବା ନେଇ ଜିଲ୍ଲାପଳ ସୂଚନା ଦେଇଥିଲେ । ଏହାକୁ ନେଇ ମଧ୍ୟ ତମ୍ବି ତୋଫାନ ହୋଇଥିଲା । ବିରୋଧୀ ଦଳ ସରକାରଙ୍କୁ କଟୁ ସମାଲୋଚନା କରିବା ସହ ଘେରିଥିଲେ । ଭିଭିନ୍ନ ସଂଗଠନ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ । ଫଳରେ ସରକାର ଜୁନ ୬ ତାରିଖରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ ଘଟଣାର ତଦନ୍ତ ପାଇଁ କମିସନଭାବେ ନିଯୁକ୍ତି ଦେଇଥିଲେ ସରକାର। ତିନିମାସ ମଧ୍ୟରେ କମିସନ ତାଙ୍କ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଥିଲା । କିନ୍ତୁ ଇତିମଧ୍ୟରେ ତିନିମାସ ବିତିଯାଇଥିଲେ ମଧ୍ୟ କମିସନଙ୍କ ତଦନ୍ତରେ ବିଶେଷ ଅଗ୍ରଗତି ହୋଇନାହିଁ । କମିସନ ସାଧାରଣ ଲୋକଙ୍କଠାରୁ ଏ ସଂକ୍ରାନ୍ତରେ ସତ୍ୟପାଠ ଆହ୍ବାନ କରିଥିଲେ । ଅଦ୍ୟାବଧି କମିସନଙ୍କୁ ମାତ୍ର ୧୦ଟି ସତ୍ୟପାଠ ମିଳିଛି । ଏହା ମଧ୍ୟ କମିସନ ଯାହା ଜାଣିବାକୁ ଚାହୁଁଛନ୍ତି ସେ ଦିଗରେ ବିଶେଷ ସହାୟକ ହୋଇପାରୁନାହିଁ । ଫଳରେ କମିସନ ତଦନ୍ତ ପାଇଁ ସମୟସୀମା ବୃଦ୍ଧି କରିବା ପାଇଁ ସରକାରଙ୍କୁ ଆବେଦନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.