ମହାପ୍ରଭୁଙ୍କ ପାଣ୍ଠି ପ୍ରସଙ୍ଗ : ଦୁଇଟି ରାଷ୍ଟ୍ରାୟତ ବ୍ୟାଙ୍କରେ ୬.୨୬% ସୁଧରେ ରହିବ ଟଙ୍କା

Published By : Prameya-News7 Bureau | March 27, 2020 IST

ପୁରୀ ୨୭।୩: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଟଙ୍କାକୁ ନେଇ ଚାଲିଥିବା ସସପେନ୍ସର ଅବସାନ ଘଟିଛି । ଗୁରୁବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହୋଇଥିବା ପୁନଃ ଟେଣ୍ଡର ନିଷ୍ପତ୍ତି ଅନୁଯାୟୀ ୟେସ୍ ବ୍ୟାଙ୍କରୁ ଫେରିଥିବା ମହାପ୍ରଭୁଙ୍କ ଟଙ୍କା ଏକ ବର୍ଷିଆ ସୁତ୍ରରେ ଦୁଇଟି ରାଷ୍ଟ୍ରାୟତ ବ୍ୟାଙ୍କରେ ରହିବା ନିଷ୍ପତ୍ତି ହୋଇଛି । ପ୍ରଥମେ ତିନି ବର୍ଷିଆ ସୁତ୍ରରେ ୟୁନିଅନ୍ ବ୍ୟାଙ୍କରେ ସମସ୍ତ ଟଙ୍କା ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା। ଟେଣ୍ଡର ବାତିଲ କରାଯାଇ ନୂଆ ଟେଣ୍ଡର ଆଧାରରେ ଦୁଇଟି ରାଷ୍ଟ୍ରାୟତ ବ୍ୟାଙ୍କରେ ୬.୨୬ ସୁଧରେ ଟଙ୍କା ରଖିବା ପାଇଁ ଆପାତତଃ ନିଷ୍ପତ୍ତି ହୋଇଛି।

ରାଜ୍ୟ ସରକାରଙ୍କ ତତ୍ପରତା ଓ ୟେସ୍ ବ୍ୟାଙ୍କ ପୁନଃ କାର୍ଯ୍ୟକ୍ଷମ ହେବା ପରେ ଗତ ୧୯ ତାରିଖରେ ୟେସ୍ ବ୍ୟାଙ୍କରେ ଜମା ରହିଥିବା ମହାପ୍ରଭୁଙ୍କ ୩୮୯ କୋଟି ଟଙ୍କା ପ୍ରଥମ ଦଫାରେ ସୁଧସହ ଫେରିଥିଲା। ଏହା ମଧ୍ୟରେ ୧୦୨ କୋଟି ଟଙ୍କା ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ବା SBI ରେ ଫିକ୍ସଡ଼ ଡିପୋଜିଟ୍ କରାଯାଇଥିବା ବେଳେ ଅବଶିଷ୍ଟ ୨୮୭ କୋଟି ଟଙ୍କା ରାଷ୍ଟ୍ରାୟତ ବ୍ୟାଙ୍କରେ ରଖିବା ପାଇଁ ପ୍ରଥମେ ଟେଣ୍ଡର କରାଯାଇଥିଲା। ୟୁନିଅନ୍ ବ୍ୟାଙ୍କ ଅଫ ଇଣ୍ଡିଆରେ ତିନି ବର୍ଷିଆ ସୁତ୍ରରେ ଏହି ଟଙ୍କା ରଖିବା ପାଇଁ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ନିଷ୍ପତ୍ତି ହୋଇଥିଲା। ଗୁରୁବାର ହୋଇଥିବା ନୂଆ ଟେଣ୍ଡରରେ ୧୬ ଟି ବ୍ୟାଙ୍କ ମଧ୍ୟରୁ ୧୦ ଟି ବ୍ୟାଙ୍କ ଭାଗ ନେଇଥିଲେ।

୧୦ ଟି ବ୍ୟାଙ୍କ ମଧ୍ୟରୁ ୟୁନିଅନ୍ ବ୍ୟାଙ୍କ ଅଫ ଇଣ୍ଡିଆ ୬.୨୦, ବ୍ୟାଙ୍କ ଅଫ ବରୋଦା ୬.୧୫ ଏଂ କାନାଡ଼ା ବ୍ୟାଙ୍କ ୫.୭୭ ସୁଧ ଦେବାପାଇଁ ରାଜି ହୋଇଥିଲେ। ପରେ ସହମତି ଭିତ୍ତିରେ ୟୁନିଅନ୍ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ ବରୋଦା ୬.୨୬ ବର୍ଷିକିଆ ସୁଧ ପ୍ରଦାନ ପାଇଁ ରାଜି ହୋଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିଷ୍ପତ୍ତି ପରେ ଏହି ଦୁଇଟି ବ୍ୟାଙ୍କରେ ୨୮୭ କୋଟି ଟଙ୍କା ରଖାଯିବାର ଖୁବ୍ ଶୀଘ୍ର ବ୍ୟବସ୍ଥା କରାଯିବ। ଚଳିତ ମାସ ୩୦ ତାରିଖରେ ଅବଧି ପୂର୍ଣ୍ଣ ହେବାକୁ ଯାଉଥିବା ଦ୍ବିତୀୟ ପର୍ଯ୍ୟାୟ ୧୫୬ କୋଟି ଟଙ୍କା ସୁଧ ସହ ଶ୍ରୀମନ୍ଦିର ପ୍ରଶାସନ ଆକାଉଣ୍ଟକୁ ଇ-ଟ୍ରାନ୍ସଫର ମାଧ୍ୟମରେ ଆସିବ। ପୁର୍ନବାର ଟେଣ୍ଡର ପ୍ରକ୍ରିୟା ହେବ କି ନାହିଁ ତାହା ପରେ ବିଚାର କରାଯିବ।

ଗୁରୁବାର ଟେଣ୍ଡର ପରେ ୟେସ୍ ବ୍ୟାଙ୍କରୁ ଫେରିଥିବା ମହାପ୍ରଭୁଙ୍କ ଟଙ୍କା ରାଷ୍ଟ୍ରାୟତ ବ୍ୟାଙ୍କରେ ରଖିବା ସସପେନ୍ସର ପରିସମାପ୍ତି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.