Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶ୍ରୀଲଙ୍କା ଆତ୍ମଘାତୀ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୨୯୦କୁ ବୃଦ୍ଧି,ମୃତକଙ୍କ ମଧ୍ୟରୁ ୪ଜଣ ଭାରତୀୟ : ଆଜି କଲମ୍ବୋ ବିମାନବନ୍ଦର ନିକଟରୁ ଗୋଟିଏ ବୋମା ଜବତ, ୨୪ ସନ୍ଦିଗ୍ଧ ଗିରଫ

କଲମ୍ବୋ ୨୨/୪ : ଶ୍ରୀଲଙ୍କାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ଏବେ ପର୍ଯ୍ୟନ୍ତ ୨୯୦କୁ ପହଂଚିଲାଣି | ଗତକାଲି ଇଷ୍ଟର ପର୍ବ ପାଳନ ବେଳେ ଶ୍ରୀଲଙ୍କା ରାଜଧାନୀ କଲମ୍ବୋର ୩ଟି ଚର୍ଚ୍ଚ, ୩ଟି ପଞ୍ଚତାରକା ହୋଟେଲ ଏବଂ ଗେଷ୍ଟ ହାଉସରେ ୮ଟି ସିରିଜ ବିସ୍ଫୋରଣ ହୋଇଥିଲା | ବିସ୍ଫୋରଣରେ ୪୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି | କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ଅଂଚଳ | ନିଜ ଆତ୍ମୀୟଙ୍କୁ ହରାଇ ବିକଳ ହୋଇ କାନ୍ଦୁଛନ୍ତି ଲୋକେ |


ଶ୍ରୀଲଙ୍କା ପୋଲିସ ସିରିଜ ବିସ୍ଫୋରଣ ଘଟଣାର ତଦନ୍ତ ଜାରି ରଖିଛି | ପୋଲିସ ଏବେ ପର୍ଯ୍ୟନ୍ତ ୨୪ ଜନ ସନ୍ଦିଗ୍ଧଙ୍କୁ ଗିରଫ କରିଛି | ଆଜି ସକାଳୁ କଲମ୍ବୋ ବିମାନବନ୍ଦର ନିକଟରେ ଆଉ ଏକ ବୋମା ଜବତ ହୋଇଛି | ସୁରକ୍ଷାବଳ ବୋମାକୁ ଡିଫ୍ୟୁଜ କରିଥିଲେ | ବିସ୍ଫୋରଣରେ ୩୫ ବିଦେଶୀଙ୍କ ସମେତ ୪ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି | ରବିବାର ରାତି ପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ୨୧୫କୁ ପହଞ୍ଚିଥିଲା |


ବିସ୍ଫୋରଣ ପରେ ପୁରା ଦେଶର ସୋସିଆଲ ମିଡ଼ିଆ ବନ୍ଦ କରିଦିଆ ଯାଇଥିଲା | ସନ୍ଧ୍ୟା ୬ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିଲା | ଆଜି ସକାଳ ୬ଟାରେ କର୍ଫ୍ୟୁ ହଟାଇ ଦିଆଯାଇଛି | ଆଜି ଏବଂ ଆସନ୍ତାକାଲି କଲମ୍ବୋର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରଖିବା ପାଇଁ ସରକାର ନିର୍ଦେଶ ଜାରି କରିଥିଲେ |


ଶ୍ରୀଲଙ୍କା ପୋଲିସ ପ୍ରବକ୍ତା ରୁବନ ଗୁଣସେକରା କହିଛନ୍ତି ଯେ, ନ୍ୟାସନାଲ ହସ୍ପିଟାଲରେ ୬୬ ଶବ ପହଂଚିଛି | ସେଠାରେ ୨୬୦ ଆହତଙ୍କ ଚିକିତ୍ସା ଚାଲିଛି | ନେଗାମ୍ବୋ ହସ୍ପିଟାଲରେ ୧୦୪ ଶବ ପହଂଚିଛି | ସେଠାରେ ପାଖାପାଖି ୧୦୦ ଜଣ ଆହତଙ୍କ କରାଯାଉଛି |

ନ୍ୟାସନାଲ ହସ୍ପିଟାଲର ନିର୍ଦେଶକ ଅନିଲ ଯାସିଘେ କହିଛନ୍ତି ଯେ, ମୃତକଙ୍କ ମଧ୍ୟରେ ୧୧ ବିଦେଶୀ ନାଗରିକ ଅଛନ୍ତି | ଏମାନଙ୍କ ମଧ୍ୟରେ ପୋଲାଣ୍ଡ, ଡେ଼ନମାର୍କ, ଚୀନ, ଜାପାନ, ପାକିସ୍ତାନ, ଆମେରିକା, ଭାରତ, ମୋରୋକ୍କୋ ଏବଂ ବାଂଲାଦେଶର ବଜାରିକା ସାମିଲ ଅଛନ୍ତି |

୯ଜଣ ନିଖୋଜ ଥିବାବେଳେ ୨୫ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ | ୧୯ ବିଦେଶୀ ନାଗରିକଙ୍କ ଚିକିତ୍ସା ଅଲଗା ଅଲଗା ହସ୍ପିଟାଲରେ କରାଯାଉଛି |

365 Views

   ସମ୍ବନ୍ଧିତ ଖବର