ଟି ୨୦ ବିଶ୍ବକପ : ବଟଲରଙ୍କ ବିସ୍ଫୋରକ ଶତକ, ଶ୍ରୀଲଙ୍କାକୁ ବିଜୟଲକ୍ଷ୍ୟ…

Published By : Prameya-News7 Bureau | November 01, 2021 IST

ଶାରଜାହା ୦୧/୧୧ : ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପର ଆଜିର ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଇଂଲଣ୍ଡ ଏବଂ ଶ୍ରୀଲଙ୍କା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ୧୬୩ ରନ ସଂଗ୍ରହ କରିଛି ଇଂଲଣ୍ଡ । ଦଳ ପକ୍ଷରୁ ଓପନର ଜୋସ୍ ବଟଲର ବିସ୍ଫୋରକ ବ୍ୟାଟିଂ କରି ୬୭ ବଲରୁ ୬ଟି ଲେଖାଏଁ ଛକା ଏବଂ ଚୌକା ସହାୟତାରେ ଅପରାଜିତ ୧୦୧ ରନର ଇଂନିସ ଖେଳିଛନ୍ତି । ଶ୍ରୀଲଙ୍କାକୁ ଜିତିବାକୁ ହେଲେ ୧୬୪ ରନ ସଂଗ୍ରହ କରିବାକୁ ହେବ ।

ଇଂଲଣ୍ଡ ପକ୍ଷରୁ ଓପନର ଜେସନ୍‌ ରୟ ନିରାଶ କରିବା ପରେ ଅନ୍ୟପଟେ ରକ୍ଷଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ ବଟଲର । ଗୋଟିଏ ପଟେ ଓ୍ବିକେଟ ପଡୁଥିବା ବେଳେ ଅନ୍ୟ ପଟେ ଧୈର୍ଯ୍ୟର ସହ ବ୍ୟାଟିଂ କରିଛନ୍ତି ବଟଲର । ରୟ ୯ ରନ କରି ଆଉଟ ହୋଇଥିବା ବେଳେ, ଡେଭିଡ୍‌ ମଲାନ ୬ରନ, ଜୋନି ବୟାରିଷ୍ଟୋ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ବଟଲରଙ୍କ ସହ ମିଶି ଦଳକୁ ଏକ ଫାଇଟିଂ ଟୋଟାଲ ସ୍କୋର ଦେଇଛନ୍ତି ଅଧିନାୟକ ଇୟନ ମୋର୍ଗାନ୍‌ । ସେ ବ୍ୟକ୍ତିଗତ ଭାବେ ୩ ଛକା ଏବଂ ଗୋଟିଏ ଚୌକା ସହାୟତାରେ ୪୦ ରନ କରି ଆଉଟ ହୋଇଛନ୍ତି । ମୋଇନ ଅଲ୍ଲୀ ୧ ରନ କରି ଅପରାଜିତ ଅଛନ୍ତି ।

ଶ୍ରୀଲଙ୍କା ପକ୍ଷରୁ ପ୍ରଥମ ୧୦ ଓଭର ଖୁବ ସୁନ୍ଦର ବୋଲିଂ ହୋଇଥିଷଳ ସୁଦ୍ଧା ପରବର୍ତ୍ତୀ ୧୦ ଓଭର ମହଙ୍ଗା ସାବ୍ୟସ୍ତ ହୋଇଛି । ଦଳ ପକ୍ଷରୁ ଓ୍ବାନିନ୍ଦୁ ହାସାରଙ୍ଗା ଚମତ୍କାର ବୋଲିଂ କରି ୪ ଓଭରରେ ମାତ୍ର ୨୧ ରନ ଦେଇ ୩ ଓ୍ବିକେଟ ନେଇଥିବା ବେଳେ, ଲାହିରୁ କୁମାରା ୪ ଓଭରରେ ୪୪ରନ, ମହେଶ ଥିକ୍ସହାନା ୪ ଓଭରରେ ୧୩ ରନ, ଚାମିକା କରୁଣାରତ୍ନେ ୨ ଓଭରରେ ୧୭ରନ, ଦାସୁନ ସାନାକା ୨ ଓଭରରେ ୨୪ ରନ ଏବଂ ଦୁଷ୍ମନ୍ତ ଚାମିରା ୪ ଓଭରରେ ୪୩ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.