କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ନେଲେ ଲସିଥ୍ ମାଲିଙ୍ଗା, ଏମିତି ରହିଛି ୟର୍କର ସ୍ପେଶାଲିଷ୍ଟଙ୍କ ରେକର୍ଡ

Published By : Prameya-News7 Bureau | September 14, 2021 IST

ନୂଆଦିଲ୍ଲୀ ୧୪।୦୯: କ୍ରିକେଟ୍‌କୁ ଅଲବିଦା କଲେ ଶ୍ରୀଲଙ୍କାର ଦ୍ରୁତ ବୋଲର ଲସିଥ୍ ମାଲିଙ୍ଗା। ମାଲିଙ୍ଗା ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ଟି-୨୦ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଏହା ପୂର୍ବରୁ ସେ ଦିନିକିଆ ଏବଂ ଟେଷ୍ଟରୁ ଅବସର ନେଇ ସାରିଛନ୍ତି। ଏବେ ମାଲିଙ୍ଗାଙ୍କୁ କୌଣସି ଲିଗ୍‌ କ୍ରିକେଟ୍‌ରେ ଦେଖିବାକୁ ମିଳିବ ନାହିଁ। ମାଲିଙ୍ଗା ୨୦୧୪ରେ ନିଜ ନେତୃତ୍ଵରେ ଶ୍ରୀଲଙ୍କାକୁ ଟି-୨୦ ବିଶ୍ଵ କପ୍ ଜିତାଇଛନ୍ତି।

ମାଲିଙ୍ଗା ଟ୍ଵିଟ୍ କରି କହିଛନ୍ତି, ମୁଁ ଏବେ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରୁଛି। ମୁଁ ସେହି ଲୋକମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ମୋ ଯାତ୍ରା ସହିତ ରହିଥିଲେ ଏବଂ ସମର୍ଥନ ଦେଇ ଆସୁଥିଲେ। ମୁଁ ଏବେ ଆଗାମୀ ସମୟରେ ଯୁବ କ୍ରିକେଟ୍‌ରଙ୍କୁ ନିଜର ଅନୁଭବ ବାଣ୍ଟିବି। ଏହାର ଅର୍ଥ କ୍ରିକେଟ୍ ଦୁନିଆର ୟର୍କର ସ୍ପେଶାଲିଷ୍ଟ ଭାବେ ପ୍ରସିଦ୍ଧ ମାଲିଙ୍ଗା ଖୁବ୍ ଶୀଘ୍ର କୋଚିଂ ଭୂମିକାରେ ନଜର ଆସିବେ। ସୂଚନାଯୋଗ, ଗତ ବର୍ଷଠୁ ମାଲିଙ୍ଗା ଟି-୨୦ କ୍ରିକେଟ୍‌ରୁ ଦୂରରେ ଥିଲେ। ସେ ଆଇପିଏଲ ୨୦୨୦ରୁ ମଧ୍ୟ ନିଜର ନାମ ଫେରାଇ ନେଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ମାଲିଙ୍ଗା ଏବେ କ୍ରିକେଟ୍‌କୁ ଅଲବିଦା କହିବାକୁ ସ୍ଥିର କରି ନେଇଥିବା ସୂଚନା ଦେଇଥିଲା।

ମାଲିଙ୍ଗା ହେଉଛନ୍ତି ଟି-୨୦ କ୍ରିକେଟ୍‌ରେ ସଫଳତମ ବୋଲରଙ୍କ ମଧ୍ୟରୁ ଜଣେ। ତାଙ୍କର ଟି-୨୦ କ୍ୟାରିୟର ବେଶ୍ ଚମତ୍କାର ରହିଛି। ମାଲିଙ୍ଗା ସମଗ୍ର ଦୁନିଆରେ ୨୯ଟି ଦଳ ପକ୍ଷରୁ ଟି-୨୦ ଖେଳିଛନ୍ତି। ଆଇପିଏଲରେ ସେ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ପ୍ରମୁଖ ସଦସ୍ୟ। ଏହି ଦିଗ୍‌ଜ ବୋଲର ୨୯୫ ଟି-୨୦ ମ୍ୟାଚ୍‌ରୁ ୩୯୦ ଓ୍ଵିକେଟ୍ ହାସଲ କରିଛନ୍ତି। ମାଲିଙ୍ଗାଙ୍କ ଇକୋନୋମି ୭.୦୭ ରହିଛି। ମାଲିଙ୍ଗା ୫ଟି ମ୍ୟାଚ୍‌ରେ ୫-୫ ଓ୍ଵିକେଟ୍ ଏବଂ ୧୦ଟି ମ୍ୟାଚ୍‌ରେ ୪ ଓ୍ଵିକେଟ୍ ନେବାର ସଫଳ ହୋଇଛନ୍ତି।

ମାଲିଙ୍ଗା ନିଜର କ୍ରିକେଟ୍ କ୍ୟାରିୟରରେ ଅନେକ ସଫଳତା ହାସଲ କରିଛନ୍ତି। ମାଲିଙ୍ଗା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପାଞ୍ଚ ଥର ହ୍ୟାଟ୍ରିକ୍ ନେଇଥିବା ବେଳେ କ୍ରମାଗତ ୪ ଓ୍ଵିକେଟ୍ ନେବାର ବିରଳ ରେକର୍ଡ କରିଛନ୍ତି। ମାଲିଙ୍ଗା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦୦ ଓ୍ଵିକେଟ୍‌ ହାସଲ କରିବାରେ ପ୍ରଥମ ବୋଲର। ଦିନିକିଆରେ ତିନି ଥର ହ୍ୟାଟ୍ରିକ୍ ଓ୍ଵିକେଟ୍ ନେବାରେ ପ୍ରଥମ ବୋଲର ହେଉଛନ୍ତି ମାଲିଙ୍ଗା। ଏଥିସହ ବ୍ୟାଟିଂରେ ମଧ୍ୟ ସେ ୨୦୧୦ରେ ଅବିଶ୍ଵସନୀୟ ପ୍ରଦର୍ଶନ କରିଥିଲେ। ମାଲିଙ୍ଗା ଆଞ୍ଜେଲୋ ମାଥ୍ୟୁସ୍‌ଙ୍କ ସହ ମିଶି ନବମ ଓ୍ଵିକେଟ୍ ପାଇଁ ୧୩୨ ରନ ଯୋଡିଥିଲେ, ଯାହା ଆଜି ମଧ୍ୟ ବିଶ୍ଵ ରେକର୍ଡ ହୋଇ ରହିଛି।

ମାଲିଙ୍ଗା ଆଇପିଏଲ୍‌ରେ ମଧ୍ୟ ସବୁଠୁ ଅଧିକ ୧୭୦ ଓ୍ଵିକେଟ୍ ହାସଲକାରୀ  ବୋଲର। ହେଲେ ଅମିତ୍ର ମିଶ୍ର ତାଙ୍କ ରେକର୍ଡ ଭାଙ୍ଗିବାଠୁ ମାତ୍ର ୫ ଓ୍ଵିକେଟ୍ ଦୂରରେ ଅଛନ୍ତି। ମାଲିଙ୍ଗା ନିଜର ୟର୍କର ପାଇଁ କ୍ରିକେଟ୍‌ ଦୁନିଆରେ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଯଶପ୍ରୀତ ବୁମରାଙ୍କ ସଫଳତା ପଛରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ହାତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.