ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଅବସର ନେବାକୁ ଧମକ ଦେଲେ ଶ୍ରୀଲଙ୍କା ଖେଳାଳି ! ଚିନ୍ତାରେ ବୋର୍ଡ

Published By : Prameya-News7 Bureau | May 17, 2021 IST

ନୂଆଦିଲ୍ଲୀ ୧୭ ।୦୫: ଭାରତୀୟ କ୍ରିକେଟ୍ ଦଳର ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନୋଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚ୍ ସିରିଜ୍ ଖେଳାଯିବ। ହେଲେ ଏହା ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ୍ ଖେଳାଳି ନିଜ ବୋର୍ଡର କାର୍ଯ୍ୟଶୈଳୀକୁ ନେଇ ଖପ୍ପା। ଖେଳାଳିଙ୍କ ଅସନ୍ତୋଷ ଏତେ ଅଧିକ ରହିଛି ଯେ, ଅବସର ନେବାକୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ଧମକ ଦେଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା ଖେଳାଳି ବୋର୍ଡର  ନୂତନ ଗ୍ରେଡିଂ ସିଷ୍ଟମକୁ ନେଇ ଅସନ୍ତୁଷ୍ଟ ଅଛନ୍ତି।  

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ନୂତନ ଗ୍ରେଡିଂ ସିଷ୍ଟମ ଲାଗୁ କରିଛି । ଖେଳାଳିଙ୍କୁ ଚାରି ଗ୍ରୁପରେ ବିଭକ୍ତ କରାଯାଇଛି । ଗ୍ରେଡିଂ ସିଷ୍ଟମ ଅନୁସାରେ ଖେଳାଳିଙ୍କୁ ପଏଣ୍ଟ ଦିଆଯିବ ଏବଂ ଏହାରି ଆଧାରରେ ସେମାନଙ୍କର ବାର୍ଷିକ ବେତନ ସ୍ଥିର ହେବ । ଏଥିରେ ଖେଳାଳିଙ୍କ ଫିଟନେସ୍‌, ବ୍ୟବହାର, ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଦର୍ଶନକୁ ମାପଦଣ୍ଡ କରାଯିବ।  ଖେଳାଳି କିପରି ପ୍ରଦର୍ଶନ କରୁଛନ୍ତି, ସେହି ଆଧାରରେ ଖେଳାଳିଙ୍କୁ ଅଙ୍କ ମିଳିବ।

କାହିଁକି ବୋର୍ଡକୁ ବିରୋଧ କରୁଛନ୍ତି ଖେଳାଳି

ଗ୍ରେଡିଂ ସିଷ୍ଟମକୁ ନେଇ ଖେଳାଳି ଅସନ୍ତୁଷ୍ଟ ହେବାର କାରଣ ସେମାନଙ୍କୁ ଲାଗୁଛି ଯେ, ଏଥିରେ ପାରଦର୍ଶିତାର ଅଭାବ ରହିଛି । ନୂତନ ସିଷ୍ଟମରେ ସେମାନଙ୍କର ଆୟ ଉପରେ ଗଭୀର ପ୍ରଭାବ ପଡିଛି। ବାର୍ଷିକ ଆୟରେ ହ୍ରାସ ଘଟିଛି । କରୋନା ଭାଇରସ୍ ପ୍ରଭାବରେ  ହୋଇଥିବା କ୍ଷତିକୁ ଦୃଷ୍ଟିରେ ରଖି ନିକଟରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ନୂତନ ସିଷ୍ଟମ ଲାଗୁ କରିଛି। ଏହାରି ଆଧାରରେ ଖେଳାଳିଙ୍କ ବେତନ ହ୍ରାସ ପାଇଛି।

ଶ୍ରୀଲଙ୍କା ଖେଳାଳି ଜାଣିବାକୁ ଚାହୁଁଛନ୍ତି ଯେ, ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ କିପରି ଏବଂ କେଉଁ ଆଧାରରେ ସେମାନଙ୍କୁ ପଏଣ୍ଟ ଦେବ । ଯଦି ସେମାନେ ପୂରା ପ୍ରକ୍ରିୟା ବିଷୟରେ ଜାଣିବେ ତେବେ ସେହି ଆଧାରରେ ନିଜକୁ ଦଳ ପାଇଁ ପ୍ରସ୍ତୁତ କରିବେ। ନିଜ ଖେଳରେ ଉନ୍ନତି ପାଇଁ ସେହି ଦିଗରେ ପ୍ରୟାସ କରିବେ।

ସୂଚନାଯୋଗ୍ୟ, ଶ୍ରୀଲଙ୍କା କ୍ରିକେଟ୍ ଦଳ କିଛି ବର୍ଷ ଧରି ଆର୍ଥିକ ସମସ୍ୟା ଦେଇ ଗତି କରୁଛି। ଗତ ପାଞ୍ଚ ବର୍ଷରେ ଦଳରେ ନଅ ଜଣ ଅଧିନାୟକ ପରିବର୍ତ୍ତନ ହୋଇ ସାରିଛି। ନିକଟରେ ବୋର୍ଡ କୁଶଳ ପେରେରାଙ୍କୁ ଦିନିକିଆରେ ନୂତନ ଅଧିନାୟକ ଭାବେ ନିଯୁକ୍ତ କରିଛି। ବାଂଲାଦେଶ ଗସ୍ତ ପାଇଁ ଚୟନ ଦଳରେ ଆଞ୍ଜେଲା ମାଥ୍ୟୁସ ଓ ଦିନେଶ ଚାନ୍ଦିମାଲଙ୍କୁ ମଧ୍ୟ ସ୍ଥାନ ମିଳିନାହିଁ। ଅପରପକ୍ଷେ ଦିମୁଥ କରୁଣାରତ୍ନେଙ୍କୁ ଅଧିନାୟକ ପଦରୁ ହଟାଯିବା ସହ ଦଳରୁ ମଧ୍ୟ ବାଦ୍ ଦିଆଯାଇଛି। ଶ୍ରୀଲଙ୍କା ଦଳ ବାଂଲାଦେଶ ବିପକ୍ଷରେ ମେ ୨୩ରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। ଭାରତ ବିପକ୍ଷରେ ଦିନିକିଆ ସିରିଜ୍ ଜୁଲାଇ ୧୩ରୁ ଆରମ୍ଭ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.