ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ୨୩୭ ଓ୍ଵିକେଟ୍ ନେଇଥିବା ଶ୍ରୀଲଙ୍କା ବୋଲର, ଭାରତ ବିପକ୍ଷରେ ଖେଳିଥିଲେ ପ୍ରଥମ ମ୍ୟାଚ୍

Published By : Prameya-News7 Bureau | May 03, 2021 IST

ନୂଆଦିଲ୍ଲୀ ୦୩।୦୫: ଶ୍ରୀଲଙ୍କାର ଅଲରାଉଣ୍ଡର ତଥା ପୂର୍ବତନ ଅଧିନାୟକ ଥିସାରା ପେରେରା ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ପେରେରା ଶ୍ରୀଲଙ୍କା କ୍ରିକେଟ୍‌କୁ ନିଜର ପତ୍ର ପ୍ରଦାନ କରି ଏହା ଅବସର ନେବାର ଏବଂ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାର ଏହା ସଠିକ୍ ସମୟ ବୋଲି କହିଛନ୍ତି। ପେରେରା ୨୦୦୯ରେ ଭାରତ ବିପକ୍ଷ ଦିନିକିଆ ସିରିଜ୍‌ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ। ଏହାର ଦୁଇ ବର୍ଷ ପରେ ତାଙ୍କୁ ଟେଷ୍ଟରେ ସୁଯୋଗ ମିଳିଥିଲା। ସେ ୨୦୧୦ରେ  ଜିମ୍ବାଓ୍ଵେ ବିପକ୍ଷରେ ଟି-୨୦ ଅନ୍ତରାଷ୍ଟ୍ରୀୟରେ ପଦାର୍ପଣ କରିଥିଲେ।

ପେରେରା ଶ୍ରୀଲଙ୍କା ପାଇଁ ୬ ଟେଷ୍ଟ, ୧୬୬ ଦିନିକିଆ ଓ ୮୪ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ଦିନିକିଆରେ ୨୩୩୮ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଓ ୧୦ ଅର୍ଦ୍ଧଶତକ ସାମିଲ। ଦିନିକିଆରେ ସେ ୧୭୫ ଓ୍ଵିକେଟ୍  ହାସଲ କରିଛନ୍ତି।  ଟି-୨୦ରେ ୧୨୦୪ ରନ କରିବା ସହ ୫୧ ଓ୍ଵିକେଟ୍ ନେଇଥିଲେ।  ପେରେରା ଚଳିତ ବର୍ଷ ମାର୍ଚ୍ଚରେ ଶ୍ରୀଲଙ୍କାର ଏକ ଘରୋଇ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ଓଭରରେ ୬ ଛକା ମାରିବାରେ ପ୍ରଥମ ଶ୍ରୀଲଙ୍କା ଖେଳାଳି ହେବାର ରେକର୍ଡ କରିଥିଲେ।

ସେ ୨୦୧୬ ପର୍ଯ୍ୟନ୍ତ ଇଣ୍ଡିଆନ ପ୍ରିମିୟର୍ ଲିଗ୍(ଆଇପିଏଲ୍) ଖେଳିଥିଲେ। ଏହି ସମୟରେ ଚେନ୍ନାଇ ସୁପରକିଙ୍ଗ୍ସ, କୋଚି ଟସ୍କର୍ସ କେରଳ, ପଞ୍ଜାବ କିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ସନରାଇଜର୍ସ  ହାଇଦ୍ରାବାଦ ଓ ରାଇଜିଂ ପୁଣେ ସୁପରଜାଇଣ୍ଟ୍ସ ତରଫରୁ ପ୍ରତିନିଧିତ୍ଵ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.