ଆସନ୍ତାକାଲି ଜନ୍ମାଷ୍ଟମୀ : ଶ୍ରୀମନ୍ଦିରରେ ବିଶେଷ ନୀତି, ଭୁବନେଶ୍ବର ରାମ ମନ୍ଦିରରେ ରାତି ୧୨ଟାରେ ଜନ୍ମ ଆଳତୀ

Published By : Prameya-News7 Bureau | September 01, 2018 IST

ଭୁବନେଶ୍ବର ୧|୯: ଆସନ୍ତାକାଲି ଜନ୍ମାଷ୍ଟମୀ । କିମ୍ବଦନ୍ତୀ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ । ଏଥି ପାଇଁ ଦେଶର ସବୁ ମଠ, ମନ୍ଦିର ଉତ୍ସବମୁଖର । ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ବର ରାମ ମନ୍ଦିରରେ ଜନ୍ମାଷ୍ଟମୀ ପାଇଁ ସ୍ବତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ କରାଯାଇଛି । ସେପଟେ ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ବର ରାମ ମନ୍ଦିରରେ ଜନ୍ମାଷ୍ଟମୀ ପାଇଁ ସ୍ବତନ୍ତ୍ର ନୀତିକାନ୍ତି ସ୍ଥିର ହୋଇଛି । କୃଷ୍ଣ ଜନ୍ମନୀତି ପାଇଁ ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ପରେ ସାଢେ ୫ଟାରୁ ରାତି ସାଢେ ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ମଦନ ମୋହନଙ୍କୁ ଜୟ ବିଜୟ ଦ୍ବାର ନିକଟକୁ ଆଣି ମହାଜନ ସେବାୟତମାନେ ସ୍ବତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରିବେ । ସେପଟେ ରବିବାର ରାତି ୧୨ଟାରେ ରାମ ମନ୍ଦିରରେ ହେବ ଶ୍ରୀକୃଷ୍ଣ ଜନ୍ମ ଆଳତୀ ନୀତି । ସୋମବାର ପାଳନ ହେବ ନନ୍ଦୋତ୍ସବ । ପିଲା ବେଳୁ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ଥିଲା ଲବଣୀ । ଏପରିକି ଦହି ହାଣ୍ଡିରୁ ଲବଣୀ ଚୋରି କରି ସେ ଖାଇ ଯାଉଥିଲେ । ତେଣୁ ଜନ୍ମାଷ୍ଟମୀ ଅବସରରେ ଦେଶର କିଛି ସ୍ଥାନରେ ଦହିହାଣ୍ଡି ଭାଙ୍ଗିବାର ପରମ୍ପରା ମଧ୍ୟ ରହିଛି । ମୁମ୍ବାଇରେ ଦହିହାଣ୍ଡି ବା ମଟକି ଭାଙ୍ଗିବାକୁ ହୋଇଛି ସ୍ବତନ୍ତ୍ର ଆୟୋଜନ । ସେପଟେ ଆସନ୍ତାକାଲିଠାରୁ ମଧ୍ୟ ଆରମ୍ଭ ହେଉଛି ଖୁଦୁରୁକୁଣି ଓଷା । ଭାଇମାନଙ୍କ ମଙ୍ଗଳ ମନାସୀ, ଭଉଣୀମାନେ ୫ଟି ରବିବାର ଖୁଦୁରୁକୁଣି ଓଷା ପାଳିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.