ଆଜିଠୁ ଶ୍ରୀଜିଉଙ୍କ ଭିତର ଚନ୍ଦନ ଯାତ୍ରା, ଅନୁଷ୍ଠିତ ହେବ ଆଲଟ ଓ ଚନ୍ଦନ ଲାଗି ନୀତି

Published By : Prameya-News7 Bureau | June 05, 2021 IST

ପୁରୀ ୦୫/୦୬ : ଆଜିଠୁ ଶ୍ରୀମନ୍ଦିରରେ ଠାକୁରଙ୍କ ଭିତର ଚନ୍ଦନ ଯାତ୍ରାର ଶୁଭାରମ୍ଭ ହେବ। ଏହି ଅବସରରେ ଶ୍ରୀଜିଉମାନଙ୍କର ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ହେବ । ଗତକାଲି ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରାର ଶେଷ ପର୍ବ ‘ହଳଦୀ ପାଣି’ ଉତ୍ସବ ଶୁକ୍ରବାର ସମ୍ପନ୍ନ ହୋଇଛି । ଠାକୁରେ ହଳଦୀ ପାଣିରେ ପିଚ୍‌କାରୀ ଖେଳିଛନ୍ତି । ଏହି ଅବସରରେ ଶ୍ରୀବିଗ୍ରହଙ୍କ କେବଳ ଦିନ ଚାପ ଅନୁଷ୍ଠିତ ହୋଇଛି । ଅପରାହ୍ନ ୫ଟା୫୫ ମନିଟ୍‌ରେ ଚାପ ଆରମ୍ଭ ହୋଇଥିଲା । ଠାକୁରଙ୍କ ପୂଜାର୍ଚ୍ଚନା ସହ ବନ୍ଦାପନା ନୀତି ବଢିଥିଲା । ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ଶ୍ରୀମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ କୃଷ୍ଣ, ପଞ୍ଚମହାଦେବ ଶ୍ରୀଜମ୍ୱେଶ୍ୱର, ଶ୍ରୀଲୋକନାଥ, ଶ୍ରୀକପାଳମୋଚନ, ଶ୍ରୀମାର୍କଣ୍ଡେୟ ଓ ଶ୍ରୀନୀଳକଣ୍ଠେଶ୍ୱର ବିଜେ ହୋଇଥିଲେ ।

କରୋନା କଟକଣା ପାଇଁ ଅନ୍ୟ ବର୍ଷ ଭଳି ଠାକୁରଙ୍କ ନୀତି ଦର୍ଶନ କରିବାକୁ ସାଧାରଣ ଭକ୍ତଙ୍କ ଭିଡ଼ ନଥିଲା । ଏଥିସହିତ ଠାକୁରଙ୍କ ବାହାର ଚନ୍ଦନଯାତ୍ରା ଶେଷ ହୋଇଛି । ଶନିବାରଠାରୁ ଶ୍ରୀମନ୍ଦିରରେ ଠାକୁରଙ୍କ ଭିତର ଚନ୍ଦନ ଯାତ୍ରାର ଶୁଭାରମ୍ଭ ହେବ । ଏହି ଅବସରରେ ଶ୍ରୀଜିଉମାନଙ୍କର ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ହେବ । ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ ଓ ରୁକ୍ମିଣୀ ହରଣ ଏକାଦଶୀ ତିଥିମାନଙ୍କରେ ଶ୍ରୀମନ୍ଦିରସ୍ଥ ଜଳକ୍ରୀଡ଼ା ମଣ୍ଡପରେ ଠାକୁରମାନଙ୍କ ‘ଜଳକ୍ରୀଡ଼ା’ ଉତ୍ସବ ଅନୁଷ୍ଠିତ ହେବ । ଭିତର ଚନ୍ଦନଯାତ୍ରା ୨୧ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ବିଧି ରହଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.