ଶ୍ରୀମନ୍ଦିର ଇତିହାସରେ ପ୍ରଥମ: ଏଥର ଦେବସ୍ନାନ ପୂର୍ଣ୍ଣିମାରେ ରାତି ଅଧରେ ହେବ ପହଣ୍ଡି, ସାହାଣମେଲା ଦର୍ଶନ ବନ୍ଦ

Published By : Prameya-News7 Bureau | May 28, 2020 IST

ପୁରୀ, ୨୮|୦୫:  ଏଥର ଜୁନ ୫ ତାରିଖରେ ଦେବସ୍ନାନ ପୂର୍ଣ୍ଣିମାରେ ରାତି ଅଧରେ ହେବ ପହଣ୍ଡି ।  ଏହା ଶ୍ରୀମନ୍ଦିର ଇତିହାସରେ ପ୍ରଥମ । ଚଳିତବର୍ଷ ମହାପ୍ରଭୂଙ୍କ ପବିତ୍ର ସ୍ନାନପୂର୍ଣ୍ଣିମାରେ ରାତି ଗୋଟାଏରୁ ଆରମ୍ଭ ହେବ ପହଣ୍ଡି ନୀତି। କରୋନା ଯୋଗୁଁ ଭକ୍ତଙ୍କ ସାହାଣମେଲା ଦର୍ଶନ ବନ୍ଦ ରହିବ।

ନିଶା ଗରଜୁଥିବ। ଚାରିଆଡ଼େ ନିସ୍ତବ୍ଧତା ଭିତରେ ହଠାତ ଶ୍ରୀମନ୍ଦିର ଭିତରୁ ଶୁଭିବ ଘଣ୍ଟଘଣ୍ଟାର ନାଦ । ଅଧରାତିରେ ସେବାୟତଙ୍କ ଗହଣରେ ରତ୍ନ ସିଂହାସନରୁ ଓହ୍ଲାଇ ଆସିବେ ମହାବାହୁ। ସେ ଲୀଳାମୟ। ଏବେ ଆଉ ଏକ ଲୀଳା। ଯାହା କେବେ ହୋଇନଥିଲା। ତାହାହିଁ ଏଥର ହେବାକୁ ଯାଉଛି। ରାତି ଅଧରେ ହେବ ପହଣ୍ଡି। ନଥିବେ ଭକ୍ତ। ତଥାପି ବି ରତ୍ନସିଂହାସନରୁ ଓହ୍ଲାଇ ସ୍ନାନମଣ୍ଡପକୁ ଆସିବେ ଶ୍ରୀଜୀଉ । କରୋନା କଟକଣାକୁ ଦେଖି ଏଥର ସ୍ନାନନୀତି ଏମିତି କିଛି ପ୍ରସ୍ତୁତ କରାଯାଇଛି। ରାତି ଗୋଟାଏରୁ ୪ଟା  ମଧ୍ୟରେ ହେବ ଶ୍ରୀଜିଉମାନଙ୍କ ଧାଡ଼ି ପହଣ୍ଡି | ମଧ୍ୟରାତ୍ରରୁ ମହାପ୍ରଭୁଙ୍କ ପହଣ୍ଡି ଶ୍ରୀମନ୍ଦିର ଇତିହାସରେ ପ୍ରଥମ ।

ଭୋର୍ ୪ ଟା ୩୦ ରେ ହେବ ମଙ୍ଗଳଆଳତୀ  | ୪ଟା ୪୦ରେ ମଇଲମ , ୫ଟା ରେ ତଡ଼ପ ଲାଗି ପରେ ଅଧର ପୋଛା, ଅବକାଶ, ରୋଷହୋମ, ବେଶ ଶେଷ, ସୂର୍ଯ୍ୟ ପୂଜା ଓ ଅନ୍ୟାନ୍ୟ ନୀତି ବଢ଼ି ସକାଳ ୭ ଟା ୩୦ ରୁ ୯ ଟା ୩୦ ମଧ୍ୟରେ ହେବ ଜଳ ବିଜେ, ପୂଜା ଓ ସ୍ନାନ ନୀତି । ୧୦ଟା ୩୦ ରେ ସ୍ନାନ ବେଦିରେ ଗଜପତି ମହାରାଜା କରିବେ ଛେରା ପହଁରା।  ଦିନ ୧୧ଟା ରୁ ୧୨ ଟା ମଧ୍ୟରେ ଗଜବେଶରେ ଦର୍ଶନ ଦେବେ ଶ୍ରୀଜୀଉ।

ଦିନ ଗୋଟାଏ ରୁ ୩ଟା ମଧ୍ୟରେ ସକାଳ ଧୂପ ନୀତି । ସନ୍ଧ୍ୟା ୫ ଟା ରୁ ୮ ଟା ମଧ୍ୟରେ ଚତୁର୍ଦ୍ଧା ବିଗ୍ରହଙ୍କ ଅଣସର ଘରକୁ ବାହୁଡ଼ା ପହଣ୍ଡି ନୀତି  ହେବ । ତେବେ କରୋନା କଟକଣାକୁ ଦେଖି ଏବେ ସାଧାରଣ ଦର୍ଶକଙ୍କ ସାହାଣମେଲା ତେବେ ଟିଭିରେ ଭକ୍ତ ଶ୍ରୀଜୀଉଙ୍କର ଏସବୁ ନୀତିକାନ୍ତି ଦର୍ଶନ କରିପାରିବେ। ଯିଓ ବିଶ୍ବ ନିୟନ୍ତା ତାଙ୍କର ଇଏ ଆଉ ଏକ ଲୀଳା। ଦୂରରୁ ହେଲେ ବି ଲୀଳାମୟ ଠାକୁରଙ୍କ ଆଉ ଏକ ଲୀଳାର ଦର୍ଶନ ସେହିଭଳି କରିବ।

ଚଳିତବର୍ଷ ୧୫ଦିନ ଅଣସର ନୀତି ହୋଇପାରିବ ବୋଲି ଦଇତାପତି ସେବକ ଆଶା ରଖିଛନ୍ତି । କରୋନାର କଳାବାଦଲ ହଟିଯିବ। ଅଣସର ପରେ ମହାବାହୁ ଓହ୍ଲାଇ ଆସିବେ ରଥକୁ। ଭକ୍ତ ମଧ୍ୟ ଦର୍ଶନ କରିବ ଦୂରରୁ, କହୁଥିବ ତୋର ଇଚ୍ଛା ପୂର୍ଣ୍ଣ ହେଉ ମହାବାହୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.