ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା : କରୋନା କଟକଣା ଭିତରେ ନରେନ୍ଦ୍ର ପୁଷ୍କରିଣୀ ଚାପ ଖେଳ ପାଇଁ ପ୍ରସ୍ତୁତ ହେଉଛି

Published By : Prameya-News7 Bureau | April 23, 2020 IST

ଆଉ ୨ ଦିନ ପରେ ପବିତ୍ର ଅକ୍ଷୟ ତୃତୀୟା । ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ଶୁଭାରମ୍ଭ ସହିତ ଆରମ୍ଭ ହେବ ରଥ ଅନୁକୂଳ କାର୍ଯ୍ୟ। ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ସମସ୍ତ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ କରୋନ କଟକଣା ଯୋଗୁଁ ସମାଜିକ ଦୂରତା ରଖିବା ସହ ମୁହଁରେ ମାସ୍କ ପିନ୍ଧି ସମସ୍ତ କାର୍ଯ୍ୟ କରୁଛନ୍ତି ସେବାୟତ।। ଏଥ ର ଚନ୍ଦନ ଯାତ୍ରା ଦେଖିବା ପାଇଁ ଭକ୍ତଙ୍କୁ ଅନୁମତି ନାହିଁ ।

ସଜେଇ ହେଉଛି ନରେନ୍ଦ୍ର ପୁଷ୍କରିଣୀ । ସଜେଇ ହେଉଛନ୍ତି ନନ୍ଦା ଆଉ ଭଦ୍ରା । ଆଉ ୨ ଦିନ ପରେ ଅର୍ଥାତ୍ ୨୬ ତାରିଖରେ ଶ୍ରୀଜିଉଙ୍କ ପବିତ୍ର ଚନ୍ଦନ ଯାତ୍ରା । ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀରେ ଚାଲିଛି ସ୍ବତନ୍ତ୍ର ପ୍ରସ୍ତୁତି । ନନ୍ଦିଘୋଷ, ତାଳଧ୍ବଜ, ଦର୍ପଦଳନ ରଥର ମୁଖ୍ୟ ବିଶ୍ବକର୍ମାଙ୍କ ସହ ଭୋଇ ସର୍ଦ୍ଦାରଙ୍କ ନେତୃତ୍ବରେ ଭୋଇ ସେବାୟତ ମାନେ ଡ଼ଙ୍ଗାରେ ପଟ୍ଟା ବାଡ଼ିଆ କାର୍ଯ୍ୟ କରୁଛନ୍ତି । ନରେନ୍ଦ୍ର ପୁଷ୍କରିଣୀରେ ଥିବା ସମସ୍ତ ଦେବାଦେବୀଙ୍କ ମୂର୍ତ୍ତିକୁ ପ୍ରାକୃତିକ ରଙ୍ଗ ଦ୍ବାରା ସଜ୍ଜିତ କରାଯାଉଛି । ହଂସ, ପଟ୍ଟା ମଧ୍ୟ ରଙ୍ଗ କରାଯାଇ ଖରାରେ ଶୁଖାଯାଇଛି । କରୋନା କଟକଣା ଯୋଗୁଁ ସେବାୟତ ମାନେ ନିଜ ମଧ୍ୟରେ ସମାଜିକ ଦୂରତା ରଖିବା ସହ ମୁହଁରେ ମାସ୍କ ଏବଂ ଗାମୁଛା ବାନ୍ଧି ସମସ୍ତ କାର୍ଯ୍ୟ ତୁଲାଉଛନ୍ତି ।    

ତେବେ ଏହି ୨୧ ଦିନର ବାହାର ଚାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସଅଳ ବାହାରି ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବେ । ସେବକମାନେ ମହାପ୍ରଭୁଙ୍କୁ ବିମାନରେ ଆଣିଲା ବେଳେ ସାବଧାନତା ଅବଲମ୍ବନ କରିବେ । ସବୁଠାରୁ ବଡ଼ କଥା ହେଲା କରୋନା କଟକଣା ଯୋଗୁଁ ଏଥର ଚାପ ଦେଖିବା ପାଇଁ ଭକ୍ତଙ୍କୁ ଅନୁମତି ମିଳିବ ନାହିଁ ।

ମହାପ୍ରଭୁ ଦିନରୁ ଦିନରୁ ଚାପ ଖେଳ ସାରି ସନ୍ଧ୍ୟାରେ ଶ୍ରୀମନ୍ଦିରକୁ ବିଜେ କରିବେ । ୨୬ ତାରିଖ ସୁଦ୍ଧା ନରେନ୍ଦ୍ର ପୁଷ୍କରିଣୀରେ ଚାପ ପାଇଁ ସମସ୍ତ କାର୍ଯ୍ୟ ସଂପନ୍ନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.