Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସନ୍ତାକାଲି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ, ଜନ୍ମବେଦୀ ଛାଡ଼ିବେ ଚତୁର୍ଦ୍ଦାମୂର୍ତ୍ତି

30/06/2020 at 6:15 PM

ପୁରୀ ୩୦/୦୬ : ବିନା ଭକ୍ତରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ । ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ହେଉଛି ଶେଷ ଦର୍ଶନ । ଏଥି ସହ ଆଡ଼ପ ମଣ୍ଡପରେ ଅନ୍ତିମ ପର୍ବ ସରିବା ପରେ ଆସନ୍ତାକାଲି ପୁଣି ଥରେ ଶ୍ରୀମନ୍ଦିରକୁ ବାହୁଡ଼ା ଯାତ୍ରାରେ ବାହାରିବେ ଚତୁର୍ଦ୍ଦାମୂରତି । ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବିନା ଭକ୍ତରେ  ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ  କରିବାକୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।….

ଆଡ଼ପ ମଣ୍ଡପରେ ଅନ୍ତିମ ପର୍ବ ସଂଧ୍ୟା ଦର୍ଶନ । ଜନ୍ମବେଦୀରେ ମହାପ୍ରଭୁଙ୍କ ଏହା ହେଉଛି ଶେଷ ଦର୍ଶନ । ତେବେ କୋଭିଡ୍‌ କଟକଣା ପାଇଁ ଏଥର ବିନା ଭକ୍ତରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ ନୀତି ସମ୍ପନ୍ନ ହୋଇଛି । ରାତି ପାହିଲେ ପୁଣି ଶ୍ରୀମନ୍ଦିରକୁ ବାହୁଡ଼ା ଯାତ୍ରାରେ ବାହାରିବେ ଚତୁର୍ଦ୍ଧାମୂରତି । ରାତି ୭ଟାରେ ପହୁଡ଼ ଆଳତୀ ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ବାହୁଟ କଣ୍ଟ, ଚାରମାଳ ବନ୍ଧା, କୁସୁମିଲାଗି ନୀତି ଅନୁଷ୍ଠିତ ହେବ । ତେବେ ଆସନ୍ତାକାଲି ବାହୁଡ଼ା ବ୍ରହ୍ମଙ୍କ ବାହୁଡ଼ା ପର୍ବଲାଗି ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତିକୁ ସଅଳ କରିଛନ୍ତି ସେବାୟତ । ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ବାହାରିଥିଲା ଆଡ଼ପ ଅବଢ଼ା ।  

ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ନିର୍ଘଣ୍ଟ କରାଯାଇଛି । ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ଭିତରେ ଶ୍ରୀବିଗ୍ରହମାନଙ୍କ ବାହୁଡ଼ା ପହଣ୍ଡି ନୀତି ସମ୍ପନ୍ନ ହେବ । ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଭିତରେ ରଥ ଉପରେ ଛେରାପହଁରା ସରିବା ପରେ ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହେବ ରଥଟଣା । ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବିନା ଭକ୍ତରେ  ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ  କରିବାକୁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି । ଆଜି ରାତି ୧୦ଟାରୁ ୨ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ସାରା ଜିଲ୍ଲାରେ କର୍ଫ୍ୟୁ ଜାରି ହେବ । ପୁରୀ ସହରର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରିବା ସହ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଆସନ୍ତାକାଲି ଶ୍ରୀଜିଉମାନଙ୍କ ବାହୁଡ଼ାଯାତ୍ରା ହେବାକୁ ଥିବା ବେଳେ ଜୁଲାଇ ୧ରେ ରଥାରୂଢ଼ ମହାପ୍ରଭୁଙ୍କ ସୁନାବେଶ, ୨ରେ ଅଧରପଣା ନୀତି ଏବଂ ୩ରେ ନିଳାଦ୍ରୀବିଜେ ନୀତି ସମ୍ପନ୍ନ ହେବ । ଆଉ ଶ୍ରୀଗୁଣ୍ଡଚା ଯାତ୍ରା ଭଳି ମହାପ୍ରଭୁଙ୍କ ଏ ସମସ୍ତ ନୀତିକାନ୍ତିର ସିଧାପ୍ରସାରଣ ଟେଲିଭିଜନ ମାଧ୍ୟମରେ ଦେଖିପାରିବେ ଭକ୍ତ ।

   Related Posts