ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗସ୍ ଏକାଦଶ ପଞ୍ଜାବ, ବିଜୟଧାରାକୁ ଫେରିବା ଉଭୟ ଦଳର ଲକ୍ଷ୍ୟ

Published By : Prameya-News7 Bureau | October 08, 2020 IST

ଦୁବାଇ,୦୮|୧୦: ଆଜି ଆଇପିଏଲର ମୁକାବିଲାରେ ମୁହାଁମୁହିଁ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ । କିଙ୍ଗ୍‌ସ ଏକାଦଶ ଲାଗାତର ୩ଟି ମ୍ୟାଚ୍‌ ହାରି ତାଲିକାର ନିମ୍ନ ସ୍ଥାନରେ ରହିଛି। ଅନ୍ୟ ପଟରେ ସନ୍‌ରାଇଜର୍ସ ପୂର୍ବ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ପରାଜିତ ହୋଇଥିଲା । ତେଣୁ ଆଜିର ମ୍ୟାଚ୍‌ ମାଧ୍ୟମରେ ଉଭୟ ଦଳ ବିଜୟଧାରାକୁ ଫେରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ଆଜିର ମ୍ୟାଚ୍ ମଧ୍ୟ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ।

କିଙ୍ଗ୍‌ସ ଏକାଦଶ ୫ଟି ମ୍ୟାଚ୍‌ ଖେଳି ଗୋଟିଏରେ ବିଜୟ ହାସଲ କରିଛି। ବୋଲିଂ ବିଭାଗର ନୈରାଶ୍ୟଜନକ ପ୍ରଦର୍ଶନ ପରାଜୟର ମୁଖ୍ୟ କାରଣ ହୋଇଛି। ସୁପର କିଙ୍ଗ୍‌ସ କୌଣସି ୱିକେଟ୍‌ ନହରାଇ ବିଜୟ ହାସଲ କରିଥିଲା। ବ୍ୟାଟିଂ ବିଭାଗ ଦୃଢ଼ ରହିଛି। ଅଧିନାୟକ ଲୋକେଶ ରାହୁଲ ଓ ମୟଙ୍କ୍‌ ଅଗ୍ରୱାଲ ଗୋଟିଏ ଲେଖାଏଁ ଶତକ ହାସଲ କରିଥିବାବେଳେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ସ୍କୋରର ତାଲିକାରେ ଯଥାକ୍ରମେ ପ୍ରଥମ ଓ ତୃତୀୟ ସ୍ଥାନରେ ଅଛନ୍ତି । କିନ୍ତୁ ନିକୋଲାସ ପୂରନ ଓ ଗ୍ଲେନ୍‌ ମାକ୍ସୱେଲଙ୍କ ଫର୍ମ ଚିନ୍ତାଜନକ ରହିଛି । ଆଜିର ମ୍ୟାଚ୍‌ରେ ରାହୁଲ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିପାରନ୍ତି। ଦୁର୍ଦ୍ଦର୍ଷ ଓପନର କ୍ରିସ୍‌ ଗେଲ୍‌ ଓ ସ୍ପିନର ମୁଜିବ ଉର ରେହମାନଙ୍କୁ ସୁଯୋଗ ମିଳିପାରେ। ବୋଲିଂ ବିଭାଗରେ ପେସ୍‌ ବୋଲର ମହମ୍ମଦ ସାମିଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୋଲର ସଂଘର୍ଷ କରୁଛନ୍ତି। ପରାଜୟଧାରା ଭାଙ୍ଗିବାକୁ ହେଲେ ବୋଲିଂ ବିଭାଗରେ ଉନ୍ନତି ଆଣିବା ଜରୁରୀ ।

ଡେଭିଡ୍‌ ୱାର୍ଣ୍ଣରଙ୍କ ନେତୃତ୍ୱାଧିନ ସନ୍‌ରାଇଜର୍ସ ଦଳ ୫ଟି ମ୍ୟାଚ୍‌ରୁ ୨ଟିରେ ବିଜୟ ଓ ୩ଟିରେ ପରାଜିତ ହୋଇଛି। ପୂର୍ବ ମ୍ୟାଚ୍‌ରେ ଦଳ ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ୩୪ରନ୍‌ରେ ପରାସ୍ତ ହୋଇଥିଲା। ଷ୍ଟାର୍‌ ପେସ୍‌ ବୋଲର ଭୁବନେଶ୍ୱର କୁମାରଙ୍କ ଅନୁପସ୍ଥିତି ଦଳୀୟ ପ୍ରଦର୍ଶନକୁ ପ୍ରଭାବିତ କରିଥିଲା। ଅନ୍ୟ ପେସ୍‌ ବୋଲର ଖଲିଲ୍‌ ଅହମ୍ମଦ ଓ ଟି ନଟରାଜନ ଅଧିକ ରନ୍‌ ବ୍ୟୟ କରିଛନ୍ତି। ବ୍ୟାଟିଂ ବିଭାଗ ଅପେକ୍ଷାକୃତ ଶକ୍ତିଶାଳୀ ରହିଛି। ୱାର୍ଣ୍ଣର ପୂର୍ବ ମ୍ୟାଚ୍‌ରେ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଫର୍ମକୁ ଫେରିଛନ୍ତି। ଅନ୍ୟ ଓପନର ଜନି ବେୟାରଷ୍ଟୋ, ମନୀଷ ପାଣ୍ଡେ ଓ କେନ୍‌ ୱିଲାମସନ୍‌ ପ୍ରଭାବୀ ପ୍ରଦର୍ଶନ କରୁଛନ୍ତି। ଯୁବ ଖେଳାଳି ଅଭିଷେକ ବର୍ମା ଓ ଅବଦୁଲ୍‌ ସମଦ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି । ଆଜିର ମ୍ୟାଚ୍‌ କିଙ୍ଗ୍‌ସ ଏକାଦଶ ବ୍ୟାଟ୍ସମ୍ୟାନ୍‌ଙ୍କ ସାମ୍ନାରେ ସନ୍‌ରାଇଜର୍ସ ବୋଲରଙ୍କ ଅସଲ୍‌ ପରୀକ୍ଷା ହେବ ।

ଆଇପିଏଲ୍‌ରେ କିଙ୍ଗ୍‌ସ ଏକାଦଶ ବିପକ୍ଷରେ ସନ୍‌ରାଇଜର୍ସର ରେକର୍ଡ଼ ଭଲ ରହିଛି । ଦଳ ୧୪ଟି ମ୍ୟାଚ୍‌ରୁ ୧୦ଟିରେ ବିଜୟୀ ହୋଇଛି । ଗତ ସଂସ୍କରଣରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.