୭ ବର୍ଷ ପରେ କ୍ରିକେଟ ମୈଦାନକୁ ଓହ୍ଳାଇବେ ଶ୍ରୀଶାନ୍ତ, ଏହି ଟୁର୍ଣ୍ଣାମେଣ୍ଟରୁ ପୁଣି ଆରମ୍ଭ କରିବେ ଯାତ୍ରା

Published By : Prameya-News7 Bureau | November 22, 2020 IST

ନୂଆଦିଲ୍ଲୀ ୨୨/୧୧: ଅପେକ୍ଷାର ଅନ୍ତ। କ୍ରିକେଟ ଖେଳିବା ଉପରେ ଲାଗିଥିବା ବ୍ୟାନ୍‌ ଅବଧି ବି ଶେଷ। ୭ ବର୍ଷ ପରେ ପୁଣି କ୍ରିକେଟକୁ ଫେରିବାକୁ ଯାଉଛନ୍ତି ଏସ୍‌. ଶ୍ରୀଶାନ୍ତ। କେରଳର ଏହି ଦ୍ରୁତ ବୋଲର ୨୦୧୩ ଆଇପିଏଲ୍‌ରେ ମ୍ୟାଚ୍‌ ଫିକ୍ସିଂରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଶ୍ରୀଶାନ୍ତଙ୍କ ସମେତ ଅଜିତ ଚାନ୍ଦିଲା ଓ ଅଙ୍କିତ ଚୌହ୍ବାନଙ୍କ ମଧ୍ୟ ଦୋଷୀ ବୋଲି ଜଣାପଡ଼ିଥିଲା। ଏନେଇ ବିସିସିଆଇ ତିନି ଖେଳାଳିଙ୍କ ଉପରେ ଆଜୀବନ ପ୍ରତିବନ୍ଧ ଲଗାଇବା ସହ ସେମାନଙ୍କୁ ଜେଲ୍‌ ମଧ୍ୟ ହୋଇଥିଲା।

ଏବେ ଶ୍ରୀଶାନ୍ତଙ୍କୁ କ୍ଲିନ୍‌ଚିଟ୍‌ ମିଳିସାରିଛି। କ୍ରିକେଟ ଖେଳ ଉପ​‌ରେ ଲାଗିଥିବା ଆଜୀବନ ପ୍ରତିବନ୍ଧ ମଧ୍ୟ ହଟିସାରିଛି। ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ନିଜ ରାଜ୍ୟ ତଥା ଦେଶ ପାଇଁ ଶ୍ରୀଶାନ୍ତ କ୍ରିକେଟ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇସାରିଛନ୍ତି।  ପ୍ରତିବନ୍ଧ ହଟିବା ପରେ ଏବେ ଘରୋଇ ଟି-୨୦ କପ୍‌ ଖେଳିବେ ଶ୍ରୀଶାନ୍ତ। ଶ୍ରୀଶାନ୍ତଙ୍କ ପ୍ରତ୍ୟାବର୍ତ୍ତନ ମୁଖ୍ୟ ଆକର୍ଷଣ ରହିବ ବୋଲି କେରଳ କ୍ରିକେଟ ଆସୋସିଏସନ୍‌ର ଅଧ୍ୟକ୍ଷ କହିଛନ୍ତି।

ତେବେ ଶ୍ରୀଶାନ୍ତ ଖେଳିବାକୁ ପ୍ରସ୍ତୁତ ହୋଇଥିବା ବେଳେ କେସିଏ ଟୁର୍ଣ୍ଣାମେଣ୍ଟକୁ ରାଜ୍ୟ ସରକାରଙ୍କ ଗ୍ରୀନ୍‌ ସଗ୍‌ନାଲ୍‌ ମିଳିବାକୁ ବାକି ଅଛି। ତେବେ ଆସନ୍ତା ମାସ ପ୍ରଥମ ସପ୍ତାହରୁ ସରକାରଙ୍କ ଅନୁମତି ମିଳିଯିବ ବୋଲି କେସିଏ ଅଧ୍ୟକ୍ଷ ଆଶା ପ୍ରକାଶ କରିଛନ୍ତି।

କେସିଏ ଅଧ୍ୟକ୍ଷ ସାଜନ ବର୍ଗଜ ଷ୍ଟାର ସ୍ପୋର୍ଟସ୍‌କୁ ଦେଇଥିବା ସାକ୍ଷାତକାରରେ ଶ୍ରୀଶାନ୍ତ ଖେଳିବା ନେଇ ଚର୍ଚ୍ଚା ଉପରେ ମତ ରଖିଥିଲେ। ସେ କହିଛନ୍ତି, ‘ନିଶ୍ଚିତ ଭାବେ ଘରୋଇ ଟି-୨୦ ଲିଗ୍‌ରେ ଶ୍ରୀଶାନ୍ତ ମୁଖ୍ୟ ଆକର୍ଷଣ ରହିବେ । ଏନେଇ ସମସ୍ତ ଖେଳାଳି ଓ ଷ୍ଟାଫ ଆଲପୁଝାର ହୋଟେଲରେ ପ୍ରସ୍ତୁତ ବାୟୋ ବବଲ୍‌ରେ ରହିବେ। ଆମକୁ ବିଶ୍ବାସ ଅଛି ଡିସେମ୍ବର ପ୍ରଥମ ସପ୍ତାହରେ ଟୁର୍ଣ୍ଣାମେଣ୍ଟ ପାଇଁ ସରକାର ଅନୁମତି ଦେବେ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.