ଧାମରାରେ ଲ୍ୟାଣ୍ଡଫଲ୍ କରିବ ‘ୟସ୍’ ! ଅପରାହ୍ନ ପରଠୁ ବଢିବ ପବନର ବେଗ, ହାଇ-ଜୋନ୍‌ରେ ୪ ଜିଲ୍ଲା

Published By : Prameya-News7 Bureau | May 25, 2021 IST

ଭୁବନେଶ୍ବର ୨୫।୫: ମାଡିଆସୁଛି ବାତ୍ୟା ‘ୟସ୍’ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଏହା ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେବ । ବାତ୍ୟା ‘ୟସ୍’ ବୁଧବାର ପାରାଦୀପ ଓ ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଇଛି ।

ତେବେ ଧାମରା ନିକଟରେ ବୁଧବାର ସକାଳେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ବୋଲି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରତିକ୍ରିୟା ରଖିଛନ୍ତି । ଏସଆରସି କହିଛନ୍ତି ଭିତରକନିକା, ଚାନ୍ଦବାଲି ଓ ଧାମରାରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରି ପ୍ରସ୍ତୁତି ଆରମ୍ଭ ହୋଇଛି । କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ଵରକୁ ହାଇଜୋନରେ ରଖାଯାଇଛି । କେନ୍ଦୁଝର, ମୟୁରଭଞ୍ଜକୁ ମଧ୍ୟ ଆଲର୍ଟ କରାଯାଇଛି ।

ସେହିପରି ସୁନ୍ଦରଗଡର ଲହୁଣୀପଡା ଓ ବଣେଇ, ଢେଙ୍କାନାଳର ୩ ବ୍ଲକ୍ କଙ୍କଡାହାଡ଼, ଭୁବନ, କାମାକ୍ଷାନଗର ଓ ଅନୁଗୋଳର ପାଲଲହଡା ଓ କଣିହାଁ ଆଦି ବ୍ଲକକୁ ଆଲର୍ଟ ରହିବା ପାଇଁ କୁହାଯାଇଛି । ୩୦ଟି ଜିଲ୍ଲାରେ ୫୦ ମିଲିମିଟର ବର୍ଷା ହୋଇଛି । ଜଗତସିଂହପୁରରେ ସର୍ବାଧିକ ବର୍ଷା ହୋଇଛି । ବର୍ତ୍ତମାନଠୁ ପବନ ଆରମ୍ଭ ହୋଇଛି । ମଙ୍ଗଳବାର ଅପରାହ୍ନରୁ ପବନର ବେଗ ଆହୁରି ବଢ଼ିବ । ୫୦ରୁ ୬୦ ହଜାର ଲୋକ ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତରିତ ହୋଇସାରିଛନ୍ତି ।

ସେହିଭଳି ୮୬୦ ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ରହିଛି ଓ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳ ବି ପ୍ରସ୍ତୁତ ଅଛି । ୬୯୦୦ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରି ରଖିଛୁ । ଯେଉଁଥିରେ ୭.୫୦ ଲକ୍ଷ ଲୋକଙ୍କୁ ରଖିପାରିବୁ । ଏହା ବାଦ୍ ପବ୍ଲିକ ବିଲିଡଂଗୁଡିକୁ ଖୋଲା ରଖିବା ପାଇଁ ଆମେ ନିର୍ଦ୍ଦେଶ ଦେଇଛୁ । ଯାହାଦ୍ବାରା ଯେଉଁମାନେ ଶେଷ ମୁହୂର୍ତ୍ତରେ ଚାହିଁବେ ସେମାନଙ୍କୁ ସ୍ଥାନାନ୍ତର କରାଯିବ । ୭୧୦ ଡ଼ିଜି ସେଟ ପଠାଯାଇଛି, ୮୧୩ ଟ୍ୟାଙ୍କର ପଠାଯାଇଛି । ବିଦ୍ୟୁତ ବିଭାଗ ପ୍ରସ୍ତୁତ ରହିଛି । ବିଦ୍ୟୁତ ବିଭାଗର ୧୦ ହଜାର ଲୋକ ମୁତୟନ ହୋଇ ସାରିଛନ୍ତି । ଆଉ ୨ ହଜାର ଲୋକ ଖୁବଶୀଘ୍ର ପହଞ୍ଚିବେ । ସ୍ବାସ୍ଥ୍ୟ ବିଭାଗ ମଧ୍ୟ ପ୍ରସ୍ତୁତ ରହିଛି । ୩୦୮ ହେଲଥ ଟିମ୍ ଗଠନ କରାଯାଇଛି । ୨୧୫ ଜେନେରେଟର ରହିଛି । ୪୫୦୦ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.