ଶୁଦ୍ଧାନନ୍ଦ ସ୍କୁଲ ଛାତ୍ରୀ ପୁନମ୍ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସକୁ ମନୋନୀତ

Published By : Prameya-News7 Bureau | December 02, 2021 IST

ଭୁବନେଶ୍ୱର : ଭୁବନେଶ୍ୱରର ଉପାନ୍ତ ଗଙ୍ଗେଶ୍ୱରଗଡ଼ଠାରେ ଥିବା ଶୁଦ୍ଧାନନ୍ଦ ସ୍କୁଲର ଛାତ୍ରୀ ପୁନମ୍ ପ୍ରିୟଦର୍ଶିନୀ ଜାତୀୟ ଶିଶୁବିଜ୍ଞାନ କଂଗ୍ରେସକୁ ମନୋନୀତ ହୋଇଛନ୍ତି । ଏହି ପ୍ରତିଯୋଗିତା ଆଗାମୀ ଡିସେମ୍ବର ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ପୂର୍ବରୁ ପୁନମ୍  କଟକର ତ୍ରିଶୁଳିଆସ୍ଥିତ କେଏମବିବି କଲେଜରେ ଆୟୋଜିତ ୨୯ତମ ଭୁବନେଶ୍ୱର-କଟକ ଜିଲାସ୍ତରୀୟ  ଶିଶୁବିଜ୍ଞାନ କଂଗ୍ରେସ-୨୦୨୧ରେ ଯୋଗଦେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏଥିରେ ୮୦ଟି ବିଦ୍ୟାଳୟ ସାମିଲ ଥିଲେ । ପରେ ନଭେମ୍ବର ୨୭ ତାରିଖରେ ଭୁବନେଶ୍ୱରସ୍ଥିତ ଶ୍ରୀକ୍ରିଷ୍ଣ ଇଣ୍ଟରନ୍ୟାସନାଲ ସ୍କୁଲରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁବିଜ୍ଞାନ କଂଗ୍ରେସରେ ମଧ୍ୟ ସେ ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ ।  ଏଥିରେ ୧୨୫ ଜଣ ଛାତ୍ରଛାତ୍ରୀ ସାମିଲ ଥିଲେ । ସେମାନଙ୍କ ମଧ୍ୟରୁ ୨୬ ଜଣଙ୍କୁ ଜାତୀୟସ୍ତରକୁ ମନୋନୀତ କରାଯାଇଛି  । ଯାହା ମଧ୍ୟରେ ସ୍ଥାନ ପାଇଛନ୍ତି ଦ୍ୱାଦଶ ଶ୍ରେଣୀର ଛାତ୍ରୀ-ପୁନମ୍ ।  ବର୍ଷାଜଳ ସଂରକ୍ଷଣ ,ୱିଣ୍ଡ ମିଲ୍ , ବାୟୋଗ୍ୟାସ ପ୍ଲାଣ୍ଟ ଓ ଅଟୋ ଷ୍ଟ୍ରିଟଲାଇଟ୍  ପ୍ରଭୃତି ନିରନ୍ତର ବିକାଶର ଉତ୍ସ ଉପରେ ସେ ଯେଉଁ  ପ୍ରୋଜେକ୍ଟ କରିଥିଲେ ,ତାହା ବିଚାରକ ମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି । ଏହା ବରିଷ୍ଠ ବିଭାଗରେ ଏକମାତ୍ର ପ୍ରୋଜେକ୍ଟ । ରାଜ୍ୟସ୍ତରକୁ ଏହି ସ୍କୁଲରୁ ପୁନମଙ୍କ ସହ ଅନୁପମ ମହାନ୍ତି ମଧ୍ୟ ମନୋନୀତ ହୋଇଥିଲେ । ପୁନମଙ୍କ ଏହି ସଫଳତା ପାଇଁ ସ୍ୱାମୀ ଆତ୍ମାନନ୍ଦ , ବିଦ୍ୟାଳୟର ସଂପାଦିକା ବ୍ରହ୍ମଚାରିଣୀ ମନୀଷା ଚୈତନ୍ୟ , ଗାଇଡ୍ ବିଶ୍ୱଜିତ ସେନାପତି  , ମଧୁମିତା ରାଉତରାୟ, ସଂଯୋଜକ ପ୍ରଫେସର ଡ. ସତ୍ୟନାରାୟଣ ସାହୁ ପ୍ରମୁଖ ଖୁସି ବ୍ୟକ୍ତ କରିଛନ୍ତି । ସ୍କୁଲର ପ୍ରତିଷ୍ଠାତା ସ୍ୱାମୀ ଶୁଦ୍ଧାନନ୍ଦ ପୁନମଙ୍କୁ ଶୁଭକାମନା ଜଣାଇବା ସହ ତାଙ୍କର ଭବିଷ୍ୟତର ସଫଳତା କମନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.