ଚାଷୀ ଆନ୍ଦୋଳନ ଲାଗି ଟିକାୟତଙ୍କୁ ‘ଆଇକନ ଆୱାର୍ଡ’ରେ ସମ୍ମାନିତ କରିବେ ବ୍ରିଟେନର ସ୍କୋୟାର ୱାଟର ମିଲନ

Published By : Prameya-News7 Bureau | December 03, 2021 IST

ଲଣ୍ଡନ ୩।୧୨:  କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଚାଲିଥିବା ଚାଷୀ ଆନ୍ଦୋଳନର ନେତା ଚୌଧୁରୀ ରାକେଶ ଟିକାୟତ ‘ଟ୍ୱେଣ୍ଟିଫାଷ୍ଟ ସେଞ୍ଚ୍ୟୁରୀ ଆଇକନ ଆୱାର୍ଡ’ରେ ସମ୍ବର୍ଦ୍ଧିତ କରାଯିବ। ଏହି ପୁରସ୍କାର ବ୍ରିଟେନର ସ୍କୋୟାର ୱାଟରମିଲନ ଦେଇଥାନ୍ତି। ଦୀର୍ଘ ସମୟ ଧରି ଆନ୍ଦୋଳନକୁ କାୟମ ରଖିବା ଓ ଏହାର ସଂରକ୍ଷଣ ଲାଗି ସଂସ୍ଥା ଟିକାୟତଙ୍କୁ ଏହି ସମ୍ମାନ ନିମନ୍ତେ ବାଛିଛନ୍ତି। ଡିସେମ୍ବର ୧୦ ତାରିଖ ଦିନ ଏ ନେଇ ଆନୁଷ୍ଠାନିକ ଘୋଷଣା କରିବେ ବୋଲି ଜଣାପଡିଛି।

ବିଶ୍ୱଲାଗି ଉଦାହରଣ ସୃଷ୍ଟି କରୁଥିବା ଲୋକଙ୍କୁ ସ୍କୋୟାର ୱାଟରମିଲନ ପ୍ରତିବର୍ଷ ଆଇକନ ଆୱାର୍ଡରେ ସମ୍ବର୍ଦ୍ଧିତ କରିଆସୁଛନ୍ତି। ଏହି କ୍ରମରେ ୨୦୨୧ ଲାଗି କୃଷକ ଆନ୍ଦୋଳନର ନେତା ରାକେଶ ଟିକାୟତଙ୍କ ନାମ ମଧ୍ୟ ମନୋନୟନ ନିମନ୍ତେ ସାମିଲ କରାଯାଇଛି। କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଏକ ସମୟରେ ବନ୍ଦ ହେବା ଭଳି ପରିସ୍ଥିତିକୁ ଚାଲିଆସିଥିଲା। ଚାଷୀ ନିଜନିଜ ଟ୍ରାକ୍ଟରରେ ତମ୍ବୁ ଲଦି ଘରକୁ ଫେରି ଯାଉଥିବା ବେଳେ ଟିକାୟତଙ୍କ ପଦେ କଥା ଆନ୍ଦୋଳନକୁ ଏପର୍ଯ୍ୟନ୍ତ ଭିଡି ଆଣିଛି।

{"id":553863,"width":838,"height":471,"sizeSlug":"full","linkDestination":"none"}

୨୬ ଜାନୁୟାରୀ ୨୦୨୧ ସାଧାରଣତନ୍ତ୍ର ଦିବସ ଦିଲ୍ଲୀ ପରେଡ ସମାନ୍ତରାଳରେ ଆନ୍ଦୋଳନରତ ଚାଷୀ ଟ୍ରାକ୍ଟର ପରେଡ ଆୟୋଜନ କରିଥିଲେ। ଏଥିରେ ଚାଷୀଙ୍କ ଟ୍ରାକ୍ଟର ଲାଲକିଲ୍ଲା ପର୍ଯ୍ୟନ୍ତ ପହଞ୍ଚିବା ସହ ଜାତୀୟ ପତାକା ସ୍ତମ୍ବରେ ଅକଲତାଖତ ପତାକା ଉଡାଇଥିଲେ। ସାରା ଦେଶରେ ଏହି କାର୍ଯ୍ୟକୁ ନିନ୍ଦା କରାଯାଇଥିବା ବେଳେ ଆନ୍ଦୋଳନ ଆତ୍ମହତ୍ୟା କରିଥିଲା।

ତେବେ ଉତ୍ତରପ୍ରଦେଶ ସୀମାରେ ରାକେଶ ଟିକାୟତଙ୍କ ଏକ ଭାବୁକ ଆବେଦନ ସାରା ଦେଶରେ ଚାଷୀଙ୍କୁ ପୁଣି ଏକଜୁଟ କରିଥିବା ବେଳେ ଆନ୍ଦୋଳନକୁ ଜୋରଦାର କରିଥିଲା। ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇନର ପୂର୍ଣ୍ଣ ପ୍ରତ୍ୟାହାର ଘୋଷଣା କରିବା ସହ ସଂସଦରେ ଗୃହୀତ କରି ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦିତ କରାଯାଇଛି। ତେବେ ଏହି ପୁରସ୍କାରରେ ସମ୍ବର୍ଦ୍ଧିତ ହେବାରେ ରାକେଶ ଟିକାୟତ ପ୍ରଥମ ଭାରତୀୟ ନୁହନ୍ତି। ଗାୟକ ସୋନୁ ନିଗମ, ଶଙ୍କର ମହାଦେବନ, ଫ୍ୟାସନ ଲାଗି ରାଘବେନ୍ଦ୍ର ରାଠୋର ଓ ଟେକ୍ନୋଲଜି ଲାଗି ଧିରଜ ମୁଖାର୍ଜୀ ଅତୀତରେ ସମ୍ବର୍ଦ୍ଧିତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.