ସୁନା କିଣି ଠକାମୀର ଶିକାର ହେଉଛନ୍ତି ଗ୍ରାହକ – ସୁନା ବଜାରରେ ଚଢ଼ାଉ ପାଇଁ ସଜବାଜ ହେଉଛି ସ୍କ୍ୱାଡ
21/11/2019 at 5:47 PM

ବ୍ରହ୍ମପୁର ୨୧।୧୧ – ବିଧାନସଭାରେ କଥା ଉଠିଲା । ମାନିଲେ ମନ୍ତ୍ରୀ । ତଦନ୍ତ ପାଇଁ ନିର୍ଦେଶ ଦେଲେ ବାଚସ୍ପତି । ଆଉ ଏବେ ବ୍ରହ୍ମପୁର ସୁନା ବଜାରରେ ଚଢ଼ାଉ ପାଇଁ ସଜବାଜ ହେଉଛି ସ୍କ୍ବାର୍ଡ଼ । ସେପଟେ ବର୍ଷ ବର୍ଷ ଧରି ସୁନା କିଣୁଥିବା ଗ୍ରାହକ ଠକାମୀରେ ପଡ଼ିଥିବା ଜାଣିବା ପରେ କ’ଣ କରିବେ କ’ର ନକରିବେ ଭାବି ସନ୍ଦିହାନ୍ ହୋଇପଡ଼ିଛନ୍ତି ।

ସୁନା କିଣି ଠକାମୀର ଶିକାର ହେଉଛନ୍ତି ଗ୍ରାହକ । ଯେତିକି ଦାମ୍ ଦେଉଛନ୍ତି ସେତିକି ପରିମାଣର ସୁନା ପାଉନାହାନ୍ତି । ଏମିତିରେ ଦୋକାନି ସିନା ଲାଭ କରି ମାଲେମାଲ ହେଉଛନ୍ତି, ହେଲେ କ୍ଷତିରେ ପଡ଼ୁଛନ୍ତି ସୁନା କିଣୁଥିବା ଲୋକେ ।

ବଡ଼ ଦୋକାନ, ଗହଣାର ଡିଜାଇନ୍ ଦେଖି ଅଧିକାଂଶ ଲୋକ ସୁନାଗହଣା କିଣିଥାନ୍ତି, ହେଲେ ଏହାର ବିଶୁଦ୍ଧତା ଯାଞ୍ଚ ଉପରେ ସାଧାରଣତଃ କେହି ଧ୍ୟାନ ଦେଇ ନଥାନ୍ତି । ସମୟ ଅନୁସାରେ ସୁନାଦର କଷି ନିଅନ୍ତି ଦୋକାନି । ହେଲେ ଏକଥା ଏବେ କାହିଁକି ଚର୍ଚ୍ଚାକୁ ଆସିଲା ? କାହିଁକି ନା’ ବିଧାନସଭାରେ ବିଧାୟକ ପ୍ରଶ୍ନ କଲେ । ଆଉ ସୁନା ଠକାମୀକୁ ମାନିଲେ ମନ୍ତ୍ରୀ । ଆଉ ବ୍ରହ୍ମପୁର, ଭୁବନେଶ୍ବରରେ ତଦନ୍ତ ପାଇଁ ନିର୍ଦେଶ ଦେଲେ ବାଚସ୍ପତି । ଏବେ ଢ଼ୋଲ ପିଟି ଚୋର ଧରିବା ନ୍ୟାୟରେ ସୁନା ଦୋକାନ ଉପରେ ଚଢ଼ାଉ କରିବାକୁ ସଜବାଜ ହେଲେଣି ସ୍କ୍ୱାଡ।

ସୁନା ଦୋକାନୀ ଗ୍ରାହକଙ୍କୁ ଠକୁଛନ୍ତି ଏକଥା ଆଗରୁ କେହି ଜାଣି ନଥିଲେ । ନା’ ବିଧାୟକ ଜାଣିଥିଲେ ନା’ ମନ୍ତ୍ରୀ । ଜିଲ୍ଲା ପ୍ରଶାସନ ତ ବିଲ୍କୁଲ ଏ ବିଷୟରେ ଅବଗତ ନଥିଲା । ଯାହା ହେଉ ଏବେ ସମସ୍ତଙ୍କ ଚେତା ପଶିଲା । ହେଲେ ପ୍ରଶାସନର ଚେତା ପଶିଲା ବେଳକୁ ଠକୁଥିବା ବେପାରୀ ବି ସତର୍କ ହୋଇଗଲେଣି । ଏବେ ଯେତେ ଚଢ଼ଉ କରୁଛ କର । ଆଉ ଦୁଇ ନମ୍ବର ମାଲ୍ ଅଛି ଯେ, ପାଇବ ? ସବୁ ଦୋକାନୀ ଏବେ କହିଲେଣି ଆମ ମାଲ୍ ପୂରା ଶୁଦ୍ଧ ।

ସୁନା କାରୀଗରଙ୍କ କହିବା କଥା କୌଣସି ସୁନାଗହଣା ଯାଞ୍ଚ କଲେ ଯଦି ୧୦ପ୍ରତିଶତ ଭିତରେ ଖାଦ ବା ଓ୍ବେଷ୍ଟେଜ୍ ମିଳିବ ତାହେଲେ ତାହା ଗୁଣବତ୍ତା ଠିକ୍ ଅଛି ବୋଲି ଧରିବାକୁ ହେବ । ୧୦ ପ୍ରତିଶତରୁ ଅଧିକ ହେଲେ ଏହାର ଗୁଣବତ୍ତା କମିବ । ହେଲେ ଏସବୁ ପରୀକ୍ଷା ନିରୀକ୍ଷା କରିବାକୁ ଗ୍ରାହକଙ୍କ ପାଖରେ ନା’ ସୁଯୋଗ ଅଛି ନା’ ସମୟ ଅଛି । ହେଲେ ସମୟ ଦେଖି ବାଜା ବଜାଇ ଏବେ ଯାଞ୍ଚ କରିବାକୁ ବାହାରିଛି ପ୍ରଶାସନ ।