ମାତ୍ର ୮୯୯ ଟଙ୍କାରେ କରିପାରିବେ ବିମାନ ଯାତ୍ରା: ଅଫର୍ ଦେଉଛି ସ୍ପାଇସଜେଟ୍
13/01/2021 at 3:28 PM

ନୂଆଦିଲ୍ଲୀ ୧୩/୦୧ : କରୋନା ମହାମାରୀ ଯୋଗୁଁ ବିମାନ ସେବା ବହୁତ ପ୍ରଭାବିତ ହୋଇଛି। ଘରୋଇ ଓ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ସଂଖ୍ୟା ବହୁତ ହ୍ରାସ ପାଇଛି। ଯାତ୍ରୀଙ୍କୁ ଆକର୍ଷିତ କରିବାକୁ ସ୍ପାଇସଜେଟ୍ ଏକ ସ୍ପେଶାଲ୍ ଅଫର୍ ଆଣିଛି |ସ୍ପାଇସଜେଟ୍ ଯାତ୍ରୀଙ୍କ ପାଇଁ ‘Book Befikar Sale’ ନାମକ ଅଫର ଆଣିଛି। ଏହି ସେଲ୍ ଅନୁସାରେ ଘରୋଇ ଯାତ୍ରା ପାଇଁ ବିମାନ ଭଡା ୮୯୯ ଟଙ୍କାରୁ ଆରମ୍ଭ ହେଉଛି। ଟିକେଟ୍ ବୁକିଂ ଜାନୁଆରୀ ୧୩ ତାରିଖ ଅର୍ଥାତ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅଫର୍ ଜାନୁଆରୀ ୧୭ ତାରିଖ ଯାଏଁ ରହିବ। ସେଲ୍ ଅନୁସାରେ ଟିକେଟ୍ ବୁକିଂ ଏପ୍ରିଲ ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଯାତ୍ରା କରିପାରିବେ।
Book Befikar Sale ରେ ଘରୋଇ ବିମାନ ଭଡା ୮୯୯ ଟଙ୍କାରୃ ଆରମ୍ଭ ହେଉଛି। ତାଛଡା କୌଣସି ଚାର୍ଜ ବିନା ଟିକେଟର ଡେଟ୍ ବଦଳାଇବା ଏବଂ କ୍ୟାନସେଲ୍ କରିବା ସୁବିଧା ମଧ୍ୟ ରହିଛି। ଅଧିକରୁ ଅଧିକ ଯାତ୍ରୀଙ୍କୁ ଆକର୍ଷିତ କରିବାକୁ କମ୍ପାନୀ ଏହି ଅଫର୍ ସହ ମାଗଣା ଟିକେଟ୍ ଭାଉଚର୍ ମଧ୍ୟ ଦେବାକୁ ଘୋଷଣା କରିଛି।

କମ୍ପାନୀ କହିଛି ଫ୍ଲାଇଟ୍ ଭାଉଚର୍ ବୁକ ହୋଇଥିବା ଟିକେଟର ଭଡା ସହ ସମାନ ରହିବ। ଗ୍ରାହକ ଏହି ସେଲ୍ ଅଫରରେ ଟିକେଟ୍ ବୁକିଂ କଲେ ତାଙ୍କୁ ବୁକିଂ ପ୍ରତି ସର୍ବାଧିକ ହଜାରେ ଟଙ୍କାର ଭାଉଚର୍ ମିଳିବ। ଭବିଷ୍ୟତରେ ଟିକେଟ୍ ବୁକିଂ ପାଇଁ ଏହି ଭାଉଚର ବ୍ୟବହାର କରିପାରିବେ।
ଏହି ଫ୍ଲାଇଟ ଭାଉଚର ଫେବୃଆରୀ ୨୮ ତାରିଖ ଯାଏଁ ଭାଲିଡ୍ ରହିବ। ଏହା କେବଳ ଘରୋଇ ବିମାନ ସେବା ଉପରେ ଲାଗୁ ହେବ। ଏହି ଭାଉଚରକୁ ଅତିକମରେ ୫ ହଜାର ୫୦୦ ଟଙ୍କାର ବୁକିଂ କଲେ ଲାଗୁ କରାଯାଇପାରିବ। ଏହି ଅଫରର ସମ୍ପୂର୍ଣ୍ଣ ବିବରଣୀ କମ୍ପାନୀ ୱେବସାଇଟ୍ www.SpiceJet.com ରେ ଦିଆଯାଇଛି। କମ୍ପାନୀ କହିଛି ଯେ ଏହି ଅଫର୍ କେବଳ ଏକ ତରଫା ଭଡାରେ ଲାଗୁ ହେବ। ଏହି ଅଫରକୁ ଆଉ କୌଣସି ଅଫର୍ ସହ ଯୋଡ଼ା ଯାଇପାରିବ ନାହିଁ। ଏହି ଅଫର୍ କୌଣସି ଗ୍ରୁପ ବୁକିଂରେ ମଧ୍ୟ ଲାଗୁ ହେବନାହିଁ।