ଗାନ୍ଧି ପରିବାରର ସୁରକ୍ଷା ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ହଟିଲା ଏସପିଜି, ଏବେ ମିଳିବ ସିଆରପିଏଫ ଜେଡ୍ ପ୍ଲସ୍

Published By : Prameya-News7 Bureau | November 08, 2019 IST

ନୂଆଦିଲ୍ଲୀ:   ଗାନ୍ଧି ପରିବାରର ସୁରକ୍ଷା ନେଇ କେନ୍ଦ୍ର ସରକାର ଶୁକ୍ରବାର ବଡ ନିଷ୍ପତ୍ତି ନେଇଛନ୍ତି। ଫଳରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରୀୟଙ୍କା ଗାନ୍ଧି ଏପର୍ଯ୍ୟନ୍ତ ଉପଲବ୍ଧ କରୁଥିବା ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ (ଏସପିଜି) ସୁରକ୍ଷା ପ୍ରତ୍ୟାହାର ହୋଇଛି। ଏସପିଜିଙ୍କ ସ୍ଥାନରେ ଦେଶଭିତରେ ଏବେ ସେମାନଙ୍କୁ  ସିଆରପିଏଫର 'ଜେଡ୍'ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯିବ।

{"id":181031,"width":582,"height":404}

ଜନୈକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ବିସ୍ତୃତ ସମୀକ୍ଷା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ପରିବାରକୁ ପ୍ରଦାନ କରାଯାଉଥିବା ଏସପିଜି ସୁରକ୍ଷା ପ୍ରତ୍ୟାହାର ନିଷ୍ପତ୍ତି ହୋଇଛି। ଏଲଟିଟିଇ ଆତଙ୍କବାଦୀ ୨୧ ମେ ୧୯୯୧ରେ ରାଜୀବ ଗାନ୍ଧିଙ୍କୁ ହତ୍ୟା କରିଥିଲେ। ସେବେଠାରୁ ତାଙ୍କ ପରିବାରକୁ ଏସପିଜି ସୁରକ୍ଷା ଯୋଗାଇ ଦିଆଯାଇଛି। ତେବେ ଦୀର୍ଘ ୨୮ ବର୍ଷ ପରେ ଏବେ ବିନା ଏସପିଜି ସୁରକ୍ଷାରେ ଗାନ୍ଧି ପରିବାର ରହିବେ। ୧୯୮୮ ମସିହାରେ ପ୍ରଣିତ ଏସପିଜି  ଆଇନକୁ ୧୯୯୧ ମସିହାରେ ସଂଶୋଧନ କରାଯାଇ ଏସପିଜିକୁ ଭିଭିଆଇପି ସୁରକ୍ଷାରେ ସାମିଲ କରାଯାଇଥିଲା।

{"id":181032}

ତେବେ ସୁରକ୍ଷା ସମୀକ୍ଷା ପରେ ଦେଶର ପ୍ରଧାନମନ୍ତ୍ରୀ ଏକମାତ୍ର ବ୍ୟକ୍ତି ହେବେ ଯାହାଙ୍କୁ ଏସପିଜି ସୁରକ୍ଷା ମିଳିବ। ନିୟମ ଅନୁସାରେ ଏସପିଜି ସୁରକ୍ଷା ପ୍ରାପ୍ତ ଲୋକଙ୍କୁ ସୁରକ୍ଷା କର୍ମୀଙ୍କ ସମେତ ଉଚ୍ଚ ବୈଷୟିକ କ୍ଷମତା ସମ୍ପନ୍ନ ଯାନ, ଜାମର ଓ ତାଙ୍କ କାରକେଡରେ ଏକ ଆମ୍ବୁଲାନ୍ସ ଯାଇଥାଏ। ସରକାର ଗତ ଅଗଷ୍ଟମାସରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.