ପଣବନ୍ଦୀ ଧମକ ମେସେଜ୍‌ରେ ଭୁଲ୍‌ ବନାନରୁ ଧରାପଡ଼ିଗଲା ହତ୍ୟାକାରୀ, ୮ ବର୍ଷର ନାବାଳକକୁ ଅପହରଣ କରିଥିଲା ୨୧ ବର୍ଷୀୟ ଯୁବକ

Published By : Prameya-News7 Bureau | November 08, 2020 IST

ଆଗ୍ରା ୮/୧୧: କିଛି ଲୋକ ଇଂରାଜୀ ଶବ୍ଦ ବନାନ କରିବାରେ ଭୁଲ କରନ୍ତି। ଯେମିତି ପୋଲିସକୁ କେହି କେହି ପୁଲିଶ୍‌ ବୋଲି କହୁଛନ୍ତି। ସେ ଯାହା ହେଉ ନା କାହିଁକି ବନାନ (ସ୍ପେଲିଂ) ପାଇଁ ଜଣେ ଅପରାଧୀକୁ ଧରିବାରେ ପୋଲିସ ସକ୍ଷମ ହୋଇଛି।

ଜଣେ ୨୨ ବର୍ଷୀୟ ଯୁବକ ନିଜର ଦୂର ସମ୍ପର୍କୀୟ ୮ ବର୍ଷୀୟ ଭାଇକୁ ଅପହରଣ କରିଥିଲା। ପିଲାଟିକୁ ତାର ଜେ​‌ଜେ ମା’ଙ୍କ ଘରୁ ଅପହରଣ କରିଥିଲା ଅଭିଯୁକ୍ତ । ଅପହରଣ କରିବା ପରେ ନାବାଳକର ବାପାଙ୍କୁ ଏକ ଚୋରି ଫୋନ୍‌ରୁ ମେସେଜ୍‌ କରି ୨ ଲକ୍ଷ ଟଙ୍କା ଦାବି କରିଥିଲା। ମେସେଜ୍‌ରେ ଅଭିଯୁକ୍ତ ଲେଖିଥିଲା, ‘ ୨ ଲକ୍ଷ ଟଙ୍କା ନେଇ ସୀତାପୁର ପହଞ୍ଚନ୍ତୁ। ପୋଲିସ୍‌କୁ କହିଲେ ହତ୍ୟା କରିଦେବି।’ ତେବେ ଏହି ମେସେଜ୍‌ରେ କିଛି ଶବ୍ଦର ବନାନ ଭୁଲ୍‌ ଥିଲା।

ନାବାଳକର ବାପା ଏଭଳି ଏକ ମେସେଜ୍‌ ପାଇବା ପରେ ବେନିଗଞ୍ଜ ଥାନାରେ ପୁଅର ଅପହରଣ ହୋଇଥିବା ନେଇ ଅଭିଯୋଗ କରିଥିଲେ। ତେବେ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଫୋନ୍‌ ନମ୍ବର ଟ୍ରେସ୍‌ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଫୋନ୍‌ ନମ୍ବର ସ୍ବିଚ୍‌ ଅଫ ଥିଲା। ପରେ ସାଇବର ଶାଖା ଏହି ନମ୍ବରକୁ ଟ୍ରେସ୍‌ କରିବାକୁ ସକ୍ଷମ ହୋଇଥିବା ବେଳେ ଏହାର ସବସ୍କ୍ରାଇବରକୁ ଅଟକ ରଖିଥିଲା ପୋଲିସ। କିନ୍ତୁ ଅଟକ ଥିବା ବ୍ୟକ୍ତି ଅଶିକ୍ଷିତ ବୋଲି ଜଣାପଡ଼ିଥିଲା। ଯିଏକି କେବେ ମେସେଜ୍‌ କରିପାରିବେ ନାହିଁ ବୋଲି ଜଣାପଡ଼ିଥିଲା।ଏନେଇ ହରଦୋଇ ଏସପି ଅନୁରାଗ ଭାଟ୍‌ ଟାଇମ୍ସ ଅଫ୍‌ ଇଣ୍ଡିଆକୁ ସୂଚନା ଦେଇଥିଲେ।

ତେବେ ଶନିବାର ପୋଲିସ ଅପହରଣ ଅଞ୍ଚଳର ବିଭିନ୍ନ ସିସିଟିଭି ଫୁଟେଜ ଆଧାରରେ ୧୦ ଜଣଙ୍କୁ ଉପରେ ସନ୍ଦେହ ପ୍ରକାଶ କରିଥିଲା। ଯେଉଁଥିରେ ଥିଲା ଅଭିଯୁକ୍ତ ରାମ ପ୍ରତାପ ସିଂହ। ପରେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଏକ ଉପାୟ ଚିନ୍ତା କରିଥିଲା। ସମସ୍ତଙ୍କୁ ଦୁଇ ଲାଇନ୍‌ ହିନ୍ଦୀରେ ଲେଖିବାକୁ ଦେଇଥିଲା। ମୁଁ ପୋଲିସ୍‌ରେ ଭର୍ତ୍ତି ହେବାକୁ ଚାହୁଁଛି, ମୁଁ ହରଦୋଇରୁ ସୀତାପୁର ଦୌଡ଼ି ଯାଇପାରିବି। ୧୦ ଜଣ ଏହି ସବୁ ଶବ୍ଦ ଲେଖିଥିଲେ। କିନ୍ତୁ ଜଣଙ୍କ ଲେଖା ପୂର୍ବରୁ ଅପହୃତ ନାବାଳକଙ୍କ ବାପାଙ୍କୁ ଲେଖାଯାଇଥିବା ମେସେଜ୍‌ର ‘ସୀତାପୁର’ ଓ ‘ପୋଲିସ୍‌’ ଶବ୍ଦର ବନାନ ସହ ମେଳ ଖାଇଥିଲା। ଅବିଳମ୍ବେ ଏହି ଦୁଇ ଶବ୍ଦ ଭୁଲ୍‌ ଲେଖିଥିବା ଯୁବକକୁ ଗିରଫ କରିଥିଲା ପୋଲିସ୍‌।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.