ସେନାରେ ଭର୍ତ୍ତି ହେବା ପାଇଁ ଦୌଡ ଅଭ୍ୟାସ କରୁଥିବା ୫ଯୁବକଙ୍କ ଉପରେ ଚଢ଼ିଗଲା କାର୍, ୩ ଜଣଙ୍କ ମୃତ୍ୟୁ, ୨ ଗୁରୁତର

Published By : Prameya-News7 Bureau | October 25, 2020 IST

ବଦାୟୁଁ ୨୫/୧୦ : ଉତ୍ତର ପ୍ରଦେଶ ବଦାୟୁଁ ଜିଲ୍ଲାରେ ରବିବାର ସକାଳୁ ସେନାରେ ଚାକିରୀ ପାଇଁ ଦୌଡ ଅଭ୍ୟାସ କରୁଥିବା ୫ଜଣ ଯୁବକଙ୍କୁ ଏକ ଲଗ୍ଜରୀ କାର ଚାପିଦେଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୩ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନୁଆ ଦୁଇଜଣ ଗମ୍ଭୀର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେବା ସତ୍ତ୍ୱେ ପୋଲିସ ବିଳମ୍ବରେ ପହଞ୍ଚିବାରୁ ଆକ୍ରୋଶ ଗ୍ରାମବାସୀ ରାସ୍ତାଯାମ କରିଥିଲେ। କିନ୍ତୁ ପରେ ବୁଝାସୁଝା କରିବା ପରେ ଯାମ ହଟିଥିଲା। ଏହାପରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ସୂଚନା ଅନୁଯାୟୀ, ମୃତକ ଓ ଆହତ ଯୁବକମାନେ ସେନାରେ ଚାକିରୀ ପାଇଁ ପ୍ରତିଦିନ ସକାଳୁ ଦୌଡ଼ ଅଭ୍ୟାସ କରୁଥିଲେ। ପ୍ରତିଦିନ ଭଳି ଏମାନେ ରବିବାର ଦିନ ମଧ୍ୟ ଅଭ୍ୟାସ କରିବାକୁ ଯାଇଥିଲେ ଓ ଦୁର୍ଘଟଣାର ଶିକାର ହୋଇଗଲେ। ମାମଲା ବଜିରଗଞ୍ଜ ଥାନା ଅନ୍ତର୍ଗତ ମୁରାଦାବାଦ-ବଦାୟୁଁ ମାର୍ଗ କୁନାର ଗାଁ ନିକଟରେ ଏକ ଲଗ୍ଜରୀ କାର ଯୁବକମାନଙ୍କ ଉପରକୁ ଚଢି ଯାଇଥିଲା। ଘଟଣା ପରେ ପୋଲିସ ବିଳମ୍ବରେ ପହଞ୍ଚିବାରୁ ଗ୍ରାମବାସୀ ମୁରାଦାବାଦ-ବଦାୟୁଁ ରାଜପଥ ଯାମ କରିଦେଇଥିଲେ କିନ୍ତୁ ପରେ ବୁଝାସୁଝା କରିବା ପରେ ରାସ୍ତାରୁ ଯାମ ହଟାଇଥିଲେ। ଦୁର୍ଘଟଣାରେ ୨ ଗୁରୁତର ଆହତ ଯୁବକଙ୍କ ମଧ୍ୟରୁ ଜଣଙ୍କ ସ୍ଥିତି ସଙ୍କଟାପନ୍ନ ରହିଛି। ତାଙ୍କୁ ହାୟର ସେଣ୍ଟର ସ୍ଥାନାନ୍ତର କରାଯାଇଛି।

ଘଟଣା ପରେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି। ପୋଲିସ କାର ଚାଳକକୁ ଗିରଫ କରିଛି। ପୋଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.