ସମୁଦ୍ରରେ ଜଳକ୍ରୀଡା ବେଳେ ଓଲଟିଲା ସ୍ପିଡ୍ ବୋଟ୍, ଅଳ୍ପକେ ବର୍ତ୍ତିଲେ ୫ ଯାତ୍ରୀ

Published By : Prameya-News7 Bureau | November 13, 2020 IST

ପୁରୀ, ୧୩|୧୧: ପୁରୀ ସମୁଦ୍ରରେ ଏକ ସ୍ପିଡ୍‌ବୋଟ୍‌ ଓଲଟି ପଡିଛି। ୱାଟର ସ୍ପୋର୍ଟସ୍‌ର ଆନନ୍ଦ ନେବା ନିମନ୍ତେ ସ୍ପିଡ୍‌ ବୋଟ୍‌ରେ ବସି ବୁଲୁଥିବା ବେଳେ ୫ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସୂଚନାନୁସାରେ, ଜେଟ୍‌ସ୍କି ଯାତ୍ରୀଙ୍କୁ ବସାଇ ଢ଼େଉ ଭିତରେ ତୀବ୍ର ଗତିରେ ବୁଲୁଥିବା ବେଳେ ହଠାତ୍‌ ଓଲଟି ପଡ଼ିଥିଲା। ଏକ ଉଚ୍ଚ ଜୁଆର ଏହି ସ୍ପିଡ୍‌ ବୋଟ୍‌କୁ ଓଲଟାଇ ଦେଇଥିଲା । ତେବେ କୂଳରେ ଥିବା ଲାଇଫ୍‌ ଗାର୍ଡମାନେ ସେଠାରେ ପହଞ୍ଚିପରେ ବୁଡ଼ି ଯାଉଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଯାତ୍ରୀ ଲାଇଫ୍‌ସେଭିଂ ଜ୍ୟାକେଟ ପିନ୍ଧିଥିବାରୁ ଏକ ବଡ ଧରଣର ଅଘଟଣ ଟଳି ଯାଇଥିଲା। ଯାତ୍ରୀଙ୍କ ଭିତରେ ଗୋଟିଏ ୫ ବର୍ଷର ଶିଶୁ କନ୍ୟା ରହିଥିବା ସୂଚନା ମିଳିଛି ।

ତେବେ ବୁଡ଼ିଯିବା ଯୋଗୁ ସମୁଦ୍ର ପାଣି ପିଇ ସେମାନେ ସାମାନ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ଆହତମାନେ ହେଲେ କୋଲକାତା ଜିଲ୍ଲା ଗରସା ଥାନା ଅନ୍ତର୍ଗତ ଗାଗେନ୍‌ ରୋଡ ଶରତଘୋଷ ୧୩ ଏ’ ଅଞ୍ଚଳର ରିଆନସିକା ମୁଖାର୍ଜୀ(୫), ସୋମରୂପ ମୁଖାର୍ଜୀ (୩୩) ଓ ପ୍ରିୟାଶୀ ଭୌମିକ୍‌(୩୩), ଝାଡଖଣ୍ଡ ଜାମସେଦପୁର ଟାଟାନଗରର ଟି. ଶିବା ରାଜୁ(୩୧) ଏବଂ ଟି ରେଖା କାନି(୨୯) ।

ପୋଲିସ ଓ ଲାଇଫ୍‌ଗାର୍ଡଙ୍କ ସୂତ୍ରରୁ ମିଳିଥିବା ସୂଚନାନୁସାରେ,  ଦିଗବାରିଣୀ ସମ୍ମୁଖ ସମୁଦ୍ରରେ ଏହି ଅଘଟଣ ଘଟିଥିଲା। ସି ଫେରର୍‌ ନାମକ ଏକ ସଂସ୍ଥାର ସ୍ପିଡ୍‌ ବୋର୍ଟରେ ଏହି ଯାତ୍ରୀମାନେ ସମୁଦ୍ରରେ ଜଳକ୍ରୀଡ଼ାର ଆନନ୍ଦ ନେଉଥିଲେ । ଯାତ୍ରୀଙ୍କୁ ବସାଇ ଜୋର ଗତିରେ ବୁଲୁଥିବା ବେଳେ ଜେଟ୍‌ସ୍କିଟି ଏକ ଜୁଆର ମାଡରେ ଓଲଟି ପଡ଼ିଥିଲା। ସୌଭାଗ୍ୟକୁ ଏହି ଘଟଣା କୂଳରେ ଥିବା ଲାଇଫ୍‌ଗାର୍ଡମାନଙ୍କ ନଜର ପଡ଼ିଥିଲା।  ୫ ଜଣ ଲାଇଫ୍‌ଗାର୍ଡ ସମୁଦ୍ର ଭିତରକୁ ଯାଇ କାହାର କିଛି ବଡ ଧରଣର ଅଘଟଣ ହେବା ପୂର୍ବରୁ ସେମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.