Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୧୪ବର୍ଷ ପରେ ହେବ ଜଗନ୍ନାଥଙ୍କ ରଘୁନାଥ ବେଶ ! ଏହାକୁ ନେଇ ଚର୍ଚ୍ଚା

27/08/2019 at 6:07 PM

ପୁରୀ ୨୭|୮ (କିଶନ ବାରାଇ) : ପୁରୀ ୨୭।୮- ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ଉଚ୍ଛେଦ କାର୍ଯ୍ୟ ଏକ ନୂଆ ସମ୍ଭାବନାକୁ ଇଙ୍ଗିତ କରୁଛି କି ? କଣ ଦୀର୍ଘ ୧୧୪ ବର୍ଷ ପରେ ଶ୍ରୀଜିଉ ଦର୍ଶନ ଦେବେ ସେହି ବିରଳ ବେଶ, ବର୍ତ୍ତମାନ ଦୁନିଆରେ ଜୀବିତ ଥିବା କେହି ଦେଖିନାହାନ୍ତି ।ଶ୍ରୀମନ୍ଦିର ଚାରପଟୁ ଉଚ୍ଛେଦ କାର୍ଯ୍ୟ ଚାଲୁ ରହିଥିବା ବେଳେ ଏହା ଭବିଷ୍ୟତରେ ମହାପ୍ରଭୁଙ୍କର ରଘୁନାଥ ବେଶ ଦର୍ଶନ ପାଇଁ କରାଯାଉଥିବା ଚର୍ଚ୍ଚା ହେଉଛି ।

ପୂରା ହେବ ଜଗନ୍ନାଥପ୍ରେମୀଙ୍କ ଶତାବ୍ଦୀର ସ୍ବପ୍ନ | ମହାପ୍ରଭୁଙ୍କ ରଘୁନାଥ ବେଶ ନେଇ ସୃଷ୍ଟି ହୋଇଛି ସମ୍ଭାବନା | ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ ଓ କଡ଼ା ସୁରକ୍ଷାର ପ୍ରୟାସ ହିଁ ଏମିତି କିଛି ସମ୍ଭାବନା ତିଆରି କରିଛି | ଶ୍ରୀମନ୍ଦିର ପରମ୍ପରାରେ ଶ୍ରୀଜିଉ ବିଭିନ୍ନ ବେଶ ମଧ୍ୟରୁ ରଘୁନାଥ ବେଶ ଅତ୍ୟନ୍ତ ଦୁର୍ଲଭ |

ହେଲେ ଏହି ବେଶ ଶେଷଥର ଲାଗି ହୋଇଥିଲା ୧୯୦୫ ମସିହାରେ | ଅର୍ଥାତ୍ ୧୧୪ ବର୍ଷ ତଳେ, ବ୍ରିଟିଶ ଶାସନରେ | ଏହି ବେଶର ଦର୍ଶନ ଲାଗି ସେ ସମୟରେ ନାହିଁ ନ ଥିବା ଭିଡ଼ ହୋଇଥିଲା | ଭିଡ଼ ନିୟନ୍ତ୍ରଣ ଲାଗି ନାକେଦମ ହୋଇଥିଲା ଇଂରେଜ ସରକାର | ପରବର୍ତ୍ତୀ ସମୟରେ ସ୍ବାଧୀନ ଭାରତରେ ସରକାର ପରେ ସରକାର ଆସିଛି | ହେଲେ ଏହି ଦୁର୍ଲ୍ଲଭ ବେଶ ଲାଗି କେହି କେବେ ବି ସାହସ ଜୁଟାଇ ପାରିନାହାନ୍ତି |

ତେବେ ରଘୁନାଥ ବେଶ ପାଇଁ ଶ୍ରୀମନ୍ଦିର ଚାରିପାଖର ସଂକୀର୍ଣ୍ଣତା ହିଁ ସବୁଠୁ ବଡ଼ ବାଧକ ବୋଲି କୁହାଯାଉଛି | ଏହି ବେଶରେ ମହାପ୍ରଭୁ ଶ୍ରୀରାମ ରୂପରେ ଦର୍ଶନ ଦିଅନ୍ତି | ଯାହାକି ଅତି ଚମତ୍କାର ଏବଂ ଆଖି ଝଲସାଇବା ଭଳି | ଏହି ବେଶ ଦେଖିବାକୁ ବିଶ୍ବର କୋଣ ଅନୁକୋଣରୁ ଅଗଣିତ ଭକ୍ତଙ୍କ ସୁଅ ଛୁଟିବ | ଯାହାକି ଦୁଇ ତିନିଟି ରଥଯାତ୍ରାର ଭିଡ଼ ସହ ସମାନ | ଏହି ଭିଡ଼ ନିୟନ୍ତ୍ରଣ ପ୍ରଶାସନ ପାଇଁ ହେବ ବଡ଼ ଚ୍ୟାଲେଞ୍ଜ । ତେଣୁ ଏଭଳି ଦୁର୍ଲ୍ଲଭ ବେଶ ଶ୍ରୀମନ୍ଦିରରେ  ଗତ ୧୧୪ ବର୍ଷ ହେଲା କେବେ ବି ହୋଇପାରିନି |

 ଆସନ୍ତାବର୍ଷ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ହେବ | ଏହାପୂର୍ବରୁ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ପଦକ୍ଷେପକୁ ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯିବ | ନାଗାର୍ଜୁନ ବେଶ ଦର୍ଶନ ସୁରୁଖୁରରେ ସଂପନ୍ନ ହେଲେ ରଘୁନାଥ ବେଶ ଲାଗି ଅଣ୍ଟା ଭିଡ଼ିବ ପ୍ରଶାସନ | ଶ୍ରୀଜିଉଙ୍କର ବର୍ତ୍ତମାନର ବିଗ୍ରହଙ୍କ ନବକେଳବର ପୂର୍ବରୁ ହିଁ ଜଗନ୍ନାଥପ୍ରେମୀଙ୍କ ଶତାବ୍ଦୀର ସ୍ବପ୍ନ ସାକାର ହେବାର ଆଶା ରଖିଛନ୍ତି |

   Related Posts